ବିପର୍ଯ୍ୟସ୍ତ ଭଣ୍ଡାରିପୋଖରୀ-ମଣିନାଥପୁର ପୂର୍ତ୍ତ ରାସ୍ତା

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ  ରାସ୍ତାର ପାଳଦାବାଙ୍କ ୧୬ ନଂ ଜାତୀୟ ରାଜପଥରୁ ମଣିନାଥପୁର-ବଲ୍ଲଭିଘାଟ ବୈତରଣୀ ସେତୁ ମଧ୍ୟ ଦେଇ ଯାଜପୁର ସହରକୁ ସିଧାସଳଖ ସଂଯୋଗ କରୁଥିବା ୧୨.୮୮ କିଲୋମିଟର ଦୌର୍ଘ୍ୟ ବିଶିଷ୍ଟ ଏହି ଗୁରୁତ୍ୱପୂର୍ଣ୍ଣର୍ ରାସ୍ତା ବିଭାଗୀୟ ଛଳନାର ଶିକାର ହୋଇଛି । ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ବିଭିନ୍ନ ସ୍ଥାନ ଫାଟି ଆଁ କଲାଣି । ସଂପୃକ୍ତ ରାସ୍ତାର ରାଢୋ ଗ୍ରାମର ନିମଗଡିଆ ସ୍ଥାନ ବୈଷ୍ଣବ ଦଳେଇ ଘର ନିକଟରେ ପ୍ରାୟ ୨୦ ଫୁଟର ରାସ୍ତା ଖଣ୍ଡ ବିପଦଜନକ ଭାବେ ଦବିଯାଇଛି । ପ୍ରତିଦିନ ଏହି ଅଂଶ କ୍ରମାଗତ ଭାବେ ଦବୁଥିବାରୁ ଦୁର୍ଘଟଣାର ଆଶଙ୍କା ସୃଷ୍ଟି ହୋଇଛି । ଏହି କାରଣରୁ ଗତ ବର୍ଷ ରାସ୍ତାର ହାଜିପୁର ଛକ ନିକଟ ଅଂଶକୁ ଠିକାଦାର ପୁନଃନିର୍ମାଣ କରିବାକୁ ବାଧ୍ୟ ହୋଇଥିଲା । ଅନୁରୂପ ଭାବେ ସଦ୍ୟତମ ଅଂଶ ନିର୍ମାଣ ଜରୁରୀ ହୋଇପଡିଛି । ଏହା ସହ ମାଳଦା ହାଇସ୍କୁଲ ସମ୍ମୁଖ ସହ ବହୁ ସ୍ଥାନରେ ଫାଟ ଜଳ ଜଳ ହୋଇ ଦିଶୁଛି । ରାସ୍ତାର ସରସଦା ରଣାଡିହ ଛକ ପୂର୍ବ କଲର୍ଭଟ ଅସମ୍ପୁର୍ଣ୍ଣ ନିର୍ମାଣ ଯୋଗୁଁ ଯାତାୟତକାରୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି । ୨୦୨୨-୨୩ ବର୍ଷରେ ନିର୍ମିତ ଏହି କଲର୍ଭଟକୁ ରାସ୍ତା ସହ ସଂଯୋଗୀକରଣ କରାଯାଇନଥିବାରୁ ଦୈନିକ ବହୁ ଛୋଟବଡ ଦୁର୍ଘଟଣା ଘଟୁଛି । ଏହି କଲର୍ଭଟର ଉଭୟ ପାଶ୍ୱର୍ ରାସ୍ତା ଏକଫୁଟ ନିଚ୍ଚା ହୋଇଥିବାରୁ ଯାନବାହାନଗୁଡିକ ଯାତାୟତରେ ନାନା ଅସୁବିଧା ସମ୍ମୁଖିନ ହେଉଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ  ଏହି ରାସ୍ତା ୨୦୧୪ ମସିହାରେ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଗତ ୨୦୧୪ ମସିହାରେ ତୁଳସୀପୁର ଠାରୁ ସରସଦା ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ଅଂଶ ନିର୍ମାଣ ପାଇଁ ଦୁଇକୋଟି ପଚାଶ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଟେଣ୍ଡର ଡକାଯାଇଥିଲା । ମାତ୍ର ଅତ୍ୟନ୍ତ ନିମ୍ନମାନର ଓ ଅଧାପନ୍ତରିଆ ଭାବେ ନିର୍ମାଣ କରାଯାଇ କାର୍ଯ୍ୟ ୨୦୧୭ ମସିହାରେ ସମାପ୍ତ କରି ଦିଆଯାଇଥିଲା । ପୁର୍ତ୍ତ ବିଭାଗର ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ନିର୍ମାଣ ରାସ୍ତାକୁ ଅନୁ୍ୟନ ୧୦ ବର୍ଷ ବ୍ୟବହାର କରାଯିବାକୁ ବ୍ୟବସ୍ଥା ରହିଛି । ମାତ୍ର ରାସ୍ତାର ପ୍ରଥମ ଦଫାରେ ନିର୍ମାଣ ଅଂଶ ବିପର୍ଯ୍ୟସ୍ତ ହୋଇ ଯାତାୟତ ଅନୁପଯୋଗୀ ହୋଇପଡିଛି । ଦ୍ୱିତୀୟ ଥର ପାଇଁ ୨୦୧୭ ମସିହାରେ ବିଭାଗ ପକ୍ଷରୁ ସରସଦା ଠାରୁ ମଣିନାଥପୁର ପର୍ଯ୍ୟନ୍ତ ୧୧ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ୧୩,୬୦,୧୯,୭୩୧ଟଙ୍କା ବ୍ୟୟଅଟକଳରେ ହାତକୁ ନିଆଯାଇଥିଲା । ୨୦୧୮ ଜୁନରେ ସରିବାକୁ ଥିବା ନିର୍ମାଣ କାର୍ଯ୍ୟ ୨୦୨୦ ମସିହାରେ ଅର୍ଥା ଭାବେ ଦର୍ଶାଯାଇ କାର୍ଯ୍ୟ ଅଧାରୁ ବନ୍ଦ କରିଦିଆଯାଇଥିଲା । ତୃତୀୟ ଦଫାରେ ସର୍ତ୍ତା ନାଳ ସେତୁ ନିର୍ମାଣ ସହ ପ୍ରଥମ ଦଫାରେ ନିର୍ମାଣ ରାସ୍ତାର ମରାମତିକରଣ ଓ ଅନ୍ୟ ୮ଟି କ୍ଷୁଦ୍ର ସେତୁର ନିର୍ମାଣ ପାଇଁ ମାତ୍ର ୨୦୨୧ ମସିହା ଜାନୁୟାରୀ ୯ ତାରିଖରେ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ଶିଳାନ୍ୟାସ କରାଯାଇଥିଲା । ଶିଳାନ୍ୟା ସମୟରେ ସର୍ତ୍ତାନାଳ ସେତୁ ସମେତ ଏହି ରାସ୍ତାରେ ମୋଟ ଆଠଗୋଟି ସେତୁ ନିର୍ମାଣ ସହ ୧୬ ନଂ ଜାତୀୟ ରାଜପଥର ତୁଲସୀପୁର ଠାରୁ ସରସଦା ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର ରାସ୍ତାର ଉନ୍ନତିକରଣ ପାଇଁ ପାଞ୍ଚଞ୍ଚକୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ପାଣିଭଳି ଟଙ୍କା ଖର୍ଚ୍ଚ ହେଉଥିଲେ ବି ରାସ୍ତାର ଭାଗ୍ୟ ବଦଳୁ ନାହିଁ ଏକଥା ଜନସାଧାରଣ ଅନୁଭବ କରୁଛନ୍ତି । ରାସ୍ତା ମରାମତି ପାଇଁ ପଦକ୍ଷେପ ନଆଯାଉଛି ବୋଲି ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ୍ୱର ସାହୁ ସୂଚନା ଦେଇଛନ୍ତି ।