ବୈତରଣୀ ଘାଟ ପାଇଁ ରାସ୍ତା ହାଲ୍ ବେହାଲ 


 ଯାଜପୁରରୁ ଶରତ ପଥାଳ ?;
ଯାଜପୁର ଜିଲାରେ ଲଘୁ ଖଣିଜ ଆଇନ୍କୁ ଗାଦି ତଳେ ମାଡ଼ି ବସିଛି ବିଭାଗ । ରାଜନେତା, ଅଧିକାରୀଙ୍କ ସହ ମିତ ବସି ଲୁଟେରା ସରକାରୀ ସମ୍ପତି ଲୁଟିବାରେ ଲାଗିଛନ୍ତି । ପ୍ରଭାବ ବିସ୍ତାର କରି ଲୁଟେରା ଗୋଟେ ପଟେ ରାଜସ୍ୱ ଲୁଟୁଥିବା ବେଳେ ଅନ୍ୟପଟେ କୋଟି କୋଟିରେ ନିର୍ମିତ ରାସ୍ତାକୁ ବିପର୍ଯ୍ୟସ୍ତ କରିଚାଲିଛନ୍ତି । ଯାହାର ସିଧା ପ୍ରଭାବ ଜନବସତି, ପଥଚାରୀ, ଆରୋହୀଙ୍କ ଉପରେ ପଡ଼ୁଛି । ପ୍ରତିବାଦର ସ୍ୱର ଉଠୁଥିଲେ ହେଁ ପ୍ରଶାସନ, ରାଜନେତା ପାଟିଚୁପ କରି ବସିବାକୁ ଉଚିତ ମଣୁଛନ୍ତି । ଲୁଟେରାଙ୍କ ପାଇଁ କୋରେଇ ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତବାସୀ ଜୀବନକୁ ବାଜି ଲଗାଇ ରାସ୍ତାରେ ଯା’ଆସ କରୁଛନ୍ତି । ଆମେ କହୁଛୁ ବ୍ୟାସନଗର ତହସିଲ ଅନ୍ତର୍ଗତ ବୈତରଣୀ ଘାଟର କଥା । ଖଣି ବିଭାଗ ଅଧିନସ୍ଥ ବୈତରଣୀରେ ଆଇନ ସମ୍ମତ ଭାବେ କେତେକ ଘାଟକୁ ନିଲାମ ସୂତ୍ରରେ ପ୍ରଦାନ କରାଯାଇଥିଲେ ହେଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି) ଠାରୁ ପରିଚାଳନା ଅନୁମତି ଏବଂ ପରିବେଶଗତ ଅନୁମତି ଏନଭାଇରନମେଣ୍ଟ କ୍ଲିଅରାନ୍ସ (ଇସି) ବିନା ବେଆଇନ ଭାବେ ଘାଟରୁ ବାଲି ଉତ୍ତୋଳନ କରି ଲୁଟେରା ଚୋରା ଚାଲାଣ କରିଚାଲିଛନ୍ତି । ଜିଲା ଖଣି ଉପନିଦେ୍ର୍ଦଶକ ଖୁବଶୀଘ୍ର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରି ଆସୁଥିଲେ ଏହା କେବଳ ଘୋଷଣାରେ ରହିଯାଇଛି । ମିତ ବସିଥିବା ଖଣି ବିଭାଗକୁ ହାତ କରି ଲୁଟେରା ଜଳ ପ୍ରବାହ ମୁଖ୍ୟ ପଥରେ ବନ୍ଧ ପକାଇ ବାଲି ଉତ୍ତୋଳନ କରିବାରେ ଲାଗିଛନ୍ତି । ଯାହା ନଦୀର ପ୍ରାକୃତିକ ସମତୁଲ ପ୍ରକ୍ରିୟାକୁ ବ୍ୟାହତ କରୁନାହିଁ ବର୍ଷାଦିନ ଆସିଯାଇଥିବାରୁ ଏହାର ସିଧା ପ୍ରଭାବ ନଦୀକୂଳବାସୀଙ୍କ ଉପରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ମକୁନ୍ଦପୁର ଠାରୁ ଆରମ୍ଭ କରି ନୟାହାଟପାଟଣା, ମୂଳାପାଳ ପ୍ରଭୂତି ଘାଟରୁ ବେଆଇନ ଭାବେ ପ୍ରୋକୋଲିନ ଲଗାଇ ହାଇୱା ଯୋଗେ ଶହ ଶହ ଟ୍ରିପ୍ ବାଲି ଜିଲା ଏବଂ ପଡୋଶୀ ରାଜ୍ୟକୁ ଚୋରା ଚାଲାଣ କରି ଲୁଟେରା ମାଲେମାଲ ହେଉଛନ୍ତି । ଯାହା ବୈତରଣୀରେ ବନ୍ୟା ଆସିଲେ ଏକାଧିକ ଘାଇ ସୃଷ୍ଟି ହେବାର ଆଶଙ୍କା ସୃଷ୍ଟି କରିଛି । କେବଳ ଏତିକ ନୁହେଁ ଶତାଧିକ ହାଇୱା ଯୋଗୁ ନଦୀବନ୍ଧ ଦୁର୍ବଳରୁ ଅତି ଦୁର୍ବଳ ହୋଇପଡ଼ୁଥିବା ବେଳେ ବରୁଣ୍ଡାଇ-ମଥୁରାପୁର ରାସ୍ତା ବିପର୍ଯ୍ୟସ୍ତ ହେବା ଆରମ୍ଭ କରିଛି । ଦୈନିକ ଆତଯାତ ହାଇୱା ଯୋଗୁ ନାଲୁଆଛକରୁ ମକୁନ୍ଦପୁର ରାସ୍ତାକୁ ବେହାଲ କରିପକାଇଛି । ସକ୍ରୀୟ ହୋଇପଡ଼ିଥିବା ଲୁଟେରା ଗୋଷ୍ଠୀ ପାଇଁ  ୩ ପଞ୍ଚାୟତର ଲାଇଫଲାଇନ୍ ରାସ୍ତା ବିପଦ ଜନକ ହୋଇପଡ଼ିଛି । ଯାହା ଫଳରେ ଯାତାୟତ କରୁଛନ୍ତି ୨୦ହଜାରରୁ ଊଦ୍ଧ୍ୱର୍ ଲୋକ ପ୍ରଭାବିତ ହେଉଛନ୍ତି । ଘାଟ ପାଇଁ ବାଟ ଏଠି ବେହାଲ ହୋଇପଡ଼ିଛି । କୋରେଇ ବ୍ଲକର ମୁକୁନ୍ଦପୁର-ବରୁଣ୍ଡାଇ ରାସ୍ତାକୁ ଯେ କେହିବି ଦେଖିବ ଏହାକୁ କୋରେଇ ବ୍ଲକର ଅନ୍ୟତମ ଲାଇଫ୍ ଲାଇନ ବୋଲି ବିଶ୍ୱାସ କରିବନି । ରାସ୍ତାରେ ଛୋଟରୁ ବଡ଼ ଖାଲ ଭରପୁର ହୋଇପଡ଼ିଛି । ଯାହା ପାଇଁ ପ୍ରତିଦିନ ଯାତାୟତ କରୁଥିବା ହଜାରରୁ ଊଦ୍ଧ୍ୱର୍ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି । ପଦଯାତ୍ରୀ ଠାରୁ ଆରମ୍ଭ କରି ବାଇକ ଆରୋହି, ସାଇକଲ ଆରୋହୀ ସମସ୍ତେ ପ୍ରାୟ ପ୍ରତିଦିନ ବିପଦଜନକ ଯାତ୍ରା କରୁଛନ୍ତି । ଯାଜପୁର ଜିଲାର ବନ୍ୟା ପ୍ଲାବିତ ଅଞ୍ଚଳ ତାଲିକାରେ ଆସୁଥିବା ଏହି ରାସ୍ତାର ଅବସ୍ଥା ଏବର ସାମାନ୍ୟ ବର୍ଷାରେ ଯେଭଳି ଦୟନୀୟ ହୋଇପଡ଼ିଛି, ତାହା ବୋଧ ହୁଏ ବିକଶିତ ଜିଲା ଯାଜପୁରର କୌଣସି ଅପହଁଞ୍ଚ ଅଞ୍ଚଳରେ ବି ଦେଖିବାକୁ ମିଳିବନି କହିଲେ ଭୂଲ ହେବନି । କିନ୍ତୁ ବିଡ଼ମ୍ବନା ଶାସକ-ପ୍ରଶାସକଙ୍କ ଦେଖି ନଦେଖିଲା ପରି ରହିଯାଉଛନ୍ତି । ଭଦ୍ରକ, କେନ୍ଦୁଝର ଜିଲାକୁ ସଂଯୋଗ କରୁଥିବା ଏହି ରାସ୍ତା ବିପର୍ଯ୍ୟସ୍ତ ପାଇଁ ବାଲି ଲୁଟେରାଙ୍କୁ ଦାୟୀ କରାଯାଉଥିଲେ ହେଁ ସ୍ଥାନୀୟ ବିରୋଧୀ ଦଳର ରାଜନେତା ମଧ୍ୟ ନିରବ ବସୁଛନ୍ତି । ସାମାନ୍ୟ ବର୍ଷାରେ ଏବେ ଏହି ରାସ୍ତା ବେହାଲ ହୋଇପଡ଼ିଥିବା ବେଳେ ଲଗାଣ ବର୍ଷା ହେଲେ ସଂପୃକ୍ତ ରାସ୍ତାରୁ ଯୋଗା ଯୋଗ ବିଚ୍ଛିନ୍ନ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି । ସଂପୃକ୍ତ ଏହି ରାସ୍ତା ନିର୍ମାଣ ଏବଂ ମରାମତିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ହେଁ ଗାଁରୁ ସହରକୁ ରାସ୍ତା ସଂଯୋଗ ସହ ବରୁଣ୍ଡାଇ, ମୁକୁନ୍ଦପୁର ରାସ୍ତା ବିପଦଜନକ ହୋଇପଡ଼ିଛି । ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିବା ଲୋକଙ୍କ ଦୁଖ ବିଜେପି ସରକାର ଶୁଣିବା ହେଉ ବୋଲି କିଛି ସମାଜସେବୀ ଟୁଇଟ ଏବଂ ସାମାଜିକ ସୋସିଆଲ ମିଡ଼ିଆ ମାଧ୍ୟରେ ନିବେଦନ କରିଛନ୍ତି ।