ବନୋଜ ତ୍ରିପାଠୀ ଓ ପୂଜା ପାଣିଙ୍କୁ ବାଳକୃଷ୍ଣ ଦାଶ ସ୍ମୃତି ସମ୍ମାନ

 ବାଲିଅନ୍ତା : ପ୍ରବାଦପୁରୁଷ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ ଉଜ୍ୱସ୍ୱନୀ ପ୍ରତିଭା ଥିଲେ ବୋଲି ତାଙ୍କ ୧୦୩ ତମ ଜନ୍ମଜୟନ୍ତୀ ପାଳନ ଉପଲକ୍ଷେ ଅନୁଷ୍ଠିତ ସଭାରେ ନିମନ୍ତ୍ରିତ ଅତିଥିମାନେ ବକ୍ତବ୍ୟ ଦେଇଛନ୍ତି । ତାଙ୍କ ସଙ୍ଗୀତ ଆଗରେ ଅନ୍ୟ କାହାକୁ ତୁଳନା କରିବା ଧୃଷ୍ଠତା ହେବ ବୋଲି ଅତିଥିମାନେ କହିଥିଲେ ।  ଏହି ମହାନ କଳାକାରଙ୍କ ଜନ୍ମଜୟନ୍ତୀ ପାଳନ ଅବସରରେ ନିଜ ଜନ୍ମମାଟି ବାଳକାଟି ବସନ୍ତପେଡ଼ି ଗ୍ରାମରୁ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ବାଳକାଟି ବଜାର ଅଟୋ ଷ୍ଟାଣ୍ଡରେ ପହଞ୍ଚିଥିଲା । ସେଠାରେ ସଂଗୀତ ସୁଧାକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ବିଶାଳ ଶୋଭାଯାତ୍ରା କଲେଜ ପଡ଼ିଆ ସ୍ଥିତ ସ୍ମୃତି ସଂସଦ ପରିସରରେ ପହଞ୍ଚିଥିଲା । ସେଠାରେ ସଂସଦର ସଭାପତି ଡ.ରାଜନୀ ରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଫେସର ଡ.ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଡ଼. ଅଜୟ ସ୍ୱାଇଁ, ଉକôଳ ସମ୍ମିଳନୀର ସାଧାରଣ ସମ୍ପାଦକ ରାଧାମୋହନ ପ୍ରହାରାଜ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂଗୀତ ସୁଧାକରଙ୍କ ବହୁ ପ୍ରତିଭାର ଆଲୋଚନା କରିଥିଲେ । ଏହି ଅବସରରେ ବିଶିଷ୍ଟ ପ୍ରକାଶକ ପକ୍ଷୀଘର ପ୍ରକାଶନୀର ବନୋଜ ତ୍ରିପାଠୀ ଓ ଲେଖିକା ତଥା କବୟିତ୍ରୀ ପୂଜାରାଣୀ ପାଣିଙ୍କୁ ଚଳିତ ବର୍ଷର "ବାଳକୃଷ୍ଣ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ରାମମୋହନ ତ୍ରିପାଠୀ ପରିଚାଳନା କରିଥିବାବେଳେ ସଂସଦର ସମ୍ପାଦକ ଜଗନ୍ନାଥ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ରଞ୍ଜନ କୁମାର ମହାପାତ୍ର, ଦୀନବନ୍ଧୁ ଭୋଇ, ପୂର୍ବତନ ସରପଞ୍ଚ ରବିନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଡ଼. ଅରବିନ୍ଦ ଢ଼ାଲି ଏକ କାର୍ଯ୍ୟକ୍ରମ ନିମନ୍ତେ ବାଲିପାଟଣା ଯାଉଥିବାବେଳେ ବାଳକାଟି ବଜାରରେ ଥିବା ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବାଳକାଟି ଅଞ୍ଚଳରେ ଜନ୍ମ ହୋଇଥିବା ଏଭଳି ଯୋଗଜନ୍ମା ପୁରୁଷ ସମଗ୍ର ରାଜ୍ୟ ତଥା ଦେଶପାଇଁ ଗର୍ବ ବୋଲି କହିଥିଲେ ।