କାକଟ-ଦାନପୁର କେନାଲବନ୍ଧ ରାସ୍ତା ଅବସ୍ତା ଶୋଚନୀୟ
କେନ୍ଦ୍ରାପଡ଼ା: କାକଟ- ଦାନପୁର କେନାଲବନ୍ଧ ଆର.ଡି. ରାସ୍ତା ଗମନାଗମନ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ହୋଇପଡିଛି । ଖାଲଖମାରେ ପରିପୂର୍ଣ୍ଣ ହୋଇପଡିଥିବା ଏହି ରାସ୍ତାଟିରେ ଦୈନିକ ଦୂର୍ଘଟଣାମାନ ଘଟି ଧନଜୀବନ ହାନୀ ହେଉଥିବା ଦେଖାଯାଇଛି । ପୂର୍ବରୁ ଜଳସେଚନ ବିଭାଗ ଅଧିନରେ ଥିବା ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ(ଆର.ଡି.) ବିଭାଗକୁ ହସ୍ତାନ୍ତର ହେବା ପରେ ପ୍ରାୟ ୧୦ବର୍ଷ ତଳେ କାକଟ ଠାରୁ ଦାନପୁର ପର୍ଯ୍ୟନ୍ତ ପିଚୁ କରାଯାଇଥିଲା । କିନ୍ତୁ ନିମ୍ନମାନର କାର୍ଯ୍ୟ ହୋଇଥିବା ଦୃଷ୍ଟିରୁ ଏହି ରାସ୍ତାଟି ଅଧିକ ଦିନ ଭଲ ଅବସ୍ଥାରେ ରହିଲା ନାହିଁ । ସେହି ବର୍ଷ ଠାରୁ ପ୍ରତିବର୍ଷ ଏହି ରାସ୍ତାକୁ ମରାମତି କରାଯିବା ନାମରେ ଗ୍ରାମ୍ୟ ଉନ୍ନୟନ (ଆର.ଡି.) ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କାର ବିଲ କରାଯାଉଥିବା ବେଳେ ରାସ୍ତାଟି କିନ୍ତୁ ଗମନାଗମନ ପାଇଁ ଅନୁପଯୁକ୍ତ ହୋଇପଡଛି । ଏହି ରାସ୍ତା ଦେଇ କେନ୍ଦ୍ରାପଡା ବ୍ଲକର ଚକ୍ରୋଡା, ଭରତପୁର, ଶ୍ୟାମସୁନ୍ଦରପୁର, ଭାଗବତପୁର ପଞ୍ଚାୟତ ସମେତ ଡେରାବିଶ ବ୍ଲକର ଦାନପୁର, ମୁକୁନ୍ଦପୁର, ଜଅଁରାବାରିମୂଳ, ହରିଅଙ୍କ ଓ ଇନ୍ଦାଳୋ ଏବଂ ଗରଦପୁର ବ୍ଲକର ନଡିଆବରେଇ, ଭଗବାନପୁର, ବଙ୍ଗାଳପୁର ଓ ମାର୍ଶାଘାଇ ବ୍ଲକର ଜଳପୋକ ପ୍ରଭୃତି ପ୍ରାୟ ୧୩ଟି ଗ୍ରାମପଞ୍ଚାୟତର ୫ହଜାରରୁ ଉଦ୍ଧ୍ୱର୍ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକମାନେ ଜିଲ୍ଲା ସଦରମହକୁମାକୁ ଯାତାୟତ କରିଥାନ୍ତି । ରାସ୍ତାଟିର ଦୂରାବସ୍ଥା ଯୋଗୁଁ ଦୈନିକ ଏହି ରାସ୍ତାରେ ଦୂର୍ଘଟଣାମାନ ଘଟି ଧନଜୀବନ ହାନୀ ହେବା ସହିତ ଯାତାୟତରେ ଗୁରୁତର ବାଧା ସୃଷ୍ଟି ହେଉଛି । ଅଞ୍ଚଳବାସୀଙ୍କ ପକ୍ଷରୁ ଏହି ରାସ୍ତାର ଆବଶ୍ୟକ ନିର୍ମାଣ ଓ ମରାମତି ନିମନ୍ତେ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ରାସ୍ତାଟିର ଅବସ୍ଥାରେ କୈାଣସି ପରିବର୍ତ୍ତନ ହୋଇନଥିବା ଦେଖାଯାଇଛି । ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ପୂର୍ବତନ ସରପଞ୍ଚଞ୍ଚବସନ୍ତ କୁମାର ରାଉତ, ଶାରଦା ପ୍ରସନ୍ନ ରାଉତ, ଚିତ୍ତରଞ୍ଜନ ଦାସ, ଶିବପ୍ରସାଦ ବିଶ୍ୱାଳ, ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।