ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ
ଯାଜପୁର : ସୁକିନ୍ଦା ମହାବିଦ୍ୟାଳୟ ଠାରେ ଜିଲା ପ୍ରଶାସନ ପକ୍ଷରୁ ନିଯୁକ୍ତି ଭିତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରି ଆମ ଜିଲ୍ଲାର ନିଯୁକ୍ତିର ସମ୍ଭାର ସୃଷ୍ଟି ହେଉଛି । ଜିଲ୍ଲାପ୍ରଶାସନ ଏବଂ ଜିଲା ଖଣିଜ ପ୍ରତିଷ୍ଠାନ ସହାୟତାରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭,୦୦୦ରୁ ଉର୍ଦ୍ଧ୍ୱ ଆଶାୟୀ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ଲବ୍ଧ ପ୍ରତିଷ୍ଠିତ ସଂସ୍ଥା ଦ୍ୱାରା ତାଲିମ ପ୍ରଦାନ କରାଯାଇ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରାଯିବ । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ କହିଥିଲେ ଯେ, କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଜିଲାର ଆଶାୟୀ ଯୁବକ ଓ ଯୁବତୀମାନଙ୍କୁ ଦେଶର ପ୍ରତିଷ୍ଠିତ ସଂସ୍ଥା ଏବଂ ଅନୁଷ୍ଠାନ ଅଧୀନରେ ତାଲିମ ପ୍ରଦାନ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିବା । ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଅତିଥିମାନଙ୍କ ପରିଚୟ ପ୍ରଦାନ, ସୁକିନ୍ଦା ବିଡ଼ିଓ ପ୍ରଜ୍ଞାପରିମିତା ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଟିମ୍ ଲିଡର ଡ.ସତ୍ୟସ୍ୱରୂପ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସ୍କିଲ୍ କାଉନସିଲ୍ ଅଫ୍ ମାଇନିଙ୍ଗ ସେକ୍ଟର୍, ସିଟିଟିସି, ସିପେଟ୍, ଓକେଶିଏଲ୍ ଆଦି ପ୍ରତିଷ୍ଠିତ ସଂସ୍ଥା ଏବଂ ଅନୁଷ୍ଠାନଗୁଡ଼ିକ ସେମାନଙ୍କ ଦକ୍ଷତା କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ ଦକ୍ଷତା ବିକାଶ ସଂସ୍ଥା ଏବଂ ବହୁ ଯୁବକ ଓ ଯୁବତୀ ଯୋଗ ଦେଇଥିଲେ ।