ନୀଳଗିରିକୁ ପଶିଲେ ଝାଡଖଣ୍ଡୀ ହାତୀପଲ

ନୀଳଗିରିକୁ ପଶିଲେ ଝାଡଖଣ୍ଡୀ ହାତୀପଲ

ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡୀ ହାତୀପଲ । ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି । ଚଳିତବର୍ଷ ଝାଡଖଣ୍ଡର ଦଲମା ଜଙ୍ଗଲରୁ ଏହି ହାତୀ ଦଳ ଆସି ଓଡିଶା ବର୍‌ଡର୍‌ ପାରି ହୋଇ  ବୁଧବାର ଭୋର ସମୟରେ ୨୭ଟିକିଆ ହାତୀ ଦଳ ଦଳ ହୋଇ ନୀଳଗିରି ରେଞ୍ଜ ଅଧିନ ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଅଯୋଧ୍ୟା ପିଚୁ ରାସ୍ତା ପାର କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଥିଲେ । ହାତୀ ଆସୁଥିବା ରାସ୍ତାରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ଏହି ହାତୀ ପଲ ମଧ୍ୟରେ ୩ ଦନ୍ତା ହାତୀ ଥିବା ବେଳେ ୧୦ ଛୁଆ ୧୪ ମାଆ ହାତୀ ଥିବାର ସୁଚନା ମିଳିଛି । ଆଜି ସନ୍ଧ୍ୟା ସୁଦ୍ଧା ହାତୀପଲ ଦୁଇରୁ ତିନି ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀପଲ ତିନିକୋଶିଆକୁ ସଂରକ୍ଷିତ ଜଙ୍ଗଲ ମୁହାଁ ହେଉଥିବା ଜଣାପଡୁଛି । ବାଲେଶ୍ୱର ଜିଲ୍ଲା ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ) ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ହାତୀଙ୍କ କବଳରୁ ମଣିଷଙ୍କୁ ରକ୍ଷା ଏବଂ ମଣିଷ କବଳରୁ ହାତୀଙ୍କୁ ସୁରକ୍ଷା ପାଇଂ ଜଙ୍ଗଲ ଚତୁଃପାର୍ଶ୍ୱରେ ନୀଳଗିରି ବନବିଭାଗର ରେଞ୍ଜର ମନୱର ଖାଁନଙ୍କ ନେତୃତ୍ୱରେ ଏକାଧିକ ଫରେଷ୍ଟର, ଫରେଷ୍ଟ ଗାର୍ଡ଼, ସବୁଜବାହିନୀ ହାତୀର ଗତିବିଧି ନିରିକ୍ଷଣ ପାଇଁ ଜଙ୍ଗଲ ଚତୁଃପାର୍ଶ୍ୱରେ ଜଗି ରହିଛନ୍ତି । ଏହା ସହ ଡାକବାଜି ଯନ୍ତ୍ର ଦ୍ୱାରା ବନାଞ୍ଚଳ ବାସୀଙ୍କୁ ସୁଚନା ଦିଆଯାଇଛି ।