ଟ୍ରେନ ଧକ୍କାରେ ୨ ଶ୍ରମିକ ମୃତ
ଯଖପୁରା/ଦାନଗଦୀ: ରବିବାର ଦିବା ୧ଘଟିକା ସମୟରେ ଟ୍ରେନ ଧକ୍କାରେ ଦୁଇଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତ ଶ୍ରମିକ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲା କୁନାରପୁର ଗ୍ରାମର ଲାଲୁ ଦିଗାର(୪୫) ଓ ସାଖର ଦିଗାର(୩୫) ହୋଇଥିବା ବେଳେ ଏମାନେ ପୂର୍ବତଟ ରେଳପଥର ଯଖପୁରାରୁ ଜେନାପୁର ପର୍ଯ୍ୟନ୍ତ ଚାଲିଥିବା ରେଳ କେବୁଲ ଲାଇନ ବିଛା କାର୍ଯ୍ୟରେ ନିୟୋଜିତ ଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, କେବୁଲ ବିଛା କାର୍ଯ୍ୟରେ ୧୦ରୁ ୧୨ ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ବର୍ଷା ହେବାରୁ ସମସ୍ତେ ଖାଇବାକୁ ଯଖପୁରା ଷ୍ଟେସନ ଅଭିମୁଖେ ଆସିଥିଲେ । ତେବେ ଏହି ସମୟରେ ଡାଉନଲାଇନରେ ବା ଜେନାପୁର ପଟୁ ପୁରୀରୁ ଆନନ୍ଦ ବିହାର ଅଭିମୁଖେ ଯାଉଥିବା ଆନନ୍ଦ ବିହାର ଏକ୍ସପ୍ରେସ ଦ୍ରୁତଗତିରେ ମାଡ଼ିଆସିଥିଲା । ଟ୍ରେନ ଆସୁଥିବାର ଦେଖି ଅନ୍ୟ ଶ୍ରମିକମାନେ ଦୌଡ଼ି ଟ୍ରାକ ବାହାରକୁ ଚାଲିଯାଇଥିଲେ । ହେଲେ ଉପରୋକ୍ତ ଦୁଇ ଶ୍ରମିକ ଟ୍ରାକରୁ ଯିବା ପୂର୍ବରୁ ଟ୍ରେନ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳ ବା କେନ୍ଦୁଡିପ ଲେବୁଲ କ୍ରସିଂ ନିକଟରେ ଦୁଇଜଣଙ୍କ ମୃତୁ୍ୟ ଘଟିଥିଲା । ଜଣେ ଶ୍ରମିକର ମୁଣ୍ଡ-ଗଣ୍ଡି ଅଲଗା ହୋଇଯାଇଥିବା ବେଳେ ଅନ୍ୟଜଣଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । କାର୍ଯ୍ୟରେ ନିୟୋଜିତ ସମସ୍ତ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବା ବେଳେ ସେମାନେ କେଉଁ ଠିକାଦାର ଅଧିନରେ କେବୁଲ ବିଛା କାର୍ଯ୍ୟରେ ନିୟୋଜିତ ଥିଲେ ଜଣାପଡ଼ିନାହିଁ । ଏପରିକି ଜିଆରପି କି ଆରପିଏଫ ମଧ୍ୟ ଏହାର ସନ୍ଧାନ ପାଇପାରିନି । ଶ୍ରମିକଙ୍କ ମୃତୁ୍ୟ ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଁଚି ଶବକୁ ରଖି ପରିବାର ପାଇଁ କ୍ଷତିପୂରଣ ଦାବି କରିଥିଲେ । ତେବେ ଯାଜପୁର ରୋଡ଼ ଜିଆରପି ଏବଂ ଆରପିଏଫ ପହଁଚି ଠିକାଦାରଙ୍କ ସନ୍ଧାନ ନେବାରେ ବିଫଳ ହେବା ପରେ ଲୋକଙ୍କୁ ବୁଝାସୁଝା କରି ଶବ ଜବଦ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ମେଡ଼ିକାଲକୁ ପଠାଇଥିଲେ । ରେଳବାଇ ପୁଲିସ ଏସପି ଘଟଣା ସଂପର୍କରେ ଅଧିକାରୀଙ୍କୁ ପଚାରି ବୁଝିଥିବା ଜଣାପଡ଼ିଛି । ବ୍ୟବଚ୍ଛେଦ ପରେ ଶବକୁ ଆସନ୍ତାକାଲି ପଶ୍ଚିମବଙ୍ଗକୁ ପଠାଯିବ ବୋଲି ରେଳବାଇ ପୁଲିସ ପକ୍ଷରୁ କୁହାଯାଇଛି ।