ଯାଜପୁରରେ ଡାନି-ବବି ଲଢେ଼ଇ

ଯାଜପୁରର ଦୁଇ ଟାଣୁଆ ନେତା ବବି ଦାସ ଓ ଡାନି ଘଡେ଼ଇଙ୍କ ମଧ୍ୟରେ ପୁଣି ଆରମ୍ଭ ହୋଇଯାଇଛି ଖୁଲମଖୁଲା ଲଢେ଼ଇ । ଅବଶ୍ୟ ଉଭୟଙ୍କ ମଧ୍ୟରେ ବିବାଦ ଆଜିର ନୁହେଁ । ଦଶନ୍ଧି ଦଶନ୍ଧି ଧରି ଯାଜପୁରରେ କ୍ଷମତା ଲଢେ଼ଇ ଚାଲିଆସିଛି । ଏକଦା ସେଠାରେ ପ୍ରଫୁଲ୍ଲ ଘଡେ଼ଇ ବନାମ ଅଶୋକ ଦାସଙ୍କ ମଧ୍ୟରେ ଶୀତଳଯୁଦ୍ଧ ଦେଖିବାକୁ ମିଳୁଥିଲା । ଏବେ ଅଶୋକ ଆରପାରିରେ ଥିବାବେଳେ ପ୍ରଫୁଲ୍ଲ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି । କିନ୍ତୁ ଅଶୋକଙ୍କ ପୁଅ ବବି ଦାସ ଓ ପ୍ରଫୁଲଙ୍କ ପୁଅ ପ୍ରୀତିରଞ୍ଜନ ରାଜ୍ୟ ରାଜନୀତିରେ ବେଶ ଦବଦବା ଜାହିର କରି ଆସୁଛନ୍ତି । ଖାଲି ଯାଜପୁର ନୁହେଁ ବିଜେଡ଼ି ରାଜନୀତିରେ ବବି ଓ ଡାନି ନିଜ ନିଜ ବାଟରେ ପତିଆରା ଦେଖାଉଥିଲେ । ଏମିତିକି ଚବିଶ ନିର୍ବାଚନରେ ଉଭୟ ପରସ୍ପରଙ୍କୁ ହରାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଶେଷରେ ସ୍ଥିତି ଏମିତି ହେଲାଯେ, ଦୁଇ ନେତା ନିର୍ବାଚନରେ ଚିଟପଟାଙ୍ଗ ଦେଇ ସାରିଛନ୍ତି । ଉପରକୁ ସେମାନେ ଏକାଠି ଅଛନ୍ତି ବୋଲି ଦେଖାଉଥିଲେ ବି ଭିତରେ ଭିତରେ କିନ୍ତୁ ପରସ୍ପର ବିରୋଧରେ ଗୋଟି ଚଳାଇବାରେ ହେଳା କରୁନାହାନ୍ତି । ଏକଦା ଯାଜପୁରର ଏକ ସଭାରେ ବବି ବିଜେଡ଼ିର ସଂଜ୍ଞା ବି ବଦଳାଇ ଦେଇଥିଲେ । ସେ କହିଥିଲେ ବି ଫର ବବି, ଜେ ଫର ଜିତୁ ଓ ଡି’ ଫର ଡାନି । ଯାହାକୁ ନେଇ ବିଜେଡ଼ି ରାଜନୀତିରେ ଆଲୋଡ଼ନ ବି ସୃଷ୍ଟି ହୋଇଥିଲା । ବବିଙ୍କ ମା’ କୋରେଇରେ ଲଢ଼ିଥିବାବେଳେ ସେଠାରୁ ବିଜେପି ନେତା ସିନେ ଅଭିନେତା ଆକାଶ ଦାସ ନାୟକ ବାଜିମାତ୍ କରିଛନ୍ତି । ସେହିପରି ବବିଙ୍କୁ ମଧ୍ୟ ବିଜେପି ନେତା ପ୍ରଦୀପ ବଳ ସାମନ୍ତ ହରାଇଛନ୍ତି । ଏବେ ପ୍ରଦୀପ ବଳ ମନ୍ତ୍ରୀ ଅଛନ୍ତି । ତେବେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ହେଉଛନ୍ତି ଡାନିଙ୍କ ମାମୁଁ । ଯଦି ବିଜେଡ଼ିରେ ତାଙ୍କୁ ଆଗାମୀ ଦିନରେ ସୁଯୋଗ ନମିଳେ ତେବେ ଡାନି ବିଜେପିକୁ ଗଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ଅବଶ୍ୟ ଏବେ ସେଭଳି ହେବାର ସମ୍ଭାବନା କମ୍ ରହିଛି । କାହିଁକିନା ବବିଙ୍କୁ ଡାଉନ୍ କରିବା ପାଇଁ ଡାନିଙ୍କୁ ପାଣ୍ଡିଆନ୍ ସହଯୋଗ କରୁଥିବା ନେଇ ଚର୍ଚ୍ଚା ହେଉଛି । ଚବିଶ ନିର୍ବାଚନର ପରାଜୟ ପାଇଁ ଅନେକ ବବି ଦାସଙ୍କୁ ବି ଦାୟୀ କରୁଥିବାରୁ ଏହି ମଉକାରେ ଡାନି ଚଉକା ମାରିବାକୁ ଯୋଜନା କରିଛନ୍ତି । ଉଭୟ ନେତା ଏବେ ନିଜ ନିଜ ନିର୍ବାଚନମଣ୍ଡଳୀରେ ସଂଗଠନକୁ ମଜବୁତ କରିବାରେ ଲାଗି ପଡ଼ିଛନ୍ତି । ଶୀତଳଯୁଦ୍ଧ ଓ ଲଢେ଼ଇ ଛାଡ଼ି ବବି ଓ ଡାନି ଯଦି ଏକାଠି ହୁଅନ୍ତେ ତେବେ ଯାଜପୁରରେ ବିଜେଡ଼ି ମହାଶକ୍ତି ହୋଇ ଉଭା ହୋଇପାରିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବବି ଓ ଡାନି ଏକାଠି ହୋଇ ଆଗକୁ ବଢ଼ିବେ ନା ଗୋଛି କଟାକଟି ହୋଇ ତଳକୁ ଖସିବେ ତାହା ଦେଖିବାକୁ ବାକି ରହିଲା ।