କଦଳୀ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର ନାଆମୀ ଗ୍ରାମର ମାନସ କୁମାର ଜେନା, ସାରୋ ଗ୍ରାମର ହରେକୃଷ୍ଣ ଭାରତୀ ପ୍ରମୁଖ ଚାଷୀ ଅଭାବୀ ବିକ୍ରୀ ପାଇଁ କଦଳୀ ଚାଷ ଛାଡିଦେଇଥିବା ଜଣାଯାଇଛି । ମାନସ ନିଜସ୍ୱ ଏକ ଏକର ଜମିରେ ବାମନ ଜାତୀୟ ଜି-୯(ସିଙ୍ଗାପୁରୀ) କଦଳୀ ଚାଷ ୨୦୨୨ ମସିହାରେ ଆରମ୍ଭ କରିଥିଲେ । ହଜାରେ ଗଛ ଲଗାଇ ସେହିବର୍ଷ ଖର୍ଚ୍ଚ କରିଥିଲେ ଲକ୍ଷାଧିକ ଟଙ୍କା । କଦଳୀ ଫଳିଥିଲା । ହେଲେ ବିକ୍ରୀ ପାଇଁ ବଜାର ନଥିଲା । କିଲୋ ପ୍ରତି ୧୦ ଟଙ୍କା ଦରରେ ବାଲେଶ୍ୱର ସହରର ଜନୈକ ବ୍ୟବସାୟୀଙ୍କୁ ବିକ୍ରୀ କରି ପ୍ରଥମ ବର୍ଷ ପାଇଥିଲେ ୩୦ ହଜାର ଟଙ୍କା ମାତ୍ର ।
୨୦୨୩-୨୪ ବର୍ଷରେ ପାଇଥିଲେ ୧୫ ହଜାର ଟଙ୍କା । ଏହି ଜାତୀୟ କଦଳୀର ବଜାର ମୂଲ୍ୟ ୬୦ଟଙ୍କା । ମାତ୍ର ଚାଷୀ ବିକ୍ରୟ କରିଥିଲା ୧୦ ଟଙ୍କାରେ । ଚାଷ ଖର୍ଚ୍ଚ ଭରଣା ହୋଇ ପାରିନଥିଲା । କ୍ରମାଗତ କ୍ଷତି ହେବାରୁ ଚଳିତ ବର୍ଷ କଦଳୀ ଚାଷ ଛାଡିଦେଇ ଅନ୍ୟାନ୍ୟ ଚାଷ କରୁଥିବା ଜଣାଯାଇଛି । ସେହିପରି ସାରୋ ଗ୍ରାମର ହରେକୃଷ୍ଣ ଭାରତୀ ୬ଶହ ବାମନ ଜାତୀୟ ଜି-୯(ସିଙ୍ଗାପୁରୀ) କଦଳୀ ଚାଷ ୨ ବର୍ଷ କରିବା ପରେ ନାମମାତ୍ର ଦରରେ କଦଳୀ ବିକି କ୍ଷତି ହେବାରୁ କଦଳୀ ଚାଷ ଛାଡିଦେଇଥିବା ଜଣାଯାଇଛି । ଅନ୍ୟପକ୍ଷରେ କୃଷି ଉଦ୍ୟାନ ବିଭାଗ ଚଳିତ ବର୍ଷ ଆନ୍ଧ୍ରରୁ ଆମଦାନୀ କରିଥିବା ବିପୁଳ ସଂଖ୍ୟକ କଦଳୀ ଚାରା ଚାଷରେ କିଭଳି ଉପଯୋଗ ହୋଇପାରିବ ତାହାକୁ ନେଇ ସଂଶୟ ସୃଷ୍ଟି ହୋଇଛି ।