ବୃଦ୍ଧି ପାଉଛି ବନ୍ୟଜନ୍ତୁ ଶିକାର
ରାଜ୍ୟର ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଗୁଡ଼ିକରେ ଦିନକୁ ଦିନ ଶିକାରୀମାନେ ଅନୁପ୍ରବେଶ କରି ବିରଳ ଜୀବଜନ୍ତୁମାନଙ୍କୁ ଶିକାର କରୁଥିବା ଘଟଣା ବଢିଚାଲିଛି । ଜଙ୍ଗଲରେ ଆଉ ଜୀବଜନ୍ତୁ ସୁରକ୍ଷିତ ନୁହଁନ୍ତି । ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁମାନଙ୍କର ଶିକାର ଏବଂ ହତ୍ୟା ସମ୍ପର୍କିତ ପରିସଂଖ୍ୟାନ ଏବେ ଚିନ୍ତାଜନକ ହୋଇ ପଡ଼ିଲାଣି । ଜଙ୍ଗଲରେ ଜନ୍ତୁମାନଙ୍କୁ ସୁରକ୍ଷା ଦେବା ପାଇଁ ଶିକାରୀ ଏବଂ ବନ୍ୟଜନ୍ତୁଙ୍କର ଅଙ୍ଗପ୍ରତ୍ୟଙ୍ଗର ତସ୍କରୀ ରୋକିବା ପାଇଁ ଗଠିତ ହୋଇଥିବା ସ୍ପେସାଲ୍ ଟାସ୍କଫୋର୍ସ୍ ବର୍ତ୍ତମାନ ଏକପ୍ରକାରର ଅଚଳ ଅବସ୍ଥାରେ ରହିଛି । ଗତ ୪-୫ ମାସ ହେଲା ଏଭଳି କିଛି ଉଲ୍ଲେଖନୀୟ ଚଢ଼ାଉ ହୋଇନାହିଁ ।
ଚଳିତବର୍ଷ ନଭେମ୍ବର ମାସ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭ଟି କଲରାପତରିଆ ବାଘର ଛାଲ ଏବଂ ୩ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଗତ ୬ ବର୍ଷ ମଧ୍ୟରେ ୬୧ଟି ବାଘଛାଲ ଜବତ୍ କରାଯାଇଛି । ଏଥିମଧ୍ୟରୁ ୫୯ଟି ହେଉଛି କଲରାପତରିଆ ବାଘ ଛାଲ ଏବଂ ଦୁଇଟି ମହାବଳ ବାଘ ଛାଲ । ଏଥିସହିତ ୨୭ଟି ହାତୀଦାନ୍ତ, ୧୧ଟି ହରିଣ ଚମଡ଼ା, ୨୩ଟି ବଜ୍ରକାପ୍ତା ଏବଂ ୪୨ କିଲୋ ବଜ୍ରକାପ୍ତାକାତି ଜବତ୍ କରାଯାଇଛି । ଏସବୁ ଜବତ୍ ସହିତ ୧୦୧ଟି ମାମଲା ରୁଜ୍ଜୁ କରାଯାଇଛି । ଏଥିରେ ୨୩୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ୨୦୧୮ରୁ ୨୩ ମଧ୍ୟରେ ଏଭଳି ଧରପଗଡ଼ ଏବଂ ପଦକ୍ଷେପ ନିଆଯାଇଥିବା ବେଳେ କେବଳ ୨୦୨୩ ମସିହାରେ ୧୪ଟି କଲରା ପତରିଆ ବାଘ ଛାଲ, ଗୋଟିଏ ମହାବଳ ବାଘ ଛାଲ, ୫ଟି ହରିଣ ଛାଲ ଏବଂ ୧୦ଟି ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବନ୍ୟଜନ୍ତୁମାନଙ୍କର ଅଙ୍ଗପ୍ରତ୍ୟଙ୍ଗର ତସ୍କରୀ ସମ୍ପର୍କିତ ଆର୍ଥିକ କାରବାରର ତଦନ୍ତ କରିବା ପାଇଁ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟକୁ ତଦନ୍ତଭାର ଦିଆଯାଇଥିଲା । ଦୁଇଟି ବାଘଛାଲ ଏବଂ ହାତୀଦାନ୍ତ ଜବତ୍ ଘଟଣାରେ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ନିଜ ତରଫରୁ ମଧ୍ୟ ତଦନ୍ତ କରିଥିଲା । ସେମାନଙ୍କ ରୋଜଗାରର ଉତ୍ସ, ଆର୍ନ୍ତଜାତିକ ସମ୍ପର୍କ ଆଦିର ତଦନ୍ତ ହେଉଥିଲା । ହେଲେ ଏହି ତଦନ୍ତରୁ କିଛି ଫଳାଫଳ ମିଳିିପାରୁନାହିଁ । କୌଣସି ପ୍ରକାରର ଆଇନ୍ଗତ ପଦକ୍ଷେପ ଆଖିଦୃଶିଆ ଭାବରେ ନିଆନଯିବା ଏବଂ ଦଣ୍ଡବିଧାନ ହେବା ଭଳି ଘଟଣା ଘଟୁନଥିବାରୁ ବନ୍ୟଜନ୍ତୁ ଶିକାର ପୁଣିଥରେ ବଢ଼ିଚାଲିଛି । ଶିକାରୀମାନେ ଆଉ ପ୍ରାୟତଃ କାହାରିକୁ ଭୟ କରୁନାହାନ୍ତି । କେତେକ ସ୍ଥାନରେ ଦେଖାଗଲାଣି ଯେ ଶିକାରୀମାନେ ସେମାନଙ୍କ ଅଞ୍ଚଳ ଛାଡ଼ି ବାହାରକୁ ଯାଉନାହାନ୍ତି । ସେମାନଙ୍କ ଠାରୁ ବନ୍ୟଜନ୍ତୁଙ୍କର ଅଙ୍ଗପ୍ରତ୍ୟଙ୍ଗ, ଛାଲ ଆଦିକୁ ମଧ୍ୟସ୍ତିମାନେ ନେଇ ଅନ୍ୟ ସ୍ଥାନରେ ବିକ୍ରି କରୁଛନ୍ତି । ଏ ପ୍ରକାରର ଏକ ବ୍ୟବସାୟ ଫଳରେ ସେମାନଙ୍କ ବାହାରର ସମ୍ପର୍କକୁ ଧରି ହେଉନାହିଁ । ସ୍ଥାନୀୟ ଭାବରେ କିଛି ପ୍ରଭାବଶାଳୀ ଲୋକ ମଧ୍ୟ ଏ ପ୍ରକାରର କାରବାରରେ ପରୋକ୍ଷ ଭାବରେ ସମ୍ପୃକ୍ତ ଥିବା ଦେଖାଯାଉଛି । ମୋଟ୍ ଉପରେ ବନ୍ୟଜନ୍ତୁମାନଙ୍କ ସୁରକ୍ଷାକୁ ନେଇ ସର୍ବସାଧାରଣରେ ଏକ ସଚେତନତା ସୃଷ୍ଟି କରାନଯିବା ପର୍ଯ୍ୟନ୍ତ ସେମାନଙ୍କ ଶିକାରକୁ ରୋକାଯାଇପାରିବ ନାହିଁ । ପରିବେଶର ଭାରସାମ୍ୟ ରକ୍ଷା ଦିଗରେ ବନ୍ୟଜନ୍ତୁ ମାନଙ୍କର ସୁରକ୍ଷା ଜରୁରୀ ।
ଅନ୍ୟପକ୍ଷରେ ବିଭିନ୍ନ ପ୍ରକାରର ଅନ୍ଧବିଶ୍ୱାସକୁ ନେଇ ଲୋକମାନେ ବନ୍ୟଜନ୍ତୁମାନଙ୍କର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହିସବୁ ଅନ୍ଧବିଶ୍ୱାସକୁ ଦୂର କରାନଗଲେ ନିର୍ଦ୍ଦିଷ୍ଟ କେତେକ ପ୍ରଜାତିର ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ଅସମ୍ଭବ ହୋଇପଡିବ । ରାଜ୍ୟର କେତୋଟି ଜିଲ୍ଲାରେ ଭାଲୁ ମାଂସକୁ ନେଇ କିଛି ଗୁଜବ ପ୍ରଚାର କରାଯାଇଛି । ଏହା ଫଳରେ ସେହି କେତୋଟି ଜିଲ୍ଲାରେ ଭାଲୁ ଏକପ୍ରକାରର ଲୋପ ପାଇ ଯାଇଛନ୍ତି । ଗୋଧିକୁ ନେଇ ମଧ୍ୟ କିଛି ଅନ୍ଧବିଶ୍ୱାସ ପ୍ରଚାର କରାଯାଇଥିବାରୁ ଗୋଧିମାନଙ୍କର ସଂଖ୍ୟା ଧୀରେ ଧୀରେ କମିଯାଉଛି । ତେଣୁ ଏ କ୍ଷେତ୍ରରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ସହିତ ଜନଚେତନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଅଛି ।