ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

 ଯାଜପୁର : କାହ୍ନୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୋରେଇରେ ଅଧ୍ୟକ୍ଷ ସ୍ମୃତିରଞ୍ଜନ ରାୟଙ୍କ ସଭାପତିତ୍ରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ପ୍ରାଥମିକ ଚିକିତ୍ସା ଓ ଜଳବାୟୁ ପରିବର୍ତନ ଶିର୍ଷକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋଷ କୁମାର ସିଂହ, ଡାକ୍ତର ସୋଲେଇନାଜ୍ ଅଖତରୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଏହାକୁ ସଫଳ କରିବା ପାଇଁ ଯୁବ ଛାତ୍ରଛାତ୍ରୀ ମାନଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଛି ବୋଲି ଉଭୟ ଡାକ୍ତର ମତବ୍ୟକ୍ତ କରିଥିଲେ । ପ୍ରାଥମିକ ଚିକିତ୍ସା ଓ ଜଳବାୟୁ ପରିବର୍ତନର କାରଣ, ନିରାକରଣ ଓ ଏହାର ଭୟାବହ ସ୍ଥିତି ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସାକୁ ସଫଳ କରିବାର ମନ୍ତ୍ର ଶିଖାଇଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଯୁବ ରେଡ୍କ୍ରସ୍ ସଂଯୋଜକ ଅଧ୍ୟାପକ କୈଳାସ ଚନ୍ଦ୍ର ରାଉତ ଅତିଥି ପରିଚୟ ସହ ଏହି ଦିବସର ଉଦେ୍ଦଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅର୍ଥନୀତି ବିଭାଗର ବରିଷ୍ଟ ଅଧ୍ୟାପକମାୟାଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଚାଳନାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।
ବ୍ୟାସନଗର: ବ୍ୟାସନଗର ସ୍ୱୟଂଶାସିତ କଲେଜ ୟୁଥ ରେଡ୍କ୍ରସ ୟୁନିଟ୍ ପକ୍ଷରୁ ବିଶ୍ୱ ଫାର୍ଷ୍ଟ ଏଡ୍ ଦିବସ ବା ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଶରତ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ଫାଷ୍ଟ ଏଡ୍ ଏବଂ ଜଳବାୟୁ ପରିବର୍ତନ’ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା । କଲେଜର ଉଦ୍ଭିଦ ବିଜ୍ଞାନ ମୁଖ୍ୟ ତଥା ମୁଖ୍ୟ ପ୍ରଶାସିନକ ଅଧିକାରୀ ପ୍ରଭାତ କୁମାର ସ୍ୱାଇଁ ଛାତ୍ରଛାତ୍ରୀଙ୍କୁ ‘ଫାଷ୍ଟ ଏଡ’ ସମ୍ପର୍କରେ ଅବଗତ କରାଇଥିଲେ । ବିଶେଷ କରି ସାପ କାମୁଡିଲେ, ଦୁର୍ଘଟଣା ସମୟରେ, ହୃଦ୍ଘାତ, ବାତ୍ୟା, ଭୂମିକମ୍ପ ସମୟରେ କିପରି ପ୍ରାଥମିକ ଚିକିତ୍ସା ଦିଆଯାଇ ଜୀବନ ବଂଚାଇହେବ ତାହା ସେ ଜଣାଇଥିଲେ । ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପିକା ଡ.ପ୍ରତିଭା ପରିଡା ଜଳବାୟୁ ପରିବର୍ତନର କାରଣ ଓ ତାର ନିରାକରଣ ଉପରେ କହିଥିଲେ । ୟୁଥରେଡ କ୍ରସର ସଂଯୋଜକ ଅଧ୍ୟାପକ ଡ. ରଜତ କାନ୍ତ ଦାଶ ସଭା କାର୍ଯ୍ୟ ପରିଚାଳନା କରିଥିଲା ବେଳେ ସଦସ୍ୟା ଅଧ୍ୟାପିକା ଅତସୀ କୁସୁମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।