ବୈଶିଙ୍ଗା ଡାକ୍ତରଖାନାକୁ ସିଏଚ୍ସି ମାନ୍ୟତା ଦାବି

 ବୈଶିଙ୍ଗା : ମୟୂରଭଞ୍ଜ ମହାରାଜାଙ୍କ ଦ୍ୱାରା ସ୍ଥାପିତ ବୈଶିଙ୍ଗା ସ୍ଥିତ ଶହେ ବର୍ଷର ପୁରାତନ ଡାକ୍ତରଖାନାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ମିଳିବା ନେଇ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । 
ପ୍ରକାଶ ଯେ, ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱରେ ୧୯୨୫ ମସିହାରେ ତତ୍କାଳୀନ ମୟୂରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ଦ୍ୱାରା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତରେ ଉଭୟ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରତିଷ୍ଠା କରାଯାଇଥିଲା ଏହି ଚିକିତ୍ସାଳୟ । ସେବେ ଠାରୁ ଦୀର୍ଘ ଶହେ ବର୍ଷ ଧରି ଉଭୟ ଜିଲ୍ଲାର ଆଖପାଖି ୨୦ଟି ପଞ୍ଚାୟତର ଲକ୍ଷାଧିକ ଲୋକଙ୍କ ଜୀବନରେଖା ସାବ୍ୟସ୍ତ ହୋଇ ଆସୁଛି ଏହି ଶତାୟୁ ଚିକିତ୍ସାଳୟ । ମାତ୍ର ଦେଶ ସ୍ୱାଧୀନତା ସମୟରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ସହ ଓଡ଼ିଶାର ମିଶ୍ରଣ ହେବା ପରେ ଏହି ଡାକ୍ତରଖାନାକୁ ଲଗାତର ଉପେକ୍ଷା କରାଯାଉଥିବାରୁ ଡାକ୍ତରଖାନାର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡି ଯାଉଥିବା ଅଭିଯୋଗ କରି ଗତ ୨୦୨୩ ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ଦିନ ଠାରୁ ୧୨ ଦିନ ଧରି ଅହୋରାତ୍ର ଗଣଧାରଣା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଚାଲିଥିଲା । ଏହା ପରେ ଶୀର୍ଷ ନେତୃମଣ୍ଡଳୀଙ୍କ ଡାକରା ପାଇ ବିକାଶ ପରିଷଦର ସଦସ୍ୟମାନେ ଭୁବନେଶ୍ୱର ଠାରେ ପ୍ରଣବ ପ୍ରକାଶ ଦାସଙ୍କ ସହ ବିଚାର ଆଲୋଚନା ପରେ ଖୁବଶୀଘ୍ର ଏହାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ଦିଆଯିବାର ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଇତିମଧ୍ୟରେ ଦୁଇବର୍ଷ ବିତିଯାଇଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ । ଏହି ପ୍ରତିଶ୍ରୁତି ବାବଦରେ ଚଳିତ ବିଧାନସଭାର ଅଧିବେଶନରେ ବିଧାୟକ ସନାତନ ବିଜୁଳି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଲ୍ଲେଖ ଯେ, ଅଦ୍ୟାବଧି ଅଭିଜ୍ଞ ଡାକ୍ତର ନାହାନ୍ତି, ରୋଗୀ ସଂଖ୍ୟା ବଢୁଥିଲେ ମଧ୍ୟ ବେଡ୍ ଅଭାବରୁ ଇନଡୋର ପେସେଣ୍ଟ ରହୁନାହାନ୍ତି । ପ୍ରସୂତୀ ବିଶେଷଜ୍ଞ ଡାକ୍ତର ନ ଥିବାରୁ ପ୍ରସୂତି ରୋଗୀଙ୍କୁ ରେଫର କରିଦିଆଯାଉଛି । ରେଫର ସମୟରେ ଆମ୍ବୁଲାନ୍ସ ଭିତରେ ଡେଲିଭରି ହୋଇଯାଇଥିବାର ଆଶା କର୍ମୀ ମାନେ ପ୍ରକାଶ କରିଛନ୍ତି । ତେଣୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ସେବାର ସୁଧାର ଆଣିବା ସହିତ ଖୁବ୍ଶୀଘ୍ର ଏହାକୁ ସିଏଚ୍ସି -୨ କରିବାକୁ ଦାବି ହେଉଛି ।