ବିଶ୍ୱରେ ହ୍ରାସ ପାଉଛି ସ୍ୱାଧୀନତା ଭୋଟରଙ୍କ ପସନ୍ଦ ସୀମିତ ପାଇଁ ଏକଛତ୍ରବାଦୀ ପ୍ରୟାସ
ନୂଆଦିଲ୍ଲୀ : ଆମେରିକାର ଅଣଲାଭ ଦାୟକ ସ୍ୱେଚ୍ଛାସେବୀ ସଂଗଠନ ଫ୍ରିଡମ୍ ହାଉସ୍ ଅନୁଯାୟୀ, ୨୦୨୪ରେ କ୍ରମାଗତ ଉନବିଂଶ ବର୍ଷ ପାଇଁ ବିଶ୍ୱରେ ସ୍ୱାଧୀନତା ହ୍ରାସ ପାଇଛି ଏବଂ ଅନେକ ଦେଶ ସେମାନଙ୍କ ରାଜନୈତିକ ଅଧିକାର ଏବଂ ନାଗରିକ ସ୍ୱାଧୀନତାରେ ଉଲ୍ଲେଖନୀୟ ଅବନତିର ସମ୍ମୁଖୀନ ହୋଇଛନ୍ତି । ‘ଫ୍ରିଡମ୍ ଇନ୍ ଦି ୱାର୍ଲ୍ଡ ୨୦୨୫: ଦ ଅପହିଲ୍ ବ୍ୟାଟେଲ୍ ଟୁ ସେଫ୍ ରାଇଟ୍ସ୍' ଶୀର୍ଷକ ଏନଜିଓର ରିପୋର୍ଟ ଅନୁଯାୟୀ, ୨୦୨୧ ପରଠାରୁ ଭାରତ ‘ଆଂଶିକ ମୁକ୍ତ' ଦେଶ ଶ୍ରେଣୀରେ ରହିଛି ।
ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଗତ ବର୍ଷକ ମଧ୍ୟରେ ୬୦ଟି ଦେଶ ସେମାନଙ୍କର ରାଜନୈତିକ ଅଧିକାର ଏବଂ ନାଗରିକ ସ୍ୱାଧୀନତାରେ ଅବନତି ଅନୁଭବ କରିଛନ୍ତି ଏବଂ ମାତ୍ର ୩୪ଟି ଦେଶରେ ଉନ୍ନତି ଘଟିଛି । ଏଲ୍ ସାଲଭାଡୋର, ହାଇତି, କୁଏତ ଓ ଟୁ୍ୟନିସିଆରେ ଚଳିତ ବର୍ଷ ସର୍ବାଧିକ ସ୍କୋର ହ୍ରାସ ପାଇଥିବା ବେଳେ ବାଂଲାଦେଶ, ଭୁଟାନ, ଶ୍ରୀଲଙ୍କା ଏବଂ ସିରିଆରେ ସର୍ବାଧିକ ସ୍କୋର ବୃଦ୍ଧି ରେକର୍ଡ କରାଯାଇଛି । ଯେଉଁ ଦେଶମାନଙ୍କରେ ପରିସ୍ଥିତି ଖରାପ ହୋଇଥିଲା, ସେଠାରେ ଅଧିକାର ଏବଂ ସ୍ୱାଧୀନତାର ଅବନତିର ମୁଖ୍ୟ କାରଣ ଗୁଡ଼ିକ ହେଲା ହିଂସା ଏବଂ ନିର୍ବାଚନ ସମୟରେ ରାଜନୈତିକ ବିରୋଧୀଙ୍କ ଉପରେ ଦମନ, ଚାଲିଥିବା ସଶସ୍ତ୍ର ସଂଘର୍ଷ ଏବଂ ଏକଛତ୍ରବାଦୀ ଅଭ୍ୟାସର ପ୍ରସାର । ରିପୋର୍ଟରେ କୁହାଯାଇଛି ଯେ ୨୦୨୪ରେ ଭାରତ ସମେତ ଅନେକ ଦେଶରେ ଜାତୀୟ ନିର୍ବାଚନ ହୋଇଥିବା ବେଳେ ଭୋଟରଙ୍କ ପସନ୍ଦକୁ ସୀମିତ କରିବା ପାଇଁ ହିଂସା ଓ ଏକଛତ୍ରବାଦୀ ପ୍ରୟାସ ଯୋଗୁଁ ଅନେକ ପ୍ରତିଦ୍ୱନ୍ଦ୍ୱିତା ବାଧାପ୍ରାପ୍ତ ହୋଇଥିଲା । ୨୦୨୪ରେ ଜାତୀୟ ନିର୍ବାଚନ ହୋଇଥିବା ୪୦ ପ୍ରତିଶତରୁ ଅଧିକ ଦେଶ ଓ ଅଞ୍ଚଳରେ ପ୍ରାର୍ଥୀଙ୍କୁ ହତ୍ୟା ଉଦ୍ୟମ କିମ୍ବା ଆକ୍ରମଣ, ମତଦାନ ସ୍ଥଳ ଉପରେ ଆକ୍ରମଣ କିମ୍ବା ନିର୍ବାଚନ ପରବର୍ତ୍ତୀ ବିକ୍ଷୋଭକୁ ଅସାମାନ୍ୟ ଶକ୍ତିରେ ଦମନ କରାଯାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।
ପ୍ରକୃତ ବିରୋଧୀ ପ୍ରାର୍ଥୀଙ୍କୁ ଏଥିରେ ଭାଗ ନେବାରୁ ରୋକିବା ପାଇଁ ଏକଛତ୍ରବାଦୀ ଦେଶଗୁଡ଼ିକରେ ନିର୍ବାଚନରେ ହେରଫେର କରାଯାଇଛି । ଫ୍ରିଡମ୍ ହାଉସ୍ ଅନୁଯାୟୀ, ଜମ୍ମୁ-କାଶ୍ମୀରରେ ଫେରିଥିବା ନିର୍ବାଚନକୁ ଏନଜିଓ ଭାରତଠାରୁ ଅଲଗା ଭାବେ ଆକଳନ କରିବା ଫଳରେ ଏହି ଅଞ୍ଚଳର ସ୍ଥିତି ‘ନଟ୍ ଫ୍ରି'ରୁ ‘ଆଂଶିକ ମୁକ୍ତ'କୁ ପରିବର୍ତ୍ତନ ହୋଇଥିଲା । ୨୦୧୯ରେ ଭାରତ ସରକାରଙ୍କ ଏହି ଅଞ୍ଚଳର ପୁନର୍ଗଠନ ଏବଂ ଏହାର ସ୍ୱତନ୍ତ୍ର ସ୍ୱୟଂଶାସିତ ମାନ୍ୟତା ପ୍ରତ୍ୟାହାର ଯୋଗୁଁ ହୋଇଥିବା ଅଧିକାରକୁ ଦୀର୍ଘ ଦିନ ଧରି ବିଳମ୍ବିତ ନିର୍ବାଚନ ସମ୍ପୂର୍ଣ୍ଣ ରୂପେ ଦୂର କରିପାରିନଥିଲା, କିନ୍ତୁ ଏହା ସ୍ଥାନୀୟ ଜନସାଧାରଣଙ୍କ ପାଇଁ କିଛି ରାଜନୈତିକ ପ୍ରତିନିଧିତ୍ୱ ପୁନରୁଦ୍ଧାର କରିଥିଲା, ଯେଉଁମାନେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ପ୍ରତ୍ୟକ୍ଷ ସଂଘୀୟ ଶାସନ ଅଧୀନରେ ଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସମଗ୍ର ବିଶ୍ୱରେ ସ୍ୱାଧୀନତାର ସାମଗ୍ରିକ ଅବନତି ସତ୍ତ୍ୱେ ପ୍ରତିଯୋଗିତାମୂଳକ ନିର୍ବାଚନ ଯୋଗୁଁ କିମ୍ବା ଦୀର୍ଘଦିନ ଧରି ଚାଲିଆସୁଥିବା ଏକଛତ୍ରବାଦୀ ଶାସନର ପତନ ପରେ ଅନେକ ଅଞ୍ଚଳରେ ନୂତନ ସରକାର ପ୍ରତିଷ୍ଠା ହୋଇପାରିଛି । ନୂଆ ସରକାରମାନେ ଏବେ ଗଣତାନ୍ତ୍ରିକ ଅନୁଷ୍ଠାନ ନିର୍ମାଣ ଓ ସୁଦୃଢ଼ କରିବା ସହ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ କଠିନ କାର୍ଯ୍ୟର ସମ୍ମୁଖୀନ ହେବେ । ଏକ ସ୍ୱାଧୀନ ନ୍ୟାୟପାଳିକା ଗଣତନ୍ତ୍ରର ଏକ ମୌଳିକ ବୈଶିଷ୍ଟ୍ୟ ବୋଲି ଗୁରୁତ୍ୱାରୋପ କରି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ସମଗ୍ର ବିଶ୍ୱରେ ନିର୍ବାଚିତ ନେତାମାନେ ନ୍ୟାୟିକ ସ୍ୱାଧୀନତାକୁ ଦୁର୍ବଳ କରିବା ପାଇଁ ତିନୋଟି ପ୍ରମୁଖ କୌଶଳ ବ୍ୟବହାର କରୁଛନ୍ତି: ବିଚାରପତିମାନେ କିପରି ଶୃଙ୍ଖଳିତ ହୁଅନ୍ତୁ ତାହା ନିୟନ୍ତ୍ରଣ କରିବା, ନ୍ୟାୟିକ ତଦାରଖର ସୀମା ପରିବର୍ତ୍ତନ କରିବା ଏବଂ ଅଦାଲତ ନିଯୁକ୍ତିକୁ ନିୟନ୍ତ୍ରଣ କରିବା । ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ମଧ୍ୟ ନ୍ୟାୟିକ ନିଯୁକ୍ତି ଉପରେ ଅଧିକ ପ୍ରଭାବ ପକାଇବାକୁ ଚେଷ୍ଟା କରିଛନ୍ତି । ୨୦୧୪ରେ କଲେଜିୟମ ବ୍ୟବସ୍ଥାକୁ ବଦଳାଇବାକୁ ଚେଷ୍ଟା କରିଥିଲେ, ଯେଉଁଥିରେ ନୂତନ ବିଚାରପତିମାନଙ୍କୁ ସେମାନଙ୍କ ସହକର୍ମୀଙ୍କ ଦ୍ୱାରା ମନୋନୀତ କରାଯାଏ ଏବଂ ଏକ ନୂତନ କମିଶନ ଗଠନ କରାଯାଇଥିଲା । ଯେଉଁଥିରେ ବର୍ତ୍ତମାନର ବିଚାରପତିଙ୍କ ବ୍ୟତୀତ ସରକାରଙ୍କ ସଦସ୍ୟମାନେ ମଧ୍ୟ ସାମିଲ ହେବେ । ୨୦୧୫ରେ ସୁପ୍ରିମକୋର୍ଟ ଏହି ଆଇନକୁ ରଦ୍ଦ କରିଥିଲେ, କିନ୍ତୁ ସେବେଠାରୁ ମୋଦି ସରକାର ନିଯୁକ୍ତିରେ ବିଳମ୍ବ କରିଛନ୍ତି ଏବଂ ବିନା ସ୍ପଷ୍ଟୀକରଣରେ କଲେଜିୟମ ଦ୍ୱାରା କରାଯାଇଥିବା ନାମାଙ୍କନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଫଳରେ ନ୍ୟାୟିକ ପଦବୀ ପୂରଣ ହୋଇ ପାରୁ ନଥିବାରୁ ଅଦାଲତରେ ମାମଲା ସଂଖ୍ୟା ଅହେତୁକ ବୃଦ୍ଧି ପାଉଛି । ଛୋଟ ଛୋଟ ପ୍ୟାନେଲରେ ମାମଲାର ଶୁଣାଣି କରୁଥିବା ୩୪ ଆସନ ବିଶିଷ୍ଟ ସୁପ୍ରିମ୍କୋର୍ଟରେ ଏବେ ୭ଟି ପଦବି ଖାଲି ପଡ଼ିଥିବା ବେଳେ ୭୦ ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଯଦିଓ ଭାରତରେ ନ୍ୟାୟପାଳିକା ସରକାରଙ୍କ ଅପାରଗତା ବିରୋଧରେ ପଛଘୁଞ୍ଚା ଜାରି ରଖିଛି, ତଥାପି ଏହା ଅସୁରକ୍ଷିତ ରହିଛି, ଯାହା ଫଳରେ ଗତ ଦଶ ବର୍ଷ ମଧ୍ୟରେ ରାଜନୈତିକ ଅଧିକାର ଏବଂ ନାଗରିକ ସ୍ୱାଧୀନତା ଯଥେଷ୍ଟ ଖରାପ ହୋଇଛି । ୨୦୨୫ରେ ସମଗ୍ର ବିଶ୍ୱର ସ୍ୱାଧୀନତା ଗୁରୁତର ଆହ୍ୱାନର ସମ୍ମୁଖୀନ ହୋଇଛି, ଯେଉଁଥିରେ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ନେତାମାନେ ସେମାନଙ୍କ କ୍ଷମତା ଉପରେ ସଂସ୍ଥାଗତ ନିୟନ୍ତ୍ରଣ କରି ନିଜର ଲକ୍ଷ୍ୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି ବୋଲି ଜୋର ଦେଇ ଫ୍ରିଡମ ହାଉସ୍ "ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଲୋକମାନେ ଘରେ ଗଣତାନ୍ତ୍ରିକ ଅନୁଷ୍ଠାନରେ ନିବେଶ କରନ୍ତୁ, ବିଦେଶରେ ଅଧିକାର ଉପରେ ଆକ୍ରମଣ ଡାକରା ଦିଅନ୍ତୁ, ସ୍ଥାୟୀ ଶାନ୍ତିକୁ ପ୍ରୋସôାହିତ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରନ୍ତୁ, ସେମାନଙ୍କୁ ଆହ୍ୱାନ ଦେଇଛି ଏବଂ ମାନବାଧିକାର କର୍ମୀମାନେ ଯେଉଁଠି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମର୍ଥନ କରିବେ । କେବଳ ନିରନ୍ତର ଏବଂ ସମନ୍ୱିତ ପଦକ୍ଷେପ ହିଁ ବିଶ୍ୱ ସ୍ୱାଧୀନତାରେ ପ୍ରାୟ ଦୁଇ ଦଶନ୍ଧିର ହ୍ରାସକୁ ପ୍ରତ୍ୟାହାର କରିପାରିବ ଏବଂ ଅଧିକ ଦେଶ ସୁରକ୍ଷା, ସମୃଦ୍ଧି ଏବଂ ଗଣତାନ୍ତ୍ରିକ ଶାସନର ଅନ୍ୟାନ୍ୟ ସମସ୍ତ ସୁବିଧା ଉପଭୋଗ କରିବା ସୁନିଶ୍ଚିତ କରିପାରିବ ବୋଲି ରିପୋର୍ଟରେ କୁହାଯାଇଛି ।