ବେଆଇନ ବାଲି ବୋଝେଇ ଗାଡ଼ି ଜବତ
ରାଜନଗର: ରାଜନଗର ବ୍ଲକର ପ୍ରବେଶଦ୍ୱାର ସାନବଡ ଗୋପାଳପୁର ବୀଣାପାଣୀ ବଜାର ଛକରେ ବେଆଇନ ବାଲି ବୋଝେଇ ୪ଟି ହାଇୱା ଓ ଗୋଟିଏ ଟ୍ରାକ୍ଟରକୁ କେନ୍ଦ୍ରାପଡା ଖଣି ବିଭାଗ କନିଷ୍ଠ ଅଧିକାରୀ ଦିନେଶ ମହାପାତ୍ର ଜବତ କରିଥିଲେ । ଗାଡିଗୁଡିକର ମାଲିକମାନେ ଜୋରଜବରଦସ୍ତ ଗାଡିଗୁଡିକର ଚାବି ଛଡାଇ ନେବା ସହ ତାଙ୍କୁ ସର୍ବସାଧାରଣରେ ଅସମ୍ମାନୀତ କରିଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି । କନିଷ୍ଠ ଅଧିକାରୀ ଶ୍ରୀ ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ଗୁରୁବାର ଦିନ ସାନବଡଗୋପାଳପୁର ଛକରେ ବେଆଇନ ବାଲି ବୋଝେଇ କରି ଆସୁଥିବା ଗାଡିଗୁଡିକୁ ଜବତ କରିଥିଲେ । ଏନେଇ ରାଜନଗର ଥାନାକୁ ସୂଚନା ଦେବା ପରେ କର୍ମଚାରୀମାନେ ପହଂଚିଥିଲେ । ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଗାଡି ମାଲିକ ଓ ତାଙ୍କ ସମର୍ଥକମାନେ ଜୋରଜବରଦସ୍ତ ତାଙ୍କଠାରୁ ଚାବି ଛଡାଇ ନେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ଘଟଣାସ୍ଥଳରୁ ଗାଡି ନେଇ ଉଭାନ ହୋଇଯାଇଥିଲେ । ପୋଲିସ ପହଂଚି ଜବତ କରିବା ସହ ସେମାନଙ୍କ ନାମରେ ୧୫୩/୨୫ରେ ମାମଲା ରୁଜୁ କରିଛି । ତଦନ୍ତ ଚାଲୁ ରହିଛି ବୋଲି ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।