ବିନା ଫଳକରେ ନିମ୍ନମାନର ପାଚେରୀ ନିର୍ମାଣ
ରାଜନଗର : ବାତ୍ୟା ଦାନାରେ କ୍ଷତିଗ୍ରସ୍ତ ହୋଇଥିବା ବିଦ୍ୟାଳୟଗୁଡିକୁ ମରାମତି କରିବା ପାଇଁ ରାଜ୍ୟ ସରକାର ବ୍ଲକ ପ୍ରଶାସନକୁ ଅନୁଦାନ ପ୍ରଦାନ କଲେ । ଏହି ଅନୁଦାନକୁ ବ୍ଲକ ପ୍ରଶାସନ ବିଦ୍ୟାଳୟ ମରାମତି ନ କରି ପାଚେରୀ ପ୍ରଭୃତି ନିର୍ମାଣ କରି ହରିଲୁଟ୍ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଭାଟପଡା କୁଶାଇଲୋ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ୩ଟି ଆଜବେଷ୍ଟ ଘର କ୍ଷତିଗ୍ରସ୍ତ ହୋଇଛି । ଆଜବେଷ୍ଟ ଘର ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଯାଇଛି । ସେ ଘର ଏପରି ଅବସ୍ଥାରେ ରହିଛି କେତେବେଳେ ଯେ ଅଘଟଣ ନଘଟିବ କିଏ କହିବ । ଏଭଳି ପରିସ୍ଥିତିରେ ଘର ମରାମତି କରିବା ବଦଳରେ ପାଚେରୀ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡକଥା ହେଲା, କେତେ ଟଙ୍କାର କାମ କରାଯାଉଛି, କିଏ ନିର୍ମାଣ କରୁଛି, ସୂଚନା ଫଳକଟିଏ ମଧ୍ୟ ନାହିଁ । ଗତ ସୋମବାର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ପ୍ଲିନ୍ଥ ବେସ ପକାଯାଇଛି । ସିମେଣ୍ଟ, ଗୋଡି ଓ ବାଲି ପରିମାଣ କମ୍ ଥିବାରୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି । ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀଙ୍କୁ ପଚାରିବାରୁ ବାତ୍ୟା ଦାନାରେ କ୍ଷତିଗ୍ରସ୍ତ ବିଦ୍ୟାଳୟ ଗୃହ ମରାମତି ପାଇଁ ୨ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । ସେ ବିଦ୍ୟାଳୟ ପରିସରରେ ମରାମତି କରିବା ପାଇଁ କୌଣସି ଗୃହ ନାହିଁ । କମିଟି ଲୋକଙ୍କ ପରାମର୍ଶକ୍ରମେ ପାଚେରୀ ନିର୍ମାଣ କରାଯାଉଛି । ଆଜି ଛୁଟି ଥିବାରୁ ମୁଁ ଯାଇନଥିଲି । ଆସନ୍ତାକାଲି ଗଲେ କାମ ଦେଖିବି ବୋଲି କହିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ, ବିଦ୍ୟାଳୟ ପରିସରରେ ୩ଟି ଆଜବେଷ୍ଟ ଘର ଥିବା ବେଳେ କନିଷ୍ଠ ଯନ୍ତ୍ରୀ କିଭଳି କହୁଛନ୍ତି ମରାମତି ହେବାକୁ ଘର ନାହିଁ । ବିଦ୍ୟାଳୟ ପରିସରକୁ ସେ ଯାଇଛନ୍ତି ନାଁ ବ୍ଲକ ପରିସରରେ ରହି ପାଚେରୀ ନିର୍ମାଣ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଯାହାକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ଏସଂପର୍କରେ ଉଚ୍ଚ ପଦସ୍ଥ ଅଧିକାରୀ ତଦନ୍ତ କରିବାକୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।