ପୂଜା ପୂର୍ବରୁ ରାସ୍ତାଘାଟ ମରାମତି ନେଇ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର
ଖୋର୍ଦ୍ଧା : ଆଗକୁ ପାର୍ବଣ ଋତୁ । ଏହି ସମୟରେ ଖୋର୍ଦ୍ଧା ସହର ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି । ପଲ୍ଲା ଛକ ମରଣାଜନ୍ତା ପାଲଟିଥିବା ବେଳେ ନୂଆ ବସଷ୍ଟାଣ୍ଡ, ଟିଏଲସି ରୋଡ, ଚଣ୍ଡିଚୁଆ ଛକ, ମେଡିକାଲ ରୋଡ, ପୁରୁଣା ବସଷ୍ଟାଣ୍ଡ, ମୁକୁନ୍ଦପ୍ରସାଦ ରାସ୍ତା ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ହୋଇପଡିଛି ବୋଲି ଅଭିଯୋଗ କରିଛି ଛାତ୍ର କଂଗ୍ରେସ । ଦୃର୍ଗା ପୂଜା ପୂର୍ବରୁ ସହର ରାସ୍ତାଘାଟ ମରାମତି ପାଇଁ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(ସିଭିଲ) ଶିବଲାଲ ସାହୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସପ୍ତାହ ମଧ୍ୟରେ ଏହାର ସମାଧାନ କରାନଗଲେ କାର୍ଯ୍ୟଳୟ ଘେରାଉ କରାଯିବା ସହ ରାସ୍ତାରୋକ ଭଳି ଚରମ ପଦକ୍ଷପ ନିଆଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛିି । ଲଘୁଚାପ ଜନିତ ବର୍ଷା ଯୋଗୁ ରାସ୍ତା ମରାମତିରେ ଅସୁବିଧା ହେଉଛି । ଏହାକୁ ତୁରନ୍ତ ମରାମତି କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି । ପିସିସି ମୁଖପାତ୍ର ଅମିତ ମହାନ୍ତିଙ୍କ ଉପସ୍ଥିତି ଓ ଛାତ୍ର ନେତା ମନୱର ହୁସେନ ଖାନଙ୍କ ନେତୃତ୍ୱରେ ନସିର ସୁଲତାନ, ଦେବୀ ପ୍ରସାଦ ଦାସ , ସମର୍ପିତ ସିଂହ, ରାଜେଶ ରୋଶନ ପରିଡା, ମହମ୍ମଦ ଗୁଫ୍ରାନ, ସହିଦ ଖାନଙ୍କ ସମେତ ଅନେକ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରମୁଖ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି ।