ବିଭୀଷଣ ଖୋଜୁଛନ୍ତି ଭକ୍ତ, କାହାକୁ ଦୋଷ ଦେବେ ନବୀନ ?
- ସାଂଗଠନିକ ପୁନର୍ବିନ୍ୟାସ
- କରିବେ ବିଜେଡ଼ି ଓ କଂଗ୍ରେସ
ଭୁବନେଶ୍ୱର : ନୂଆପଡ଼ାରେ ଚିଟ୍ପଟାଙ୍ଗ ଦେଇଛନ୍ତି କଂଗ୍ରେସ ଓ ବିଜେଡ଼ି । ନୂଆପଡ଼ା ଫଳକୁ ନେଇ ବିଜେପି ମନରେ ଯେତିକି ଯୋଶ, ବିଜେଡ଼ି ଓ କଂଗ୍ରେସ ସେତିକି ହତାଶ । ନୂଆପଡ଼ାରେ ବିଜେପିର ବାଜିମାତ୍ କିଛି ବଡ଼ କଥାନଥିଲା । ଏମିତିବି ଦଳର ସେଠାରେ ଭଲ ଭୋଟ୍ ବ୍ୟାଙ୍କ ଥିବାବେଳେ ଦଳ ସରକାରରେ ବି ରହିଛି । ସାଧାରଣତଃ ଉପନିର୍ବାଚନରେ ଶାସକ ଦଳଗୁଡ଼ିକର ଷ୍ଟ୍ରାଇକ୍ ରେଟ୍ ଅଧିକା ରହିବା ସ୍ୱାଭାବିକ କଥା । ହେଲେ ଗଡ଼ବଡ଼ କଥାଟି ହେଉଛି, ଶାସକ ବିଜେପିର ଏକପାଖିଆ ବିଜୟ । ଯାହାକି ବିଜେଡ଼ି ଓ କଂଗ୍ରେସ ହଜମ କରିପାରୁନାହାନ୍ତି । ଦୁଇ ଦଳରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହେଉଥିବାବେଳେ ଆଗାମୀ ଦିନରେ କଂଗ୍ରେସ ଓ ବିଜେଡ଼ି ସାଂଗଠନିକ ପୁନର୍ବିନ୍ୟାସ କରିବାର ସମ୍ଭାବନା ରହିଛି ।
ପୂର୍ବରୁ ଭୋଟ ରିଗିଂ, ଇଭିଏମ ଗଡ଼ବଡ଼ି, ଏଜେଣ୍ଟ କିଣା, ସରକାରୀ କଳ ବଳ ବ୍ୟବହାର ଭଳି ଚିରାଚରିତ ପ୍ରସଙ୍ଗ ଉଠାଇ ପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କୁ ଓ ନିର୍ବାଚନ କମିଶନଙ୍କୁ ଟାର୍ଗେଟ୍ କରିଥିବାବେଳେ ଆଜି ସେ ବିଭୀଷଣ ଖୋଜିବା ଆରମ୍ଭ କରିଛନ୍ତି । ଦଳର ପ୍ରଦର୍ଶନକୁ ନେଇ ସେ ନିରାଶ ହୋଇଥିଲେବି ବିଜେଡ଼ିକୁ ପଛରେ ପକାଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭକ୍ତଙ୍କ କହିବା କଥା ହେଉଛି, ବିନା ଟଙ୍କାରେ ଦଳ ୪୦ ହଜାର ଭୋଟ୍ ପାଇବା ସହ ଦୁଇ ନମ୍ବର ସ୍ଥାନରେ ରହିଛି । ତେବେ କଂଗ୍ରେସର କିଛି ନେତା ବିଭୀଷଣ ସାଜିଛନ୍ତି । ନିର୍ବାଚନ ବେଳେ ତାଙ୍କର ଓ ଦଳର ଭାବମୂର୍ତ୍ତିକୁ ମଳିନ କରିବାର ଅପଚେଷ୍ଟା କରାଯାଇଛି । କିଛି ଛୋଟମୋଟ ଗଣମାଧ୍ୟମକୁ ତାଙ୍କ ପଛରେ ଲଗାଯାଇଥିଲା । ଏହା ପଛରେ କିଛି ନେତାଙ୍କର ହାତ ରହିଛି । ବିଭୀଷଣମାନଙ୍କୁ ଛଡ଼ାଯିବ ନାହିଁ ବୋଲି ଭକ୍ତ କହିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି ।
ନୂଆପଡ଼ା ଉପନିର୍ବାଚନରେ ଘାସିରାମ ଓ ଭକ୍ତଙ୍କ ପ୍ରଦର୍ଶନକୁ ନୈରାଶ୍ୟଜନକ କୁହାଯାଇପାରିବ ନାହିଁ । ଶାସକ ବିଜେପି ଓ ବିଜେଡ଼ିର ରଣନୀତି ଭିତରେ କଂଗ୍ରେସ ସ୍ୟାଣ୍ଡୱିଚ୍ ହୋଇନି । ଅଳ୍ପ ଟଙ୍କା ଖର୍ଚ୍ଚରେ ବି ଦଳ ନିଜର ଭୋଟ୍ ବଜାୟ ରଖିଛି । ନୂଆପଡ଼ାରେ କଂଗ୍ରେସ ସବୁବେଳେ ୪୫ ହଜାର ଭିତରେ ହିଁ ଭୋଟ୍ ପାଇଛି । ଘାସିରାମ ମାଝୀ ପୂର୍ବଥର ସ୍ୱାଧୀନ ଲଢ଼ି ୫୧ ହଜାର ଭୋଟ୍ ପାଇଥିବାବେଳେ ତାଙ୍କ ସହ ବିଜେପି ଓ ବିଜେଡ଼ିର କେତେକ ନେତା ରହିଥିଲେ । କିନ୍ତୁ ଚଳିତ ନିର୍ବାଚନ ବେଳେ ସେମାନେ ନିଜ ନିଜ ଦଳକୁ ଚାଲି ଯାଇଥିଲେ । ନିର୍ବାଚନର ସପ୍ତାହକ ପୂର୍ବରୁ ବିଜେଡ଼ି ଓ ବିଜେପିର ଆର୍ଥିକ ଶକ୍ତି ଆଗରେ ନିଷ୍କ୍ରଭ କଂଗ୍ରେସ ତିନି ନମ୍ବରକୁ ଠେଲି ହୋଇଯିବ ବୋଲି ଅନୁମାନ କରାଯାଉଥିଲା । ହେଲେ ଫଳାଫଳ କିନ୍ତୁ ସେମିତି ନଥିଲା । କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହି ସମ୍ମାନଜନକ ପରାଜୟ ବରଣ କରିଛି । ଅବଶ୍ୟ ଭକ୍ତଙ୍କ ଚେର କାଟିବାକୁ ଦଳର କିଛି ନେତା ଉଦ୍ୟମ କରିଥିଲେ । ଏମିତିକି କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲେ କିଛି ନେତା ମୁହଁ ଖୋଲିବା ସହ ଭକ୍ତ ହଟାଅ ଅଭିଯାନ ଆରମ୍ଭ କରିଦେଇଥା’ନ୍ତେ । କିନ୍ତୁ ନୂଆପଡ଼ା ଫଳ ଭକ୍ତ ବିରୋଧୀଙ୍କ ଚାଲ, ଚକ୍ରାନ୍ତକୁ ପଣ୍ଡ କରିଦେଇଛି ।
ବିଜୁ ଜନତା ଦଳରେ କିନ୍ତୁ ସମସ୍ତେ ଏବେ ନୀରବ । ଦାୟିତ୍ୱରେ ଥିବା ନେତାମାନେ ମୁହଁ ଖୋଲି ପାରୁନାହାନ୍ତି । ସୋସିଆଲ ମିଡ଼ିଆରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୋଷ୍ଟ ସେୟାର କରି ଆମେ ଲଢେ଼ଇ ଜାରି ରଖିବୁ ବୋଲି ମୁହଁଭୁରୁଡ଼ି ମାରୁଛନ୍ତି । ବୋଧହୁଏ ନିର୍ବାଚନରେ ହାରିବା ପାଇଁ ସମସ୍ତେ ନିଜକୁ ଉତ୍ତରଦାୟୀ କରୁଛନ୍ତି । ଏପରିକି ନିଜେ ନବୀନ ଦୁଇ ଦୁଇ ଥର ପ୍ରଚାରକୁ ଯିବା ସହ ଭିଡ଼ିଓ କଲରେ ବି ସବୁଦିନ ପ୍ରଚାର କରିଥିଲେ । ପ୍ରତିଦିନ ଅପଡେ଼ଟ ବି ନେଉଥିଲେ । ଗ୍ରାଉଣ୍ଡରେ ଥିବା ନେତାଙ୍କ ଠାରୁ ସକରାତ୍ମକ ମତ ଶୁଣି ସେ ବି ଖୁସି ହୋଇଯାଇଥିଲେ । ଦଳ ଆରମ୍ଭରୁ ବିଜୟ ସ୍ଥିତିରେ ନାହିଁ ବୋଲି ନବୀନ ଭଲଭାବେ ଜାଣିଥିଲେ । ହେଲେ ଭଲ ଲଢେ଼ଇ କରି ଦଳ ୨୦୨୯ ପାଇଁ କର୍ମୀଙ୍କୁ ଉତ୍ସାହିତ କରିବ ବୋଲି ନବୀନ ଆଶା ରଖିଥିଲେ । ନଚେତ୍ ଡାକ୍ତରଙ୍କ ବାରଣ ସତ୍ତେ୍ୱ ସେ ଦୁଇ ଦୁଇ ଥର ପ୍ରଚାର ମଇଦାନକୁୁ ଯିବାକୁ ବାଧ୍ୟ ହୋଇଥିଲେ । ହେଲେ ଫଳ ଦେଖି ନବୀନ ବି ଚକିତ ହୋଇଗଲେ । ୩୫୮ ବୁଥ୍, ହେଲେ ଦଳ ପାଇଛି ୩୮ ହଜାର ଭୋଟ୍ । ଅର୍ଥାତ୍ ବୁଥ ପିଛା ହାରାହାରି ୧୦୦ରୁ ୧୧୦ ଭିତରେ । ହାରିବାକୁ ନେଇ ବିଜେଡ଼ି ଯେତିକି ବ୍ୟଥିତ ନୁହେଁ, ଏଭଳି ଲଜ୍ଜାଜନକ ପରାଜୟକୁ ନେଇ ମ୍ରିୟମାଣ ହେବା ସ୍ୱାଭାବିକ । ଏମିତିକି କଂଗ୍ରେସ ଠାରୁ ପଛରେ ପଡ଼ିଯାଇଥିବାରୁ ବିଜେଡ଼ି ପାଇଁ ଏହା ଝଟକା । ହେଲେ ଦଳର ସୁପ୍ରିମୋଙ୍କ ଠାରୁ ନେଇ ବିଧାୟକ ଓ ଅନ୍ୟ ମୁଣ୍ଡିଆଳମାନେ ଜୀଜାନ୍ ଲଗାଇ ଦେଇଥିବାବେଳେ ଦୋଷ କାହାକୁ ଦେବେ ? କାହିଁକିନା ସମସ୍ତେ ନିଜ ନିଜ ଜୋନରେ, ନିଜ ନିଜ ବୁଥରେ ମାଟି କାମୁଡ଼ିଛନ୍ତି କହିଲେ ଭୁଲ୍ ହେବନାହିଁ । ନୂଆପଡ଼ା ଘା’ର ମଞ୍ଜ ଦରଜ ଅନେକ ଦିନ ଧରି ରହିବ । ତେବେ ଦୁଇ ଦଳ କଂଗ୍ରେସ ଓ ବିଜେଡ଼ି ଏଥିରୁ ଅନେକ ଶିକ୍ଷା ବି ପାଇଛନ୍ତି । ଆଗାମୀ ଦିନରେ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହେବବୋଲି ଜାଣିବାକୁ ମିଳିଛି। ଉଭୟ ଦଳ ଖୁବଶୀଘ୍ର ସମୀକ୍ଷା ବୈଠକ ଡାକିବା ସହ ସାଂଗଠନିକ ପୁନର୍ବିନ୍ୟାସ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।