ସାମ୍ବାଦିକଙ୍କ ପୁତ୍ରକୁ ଆକ୍ରମଣ; ଥାନାରେ ଏତଲା


 ବ୍ୟାସନଗର: ରବିବାର ରାତିରେ ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀଙ୍କ ପୁଅ ଅଭିଜିତଙ୍କୁ ବନ୍ଧୁକ ମୁନରେ ଉଠାଇ ନେଇ ଆକ୍ରମଣ କରିବା ସହ ସୁନା ଚେନ ଓ ଟଙ୍କା ଲୁଟି ନେଇଥିବା ବେଳେ ଏନେଇ ଆଜି ଯାଜପୁର ରୋଡ଼ ଥାନାରେ ହୋଇଛି ଅଭିଯୋଗ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରି ଆକ୍ରମଣ ସ୍ଥଳରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜ୍ ଯାଞ୍ଚ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛି । ଆକ୍ରମଣକାରୀଙ୍କ ମଧ୍ୟରୁ ୩ଜଣ ଚିହ୍ନଟ ହୋଇପାରିଥିବା ବେଳେ ପୁଲିସ ସେମାନଙ୍କୁ ଠାବ କରିବାକୁ ଚଢାଉ କରିଛି । ଯାଜପୁର ରୋଡ଼ ଥାନାରେ ସାମ୍ବାଦିକ ଶ୍ରୀ ବାନାର୍ଜୀ କରିଥିବା ଅଭିଯୋଗ ଅନୁଯାୟୀ ଗତ ରବିବାର ରାତି ପ୍ରାୟ ସାଢେ ୮ଟା ସମୟରେ ତାଙ୍କ ପୁଅ ଅଭିଜିତ ଏବଂ ତାର ଜଣେ ସାଙ୍ଗ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଏକ ଗୁପଚୁପ ଖାଉଥିବା ବେଳେ ଉକ୍ତ ସ୍ଥାନରେ ୬-୭ଜଣ ବାଇକରେ ପହଞ୍ଚି ପୁଅକୁ ହଠାତ ଗାଳିଗୁଲଜ କରିଥିଲେ । ପୁଅ ଅଭିଜିତ କାହିଁକି ଗାଳି ଗୁଲଜ କରୁଛନ୍ତି ବୋଲି ପଚାରିବାରେ ସେମାନେ ହଠାତ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଅଭିଜିତକୁ ଏକ ବାଇକ୍ରେ ବସାଇ ବସଷ୍ଟାଣ୍ଡ ବାଇପାସ୍ ନିକଟରେ ଥିବା ଏକ ଦୋକାନ ପାଖକୁ ନେଇଯାଇ ସେଠାରେ ମାରଧର କରିବା ସହ ପିନ୍ଧିଥିବା ସୁନା ଚେନ ଏବଂ ପାଞ୍ଚଶହ ୭୫ଟଙ୍କା ନେଇ ଚମ୍ପଟ ମାରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ପୂର୍ବକ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୁଲିସ ଆକ୍ରମଣ ସ୍ଥଳରେ ଥିବା ଏକ ଦୋକାନର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଆକ୍ରମଣକାରୀଙ୍କ ମଧ୍ୟରୁ ୩ଜଣ କୋରେଇ ଥାନା ଅନ୍ତର୍ଗତ କଣ୍ଟାଝରୀ ଗ୍ରାମର କାଠିଆ ନାୟକଙ୍କ ପୁଅ ଦୀପକ ଓ ଶୁଭମ ପଣ୍ଡାଙ୍କ ପୁଅ ଲିଟୁ, ଟୁକୁନା ଟୁକୁନା ନାୟକଙ୍କ ପୁଅ ଆଦିତ୍ୟ ବୋଲି ଜଣାପଡିଛି । ପୁଲିସ ଏହି ଦୁଇଜଣଙ୍କୁ ଠାବ କରିବା ପରେ ଅନ୍ୟ ମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଜାରୀ ରଖିଛି । ଏଭଳି ଘଟଣାକୁ ନେଇ ସହରରେ ତୀବ୍ର ପ୍ରତିକିୟା ପ୍ରକାଶ ପାଇଛି ।