ବୃଦ୍ଧି ପାଉଛି ଧଳାଜହର କାରବାର ; କବଳରେ ୧୫ ରୁ ୧୭ ବର୍ଷର ଯୁବପୀଢ଼ି
କୁଆଖିଆ : ଏହି ଥାନା ଅଞ୍ଚଳରେ ଡ୍ରଗ୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି । କୁଆଖିଆ, ହରିପୁର, ବାରବାଟୀ, ମଧୁବନ, ନଠୁଆବର, ଯାବରା, ଶ୍ରୀବନ୍ତପୁର ପ୍ରଭୃତି ମୁଖ୍ୟ ସ୍ଥାନ ମାନଙ୍କରେ ଏହି ଆତ୍ମଘାତୀ ନିଶା କାରବାର ହେଉଥିବା ବେଳେ ବିଭିନ୍ନ ଅପରାଧିକ ଘଟଣା ଘଟୁଛି । ଏପରିକି ଗ୍ରାମାଞ୍ଚଳ ଠୁ ବଜାର ଛକ ମାନଙ୍କରେ ମଦ, ଗଞ୍ଜେଇ, ହେରୋଇନି, ଚରସ, ନିଶା ସିଗାରେଟ୍ ପର୍ଯ୍ୟନ୍ତ ତାର କାୟା ବିସ୍ତାର କରି ଚାଲିଛି । ଏହିବ୍ୟବସାୟ ବିଭିନ୍ନ ଜାଗାର ପାନ ଦୋକାନରେ ବିନା ବାଧାରେ ଚାଲିଥିବା ବେଳେ, ବିଶେଷକରି କୋମଳମତି ବାଳକ, ସ୍କୁଲ, କଲେଜ୍ ପଢୁଆ ପିଲାମାନେ ଏବେ ଏହି ନିଶା ଦ୍ୱାରା ବେଶି ପ୍ରଭାବିତ ହେଉଥିବା ଦେଖାଯାଉଛି । ୧୫ ବର୍ଷରୁ ୧୭ ବର୍ଷର ପିଲାମାନେବିଭିନ୍ନ ବଜାର ଛକ ନିକଟରେ ଥିବା ନିଶା ପଏଣ୍ଟ ମାନଙ୍କରେ ଆସର କରୁଥିବା ବେଳେ ନିଶାଖାଇ ଘରେ ଅଭିଭାବକ ମାନଙ୍କ ସହିତ ଜୁଲମ୍ କରି ଟଙ୍କା, ସୁନା ଓ ଚାଉଳ ଚୋରି କରି ବିକ୍ରି କରୁଥିବା ଜଣାପଡିଛି । ଏପରିକି ଟଙ୍କା ନଦେଲେ ଅଭିଭାବକଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ୍ ଦେବା ନିଶା ଖାଇ ବିଳମ୍ବିତ ରାତିରେ ଲୋକଙ୍କ ଘରେ ପଶି ଶୋଇଥିବା ମହିଳା ମାନଙ୍କୁ ଅସଦାଚରଣ କରିବା ପରି ଅପରାଧିକ ଘଟଣା ବୃଦ୍ଧି ପାଉଛି । ଏଥିସହିତ ଏହି ବ୍ୟବସାୟକୁ କିଛି ଲୋକ ଅତ୍ୟଧିକ ଲାଭଜନକ ବ୍ୟବସାୟ ଧରି ନେଇଥିବା ବେଳେ ଏହାକୁ ସନ୍ଦେହମୁକ୍ତ ପାଇଁ ମହିଳା ମାନଙ୍କୁ ସମ୍ପୃକ୍ତ କରାଯାଉଥିବା ଶୁଣିବାକୁ ମିଳୁଛି । ତେବେ ଏହାକୁ ରୋକିବା ପାଇଁ ପୁଲିସ ଓ ଅବକାରୀ ବିଭାଗ ଥିବାବେଳେ ଏଥିପ୍ରତି ଧ୍ୟାନ ନଦେଇ କେବଳ ମଦ, ଗଞ୍ଜେଇ ଉପରେ ଫୋକସ କରୁଛନ୍ତି । ଯାହା ଫଳରେ ଡ୍ରଗ୍ସ ବେପାରୀ ନିର୍ଦ୍ୱନ୍ଦରେ ସେମାନଙ୍କ ବେପାର କରୁଥିବା ଜଣାପଡିଛି । ଯାହା ପାଇଁ ସାହି ଠୁ ସର୍ବସାଧାରଣ ସ୍ଥାନ ଗୁଡିକ ଅସୁରକ୍ଷିତ ହୋଇପଡିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ, ପୁଲିସ୍ ପ୍ରଶାସନ କଡା ପଦକ୍ଷେପ ନେବା ପାଇଁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍, ସମାଜସେବୀ ଦାବି କରିଛନ୍ତି ।