ବିଧାୟକଙ୍କ କେନ୍ଦ୍ରାପଡା କଲେଜ ପରିଦର୍ଶନ ଓ ସମୀକ୍ଷା ବୈଠକ
କେନ୍ଦ୍ରାପଡା : ରାଜ୍ୟର ସର୍ବ ପୁରାତନ ବେସରକାରୀ କଲେଜ ବାବେ ମାନ୍ୟତା ପାଇଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହା ବିଦ୍ୟାଳୟର ଅନେକ ସମସ୍ୟା ସମ୍ବନ୍ଧରେ ବିଧାୟକ ଗଣେଶ୍ୱର ବେହେରା ଅନୁଧ୍ୟାନ କରିବା ସହ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ବିଧାୟକ ଶ୍ରୀ ବେହେରା ଆଜି ମଧ୍ୟାହ୍ନରେ କେନ୍ଦ୍ରାପଡା କଲେଜକୁ ଯାଇ ଅଧ୍ୟକ୍ଷ ଡ଼ଃ ସଂଜିବ କୁମାର ମହାନ୍ତି, ପ୍ରଫେସର ରଂଜିତ କୁମାର ଦାସ, ପ୍ରଫେସର ଅଶୋକ କୁମାର ମିଶ୍ର, ଅବସର ପ୍ରାପ୍ତ ଅଧ୍ୟାପକ ପ୍ରଭାକର ମଲିକ, ଡ଼ଃ ପ୍ରଦୀପ୍ତ କୁମାର ଦାସ ପ୍ରମୁଖଙ୍କ ସହ କଲେଜର ବିଭିନ୍ନ ବିଭାଗ ପରିଦର୍ଶନ କରି ଏହାର ସମସ୍ୟା ଓ ଅଭାବ ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି । କଲେଜର ଭୂସମ୍ପତି ଦିନକୁ ଦିନ ଜବରଦଖଲ ରେ ଯାଉଥିବା ଓ ଗ୍ରୀଷ୍ମ ଛୁଟିରେ ଏହି ଜବରଦଖଲ ଜମି ଉପରେ ବେଆଇନ ନିର୍ମାଣ କରାଯାଉ ଥିବା ସଂପର୍କରେ ପଚାରି ବୁଝିଥିଲେ । ନାକ ଏ ଗ୍ରେଡ ପାଇଥିବା ଏହି କଲେଜରେ ୧୦୯ ଜଣ ଅନୁମୋଦିତ ଅଧ୍ୟାପକ, ଅଧ୍ୟାପିକା ପଦବୀ ଥିବାବେଳେ ବର୍ତମାନ ୭୬ ଜଣ କାର୍ଯ୍ୟ କରୁଛନ୍ତି । ଅବଶିଷ୍ଟ ୩୩ ପଦବୀ ଖାଲି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢା ରେ ବ୍ୟାଘାତ ସୃଷ୍ଟି ହେଉଛି । ସେହିଭଳି ସୁରକ୍ଷା ପାଚେରୀ ନଥିବାରୁ ଓ ପର୍ଯ୍ୟାପ୍ତ ପରିମାଣ ର ରାତ୍ରୀ ଜଗୁଆଳି ନଥିବାରୁ ରାତିରେ ଅସାମାଜିକ ଯୁବକ ମାନେ କଲେଜ ପରିସରରେ ଆଡ୍ଡା ଜମାଇ ବିଭିନ୍ନ ପ୍ରାର ଅପରାଧ ମୂଳକ କାର୍ଯ୍ୟରେ ଲିପ୍ତ ରହିବା ଓ ବିଭିନ୍ନ ସମୟରେ ଗଣ୍ଡଗୋଳ କରିବା ଘଟଣା ଜଣାପଡିଛି । ଏହା ସହ କଲେଜ ଲାଇବ୍ରେରୀ ରେ ୬୦ ହଜାର ପୁସ୍ତକ ଥିବାବେଳେ ୫୫ ହଜାର ପୁସ୍ତକ ଡିଜିଟାଲ କରାଯାଇ ଥିବାବେଳେ ଅବଶିଷ୍ଟ ୫ ହଜାର ପୁସ୍ତକ ଡିଜିଟାଲ କରାଯାଇ ପାରିନାହିଁ । ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ପାଇଁ କଲେଜ ପରିସର ରେ ଗୋଟିଏ ଏଟିଏମ ଖୋଲିବା ପାଇଁ ନିଷ୍ପତି ନିଆଯାଇଛି । ସେହିଭଳି ପୁର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇ ଥିବା କୋଠାବାଡି ଗେଟ୍ ଓ ଅନ୍ୟାନ୍ୟ ଭିତିଭୂମି ଗୁଡିକର କାମ ସରିଥିବା ବେଳେ ଏହା କଲେଜକୁ ହସ୍ତାନ୍ତର କରାଯାଇ ନଥିବା ଜଣା ପଡିଥିଲା । ଓ ଅନ୍ୟ କେତେକ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ନହୋଇ ଅବହେଳା ରେ ଅଧା ପନ୍ତରିଆ ଭାବେ ପଡି ରହିଥିବା ଜଣାପଡିଥିଲା । କଲେଜରେ ଏକ ରିସର୍ଚ୍ଚ ଲ୍ୟାବ ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ପାଇଁ ଖୋଲା ଯିବାକୁ ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଖାଲି ପଡିଥିବା ପଦବୀ ପୁରଣ, ସୁରକ୍ଷା ପାଚେରୀ ନିର୍ମାଣ, ଜବର ଦଖଲ ଉଚ୍ଛେଦ ସହ ଭିତିଭୂମୀର ବିକାଶ ପାଇଁ ବିଧାୟକ ଶ୍ରୀ ବେହେରା ସକ୍ରୀୟ ସହଯୋଗ କରିବେ ବୋଲି ଆଲୋଚନା ରେ ନିଷ୍ପତି ନିଆଯାଇଛି ।