ବିବାହର ପ୍ରଲୋଭନ ଦେଖାଇ କୁକର୍ମ ଅଭିଯୋଗ
ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ଅଞ୍ଚଳର ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଇ କୁକର୍ମ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ପୀଡ଼ିତା ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁସାରେ, ଗତ ପ୍ରାୟ ୬ ମାସ ପୂର୍ବେ ରାୟଗଡା ଅଞ୍ଚଳର ସବନ ନାହାକ ନାମକ ଜଣେ ଯୁବକଙ୍କ ସହ ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ମଧ୍ୟରେ ଏକ କଲରୁ ଆରମ୍ଭ ହେଲା ପ୍ରେମ ସମ୍ପର୍କ । କିଛିମାସ ଧରି ଉଭୟଙ୍କ ମଧ୍ୟରେ ଚାଲିଲା କଥାବାର୍ତ୍ତା । ପରବର୍ତ୍ତୀ ସମୟରେ ପ୍ରେମ ସମ୍ପର୍କ ନିବିଡ ହେବା ପରେ ମିଳିଲା ବିବାହର ପ୍ରତିଶୃତି । ବିବାହ ପ୍ରତିଶୃତି ମିଳିବା ପରେ ଅକ୍ଟୋବର ମାସରେ ମହିଳା ଜଣଙ୍କ ବିବାହ ପାଇଁ ଯୁବକ ରହୁଥିବା ସୁଦୂର ରାଞ୍ଚି ଅଞ୍ଚଳକୁ ଚାଲି ଯାଇଥିଲେ । ସେଠାରେ ଯୁବକ ଜଣଙ୍କ ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଦୀର୍ଘ ୩ ମାସ ଧରି ରଖିଥିଲେ ଶାରୀରିକ ସମ୍ପର୍କ । ବିବାହ କରିବା ପାଇଁ ମହିଳା ଜଣଙ୍କ ଜିଦ୍ କରିବାପରେ ଯୁବକ ଜଣଙ୍କ କେଉଁଆଡେ ଫେରାର ହୋଇଯାଇଥିଲେ । ମହିଳା ଜଣଙ୍କ ବିଭିନ୍ନ ସ୍ଥାନରେ ଯୁବକଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା । ଫଳରେ ମହିଳା ଜଣଙ୍କ ନିରାଶ ହୋଇ ବାପାଘର ଗ୍ରାମକୁ ଫେରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ଘଟଣା ନେଇ ଗୁରୁବାର ମହିଳା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଶୁକ୍ରବାର ପିଡୀତା ମହିଳାଙ୍କ ଡାକ୍ତରୀମାଇନା କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।