ବିପର୍ଯ୍ୟସ୍ତ ପାଳଦା ମାଳଦା ମଣିନାପୁର ମୁଖ୍ୟ ରାସ୍ତା
ଭଣ୍ଡାରିପୋଖରୀ : ଭଦ୍ରକ ପୂର୍ତ୍ତ ବିଭାଗ ଅଧିନରେ ଥିବା ଭଣ୍ଡାରିପୋଖରୀ ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ଠାରୁ ପଡୋଶୀ ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ପାଳଦା ମାଳଦା ମଣିନାପୁର ମୁଖ୍ୟରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚôଲାଣି । ୭ ବର୍ଷ ହେବ ୧୩କିମି ରାସ୍ତାଟି କଂକ୍ରିଟ ନିର୍ମାଣ ହୋଇଥିଲା । ଗତ କିଛି ବର୍ଷ ହେବ ରାସ୍ତାରେ କେଉଁଠି ଫାଟ ସୃଷ୍ଟି ହେଲାଣି ତ ପୁଣି କେଉଁଠି କଂକ୍ରିଟ ଦବି ଗଲାଣି । ବିଶେଷ କରି ରାଢୋ, ମାଳଦା ବଜାର ଓ ପୁରସ୍ତମପୁର ମଧ୍ୟ ସ୍ଥାନ ରହଣିଆ ମାଇନର ନିକଟରେ ରାସ୍ତାର ଦୁଇଭାଗ କଂକ୍ରିଟରୁ ଗୋଟିଏ ପାର୍ଶ୍ୱ ଦୀର୍ଘ ଦିନ ହେବ ଦବି ଯାଇଛି । ଫଳରେ ମୋଟରସାଇକେଲ ଓ ସାଇକେଲ ଆରୋହୀ ମାନେ ଟିକିଏ ଅସାବଧାନତା ହେଲେ ଦୁର୍ଘଟଣାର ଶିକାର ହେଉଛନ୍ତି ।ଗତ ଦୁଇ ତିନି ମାସ ମଧ୍ୟରେ ଏଠାରେ ୮ରୁ ୧୦ଗୋଟି ଦୁର୍ଘଟଣା ହୋଇ ସାରିଲାଣି । ସର୍ତା ସେତୁ କଂକ୍ରିଟ ଖାଇ ରଡ ଦେଖା ଗଲାଣି । ବିଶେଷ କରି ସ୍କୁଟି ଚାଳକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମାଳଦା ବଜାରରେ ରାସ୍ତା ଏକ ପାର୍ଶ୍ୱରେ କଂକ୍ରିଟ ଦବି ଯିବାରୁ ସାମାନ୍ୟ ବର୍ଷା ହେଲେ ବହୁ ଦୁର୍ଘଟଣା ଘଟୁଛି । ଏଥିରେ କାହାର ମୁଣ୍ଡ ଫାଟିଛି ତ ପୁଣି କାହାର ଗୋଡ଼ ହାତ ମଧ୍ୟ ଭାଙ୍ଗିଛି । ଏବେ ବର୍ଷା କାରଣରୁ ମାଳଦା ସମେତ ଅନ୍ୟ ସ୍ଥାନରେ ବାଇକ୍ ଆରୋହୀ ଅଧିକ ମାତ୍ରାରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଯେଉଁଥିପାଇଁ ରାସ୍ତାର ବିପଦ ସଙ୍କୁଳ ସ୍ଥାନରେ ଲୋକେ ଗଛଡାଳ ପକାଇଥିବା ଦେଖାଯାଇଛି । ଏହାଛଡା କେତୋଟି ସ୍ଥାନରେ ଦୀର୍ଘ ଦିନ ହେବ ପଡିରହିଥିବା ଅସମ୍ପୂର୍ଣ୍ଣ ରାସ୍ତା କାର୍ଯ୍ୟ ଏଯାଏଁ ପୂର୍ଣ୍ଣ ହୋଇ ନାହିଁ । ନବୀକରଣ କାର୍ଯ୍ୟ ପରେ ରାସ୍ତାର ପଟାପୋଲ କେନାଲ ଠାରେ ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଥିଲା ।ପୋଲ ନିର୍ମାଣ ପରେ ଏହାର ଦୁଇ ପାର୍ଶ୍ୱରେ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇଥିଲେ ସୁଦ୍ଧା ଏଥିରେ ପ୍ରାୟ ୨୦ ଫୁଟ ଅସମ୍ପୂର୍ଣ୍ଣ ରହିଛି । ଫଳରେ ଯାତାୟତ ପାଇଁ ଲୋକେ ନାନାଦି ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ବର୍ଷା ଯୋଗୁଁ ଏଥିରେ ଏବେ ଗର୍ତ୍ତ ସୃଷ୍ଟି ହୋଇଛି । ସାଧାରଣ ପଥଚାରୀଙ୍କ ପାଇଁଁ ଏହି ସ୍ଥାନଟି ବିପଦ ସୃଷ୍ଟି ହୋଇଛି ।