ବିଧାୟକଙ୍କ ହସ୍ତକ୍ଷେପ  : ପୁନଃ ପରୀକ୍ଷା ଦେବାର ସୁଯୋଗ ପାଇଲେ ଛାତ୍ରଛାତ୍ରୀ 

 ବଡ଼ସାହି:  ସ୍ଥାନୀୟ ବଡ଼ସାହି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ୩୨ ଛାତ୍ରଛାତ୍ରୀଙ୍କ ଗତ ବାର୍ଷିକ ପରୀକ୍ଷା ଦେବା ନିମନ୍ତେ କୌଣସି କାରଣରୁ ରେଜିଷ୍ଟ୍ରେସନରେ ତ୍ରୁଟି ରହିଯାଇଥିଲା । ଫଳରେ ସେମାନେ ଇଂଲିଶ କୋର ବିଷୟରେ ପ୍ରସ୍ତୁତି ହୋଇ ଯାଇଥିବାବେଳେ ପରୀକ୍ଷାରେ  ଇଂଲିଶ ଇଲେକ୍ଟିଭ ପ୍ରଶ୍ନପତ୍ର ପାଇ ହତାଶ ହୋଇ ପଡ଼ିଥିଲେ ଏବଂ ବାଧ୍ୟରେ ପରୀକ୍ଷା ଦେଇଥିଲେ । ଏଥିନେଇ ସେମାନଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯିବାର ଆଶଙ୍କା ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଅଧିକ ଘାରିଥିଲା । ଏଥିସହିତ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସମେତ ସମସ୍ତ ଶିକ୍ଷକ ଭାଙ୍ଗି ପଡ଼ିଥିଲେ । ମାତ୍ର ମାନସିକ ଅବସ୍ଥାରେ ଦୃଢ଼ତା ନେଇ ଅଧ୍ୟକ୍ଷାଙ୍କ ସହିତ କେତେଜଣ ଅଭିଭାବକ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ସହିତ ସାକ୍ଷାତ କରି ସିବିଏସଇ ବୋର୍ଡ ପର୍ଯ୍ୟନ୍ତ ପହଞ୍ଚô ନିଜର ଭୁଲ ସ୍ୱୀକାର କରିବା ସହ ପିଲାଙ୍କ ଭବିଷ୍ୟତକୁ ନେଇ ଉକ୍ତ ବିଷୟରେ କିପରି ପୁନଃ ପରୀକ୍ଷା ଦେବାର ସୁଯୋଗ ମିଳିବ ସେଥିନେଇ ଅନୁରୋଧ କରିଥିଲେ । ବିଧାୟକ ଏହାକୁ ଗମ୍ଭୀରତା ସହିତ ହୃଦୟଙ୍ଗମ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ଲୋଡିଥିଲେ । ଏବଂ ମନ୍ତ୍ରୀ ଓ ବଡ଼ସାହି ବିଧାୟକଙ୍କ   ମଣିଷପଣିଆ ଯୋଗୁଁ ଅନ୍ଧାର ଆଡକୁ ଠେଲି ହୋଇଯାଉଥିବା ୩୨ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଆଜି ପରୀକ୍ଷା ଦେବାର ସୁଯୋଗ ମିଳିବା ପରେ ଉଜ୍ଜଳମୟ ହୋଇ ଉଠିଛି । ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହିତ ସମୂହ ବିଦ୍ୟାଳୟ, ସମସ୍ତ ଅଭିଭାବକ ବିଧାୟକ ସନାତନ ବିଜୁଳି ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।