ବେଧଡକ ଚାଲିଛି ବାଲି ଚୋରା ଚାଲାଣ
ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ସହର ଦେଇ ପ୍ରବାହିତ ଉଦନ୍ତୀ ନଦୀରୁ ବେନିୟମ ଭାବରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି । ସିନାପାଲି ଅଞ୍ଚଳରେ ବାଲି ଉତ୍ସ ଗୁଡ଼ିକ ନିଲାମ ହୋଇ ନ ଥିବାବେଳେ ମାଫିଆମାନେ ଦିନ ଦ୍ୱି ପ୍ରହରରେ ଖୁଲମ ଖୋଲା ଚୋରା ଚାଲାଣ କରୁଛନ୍ତି । କିଛି ମାଫିଆ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ସଲାସୁତୁରା କରି ଏହି କାରବାର ଚଳାଇଥିବା ବେଳେ ବେଶ୍ ମୁନାଫା ଉଠାଇ ଚାଲିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି । ଉଦନ୍ତୀ ନଦୀରୁ ବାଲି ଉଠାଇ ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ବିକ୍ରି ହେଉଥିବା ବେଳେ ସୀମାନ୍ତ ଛତିଶଗଡ଼ ଅଞ୍ଚଳକୁ ମଧ୍ୟ ଚୋରା ଚାଲାଣ ହେଉଛି । ହେଲେ ଏଥିପ୍ରତି ପ୍ରଶାସନିକ ଅଧିକାରୀମାନେ ନୀରବଦ୍ରଷ୍ଟା ସାଜିଛନ୍ତି । ଯାହାଫଳରେ ବ୍ୟାପକ ରାଜସ୍ୱହାନୀ ହେଉଛି । ନୂଆପଡ଼ା ଜିଲ୍ଲା ରାଜସ୍ୱ ଅଧିକାରୀମାନଙ୍କୁ ନେଇ ଜିଲ୍ଲାପାଳ ମଧୁସୂଦନ ଦାସ ବୈଠକ ଡାକି ରାଜସ୍ୱ ଆଦାୟ ବୃଦ୍ଧି ଓ ରେଡକ୍ରସ ପାଣ୍ଠି ବୃଦ୍ଧି କରାଇବା ଲକ୍ଷ୍ୟ ନେଇ ବିଭିନ୍ନ ଉତ୍ସରୁ ବେନିୟମ ଚାଲାଣ ଉପରେ ଅଙ୍କୁଶ ଲଗାଇବା ସହ ପ୍ରତି ଦିନ ଚଢାଉ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ହେଲେ ଏଠାରେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଅବମାନନା କରୁଛନ୍ତି । ଉଦନ୍ତୀ ନଦୀ ସିନ୍ଦୂରସୀଲ, ଘାଟମାଳ ଅଞ୍ଚଳରୁ ବୋଡ଼େନ ଓ ଛତିଶଗଡ଼ ଅଞ୍ଚଳକୁ ପ୍ରତିଦିନ ଶହ ଶହ ଟ୍ରିପ ଟ୍ରାକ୍ଟର ଯୋଗେ ଚାଲାଣ ହେଉଥିବା ବେଳେ ନିଲଜୀ, ଲିଆଡ୍, ସରଧାପୁର, ଚଳନା, ପତିଏଲପଡ଼ା ନଦୀ ଘାଟରୁ ବାଲି ମାଫିଆମାନେ ବାଲି ଚୋରା ଚାଲାଣ କରୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାର ଉଦେ୍ଦଶ୍ୟ କ’ଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସିନାପାଲି ସହର ନିକଟସ୍ଥ କିଛି ବାଲି ଘାଟରୁ କେତେବେଳେ କ’ଣ ଧର୍ମକୁ ଆଖି ଠାର ନୀତିରେ ଚଢାଉ କରାଯାଉଥିବା ବେଳେ ବାଲି ଟ୍ରିପ ପିଛା ୨୮୦୦ ଟଙ୍କା ରୁ ୩୦୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଯାହାଫଳରେ ଗରିବ ଶ୍ରେଣୀର ଲୋକେ ଆବାସ ଯୋଜନା ଗୃହ ଟିଏ ତିଆରି କରିବାରେ ମାଫିଆମାନଙ୍କ ଠାରୁ ଶୋଷଣ ର ଶୀକାର ହେଉଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସଧାରଣରେ ଦାବି ହେଉଛି ।