ବେଆଇନ୍ ବାଲି ଘାଟ ବନ୍ଦ ଦାବି
କୁଆଖିଆ: ରସୁଲପୁର ତହସିଲ ଅଞ୍ଚଳରେ ଦିନକୁଦିନ ବେଆଇନ୍ ବାଲିଘାଟ ଗୁଡିକ ସକ୍ରିୟ ହୋଇଥିବା ବେଳେ, ପ୍ରତ୍ୟେକ ଦିନ ଶହଶହ ଗାଡି ଚୋରାବାଲି ଚାଲାଣ ହେଉଛି । ଏଥି ମଧ୍ୟରେ ଯାବରା, ସୁକଦେଇପୁର, ନୁଆହାଟ, କଲଣ, ଅତଲାପୁର, ପ୍ରଥମାଖଣ୍ଡ ପରି ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରୁ ପ୍ରତ୍ୟେକ ଦିନ ଶହଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଛି । ଏହି ବେଆଇନ ଚୋରା ଚାଲାଣକୁ ରୋକିବା ନେଇ ପ୍ରଶାସନକୁ ଅଭିଯୋଗ ହେଉଥିଲେ ମଧ୍ୟ ରୋକା ଯାଇପାରୁନି । ଏଭଳି ଅଭିଯୋଗ ଆମ୍ବେଦକର ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ କରାଯାଇଛି । ଏହାର ସଭାପତି ଗୟାଧର ମଲିକ୍ଙ୍କ ସହ ଅକ୍ଷୟ କୁମାର ମଲିକ୍, ଦୁଷ୍ମନ୍ତ ଜେନା, କାର୍ତିକ ଚନ୍ଦ୍ର ମଲିକ, ନାରାୟଣ ମଲିକ, ଚନ୍ଦନ ମଲିକ୍ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛନ୍ତି । ଟ୍ରଷ୍ଟ୍ ସଭାପତିଙ୍କ ଅଭିଯୋଗ ଅନୁଯାୟୀ ତହସିଲ ଅଞ୍ଚଳର ଏହି ଚୋରା ବାଲି ସମ୍ପର୍କରେ ପୂର୍ବରୁ ପ୍ରଶାସନିକ ଅଧିକାରୀଙ୍କୁ ସଙ୍ଘ ପକ୍ଷରୁ ଲିଖିତ ଜଣାଇବା ପରେ ଖଣ୍ଡିତର ଘାଟରୁ କିଛିଦିନ ଧରି ବାଲି ଉତ୍ତୋଳନ ବନ୍ଦ୍ ରହିଥିଲା । ଏବେ କିଛି ଦିନର ବ୍ୟବଧାନ ପରେ ବର୍ତ୍ତମାନ ବାଲି ଚାଲାଣକାରୀ ମାନେ ସକ୍ରିୟ ହୋଇ ବାଲିକୁ ଚୋରା ଚାଲାଣ ଓ ଷ୍ଟକ୍ କରୁଥିବା ଦେଖାଯାଉଛି । ଯାହାଦ୍ୱାରା ନଦୀତଟ ପରିବେଶ ନଷ୍ଟ ହେବା ସାଙ୍ଗକୁ ସରକାରଙ୍କ ରାଜସ୍ୱ ହାନୀ, ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବିପଦ ସହିତ ବାଲି ବୋଝେଇ ଗାଡି ଗୁଡିକ ରାସ୍ତା ଦୁର୍ଘଟଣା ପରି ସମସ୍ୟା ସୃଷ୍ଟି କରୁଛନ୍ତି । ଅନ୍ୟପକ୍ଷରେ ଏହି ଘାଟ ଗୁଡିକ ମଧ୍ୟରୁ ବାଲି ଉଠାଇବା ପାଇଁ ସରକାରୀ ନିଲାମ୍ ବ୍ୟବସ୍ଥା ନଥିବା ବେଳେ ଖଣ୍ଡିତର ଘାଟ ରସୁଲପୁର ତହସିଲ ଅଧିନରେ କି କୋରେଇ ତହସିଲ ଅଧିନ ତାହା ତଦନ୍ତ ସାପେକ୍ଷ ବୋଲି କହିବା ସହିତ ଏହି ଘାଟ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସଲାସୁତୁରାରେ ଚାଲିଛି ବୋଲି ଅଭିଯୋଗ କରିଥିଲେ । ତେବେ ଏସମ୍ପର୍କରେ ଜିଲ୍ଲାପାଳ ଯାଜପୁର ଏବଂ ଜିଲା ଖଣି ଅଧିକାରୀଙ୍କୁ ଟ୍ରଷ୍ଟ୍ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଯଦି ପ୍ରଶାସନ ଚୋରା ବାଲି ଚାଲାଣକୁ ରୋକିବାକୁ ପଦକ୍ଷେପ ନନିଏ ତେବେ ଆଗାମୀ ଦିନରେ ସଙ୍ଘ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନି ଦିଆଯାଇଛି ।