ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : କେନ୍ଦୁଝର ମା’ କାଳୀ ତୀର୍ଥ ମଣ୍ଡପରେ ରାଜ୍ୟସ୍ତରୀୟ ସନାତନ ଧର୍ମ ସୁରକ୍ଷା ପରିଷଦ ଆନୁକୂଲ୍ୟରେ ୧୧୪ କୁଣ୍ଡୀୟ ତିନିଦିନାତ୍ମକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ । ମହାଯଜ୍ଞ ଏପ୍ରିଲ ୧୦ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଳିବ ବୋଲି ସନାତନ ଧର୍ମ ସୁରକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କ୍ୁହାଯାଇଛି । ମହାଯଜ୍ଞରେ ୧୧୪ଟି ଯଜ୍ଞ କୁଣ୍ଡ, ୨୨୮ଜଣ କର୍ତ୍ତା, ୨୫୦ରୁ ଊର୍ଦ୍ଧ୍ୱ ବ୍ରାହ୍ମଣ, ୫୦୦ରୁ ଊର୍ଦ୍ଧ୍ୱ ସାଧୁ ସନ୍ୟାସୀଙ୍କ ସହ ଓଡ଼ିଶା ବାହାରୁ ସନାତନୀ ପୁରୋଧାମାନେ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ତାରିଖରେ ଯୋଗ ଦେବେ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି । ୮ ତାରିଖ ସନ୍ଧ୍ୟା ୫ଟାରେ ଅଙ୍କୁରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୨ ତାରିଖ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଛି । ପ୍ରତ୍ୟହ ସନ୍ଧ୍ୟା ୬ରୁ ପାଲା, ଦାଶକାଠିଆ, ପ୍ରବଚନ ଓ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରହିବ । ଏପରିକି ସନ୍ଧ୍ୟା ୭ଟାରୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଆବାହକ ନିରଞ୍ଜନ ଦାଶ ଯଜ୍ଞର ଉଦ୍ଦେଶ୍ୟ ଏବଂ ମହତ୍ୱ ଉପରେ ଆଲୋଚନା କରିଥିଲେ । ମନୋରଞ୍ଜନ ପାଢ଼ୀ, ଆଡ଼ଭୋକେଟ ଡ. ଦେବଦତ୍ତ ଷଡ଼ଙ୍ଗୀ ଯଜ୍ଞର ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ସଭାପତି ମଧୁସୂଦନ ମିଶ୍ର ଯଜ୍ଞ ପାଇଁ ହୋଇଥିବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ । ସୁବାହୁ ଦାଶ ଯଜ୍ଞର କାର୍ଯ୍ୟସୂଚୀ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଳୀତୀର୍ଥ ପରିଚାଳନା କମିଟିର ଅଜୟ କୁମାର ମିଶ୍ର, ବାବା ଯୋଗେନ୍ଦ୍ର ମହାରାଜ ଓ ରତିକାନ୍ତ ପତିଙ୍କ ସହ ବିଭିନ୍ନ ବ୍ୟକ୍ତି ବିଶେଷମାନେ ଉପସ୍ଥିତ ଥିଲେ ।