ରଙ୍ଗୋତ୍ସବର ଫଗୁ ଫୁଆର
ବିପିନ ବିହାରୀ ରାଉତ : ଫୁଲଭରା ଫଗୁଣରେ ଚାରିଆଡ଼େ ଯେତେବେଳେ ରଙ୍ଗୀନ ଦିଶେ, ହେମାଳରୁ ବାହାରି ମନଟିକେ କଡ଼ ଲେଉଟାଏ, ସେତିକିବେଳେ ଜୀବନକୁ ଆହୁରି ରଙ୍ଗମୟ କରିଦେବା ଲାଗି ଇନ୍ଦ୍ରଧନୁ ରଙ୍ଗନେଇ ଆସେ ହୋଲି - ସବୁ ପର୍ବଠୁ ଏକଦମ୍ ନିଆରା । ପ୍ରକୃତିର ନିରୋଳା ସ୍ପର୍ଶରେ ଶିହରିତ ଏଇ ପର୍ବଟି । କୌଣସି ଦ୍ୱନ୍ଦ୍ୱ ନାହିଁ, କାମନା ପୂରଣର ଆତୁରତା ବି ନାହିଁ । କେବଳ ଖୁସି, ଉଲ୍ଲାସ । ଜୀବନକୁ ରଙ୍ଗରେ ଭରିଦେବାର ଏକ ନିଚ୍ଛକ ପ୍ରୟାସ । ବସନ୍ତର ପରିବେଶ ଯେତେବେଳେ ପେମମୟ କରିଥାଏ ପ୍ରକୃତିକୁ ହୋଲିର ହିଲ୍ଲୋଳ ପ୍ରତି ପ୍ରାଣରେ ଜାଗୃତ କରେ ପ୍ରୀତିର ଝଙ୍କାର । ଶୀତରେ କୁଙ୍କୁରି କାଙ୍କୁରି ହୋଇ ଶୋଇଥିବା ମନକୁ ଟାଣିଆଣି ଫିଙ୍ଗିଦିନଏ ଫଗୁଣର ଫୁଲଗଦାରେ । ପ୍ରିୟତମ କୃଷ୍ଣଙ୍କ ସହ ରାଧାରାଣୀଙ୍କୁ ସଜାଇବା ବେଳେ ପ୍ରେମିକ ବି ବିଭୋର ହୁଏ ପ୍ରୀତିର ବାସ୍ନାରେ । ମାର୍କସ ଠିକ୍ ଚିହ୍ନି ଥିଲେ, ପଦାର୍ଥରୁ ହିଁ ଚେତନାର ସୃଷ୍ଟି । ତେବେ ପଦାର୍ଥଟି ଅଚେତନ କିପରି ହୋଇପାରେ? ପ୍ରକୃତିର ଏହି ସଚେତନତା ସାଥୀରେ ନେଇଆସେ ବସନ୍ତ ।
ରଙ୍ଗର ପର୍ବ ହୋଲି । ଫଗୁଣର ରଙ୍ଗ ନେଇ ଆସିଥାଏ ଏହି ହୋଲି । ପୁରପଲ୍ଲୀ, ସହର ବଜାର ସବୁ ହୋଲିର ରଙ୍ଗରେ ରଙ୍ଗୀନ ହୋଇଯାଏ । ଆବାଳବୃଦ୍ଧବନିତାଙ୍କ ସାରାଶରୀର ରଙ୍ଗରେ ଜୁଡ଼ୁବୁଡ଼ୁ ହୋଇଯାଏ । ସଙ୍ଗୀତ, କବିତାର ଆସର ସାଙ୍ଗକୁ ପିଠାପଣା ଓ ସୁସ୍ୱାଦୁ ଖାଦ୍ୟ ପର୍ବର ଆନନ୍ଦକୁ ଦ୍ୱିଗୁଣ କରିଦିଏ । ଏହି ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଚାଚେରୀ ବେଶ କରାଯାଇଥାଏ । ହୋଲି ପର୍ବକୁ ଆଣି ଆସେ ଦୋଳଯାତ୍ରା । ଦୋଳ ଯାତ୍ରା ନାମରେ ମଧ୍ୟ ଏହି ଯାତ୍ରା ପ୍ରସିଦ୍ଧ । ଦୋଳ ଯାତ୍ରାର ଶେଷ ଦିନ ପାଳିତ ହୋଇଥାଏ ହୋଲି । ହୋଲିକା ରାକ୍ଷସୀର ନିଧନ ସ୍ମୃତିରେ ହୋଲି ପାଳିତ ହୋଇଥାଏ ବୋଲି ପୁରାଣ କହେ । ଦୋଳ ଯାତ୍ରାରେ ଠାକୁରେ ବି ଫଗୁ ଖେଳିଥାନ୍ତି । ଗ୍ରାମ ଗ୍ରାମରେ ଠାକୁରଙ୍କୁ ବିମାନରେ ବସାଇ ପରିକ୍ରମା କରାଯାଏ । ନୂଆକରି ଫଳିଥିବା ଆମ୍ବ ପେନ୍ଥା ଓ ଅନ୍ୟ ସାଜସଜ୍ଜା ସାମଗ୍ରୀରେ ବିମାନ ସଜ୍ଜିତ ହୋଇଥାଏ । ହୋଲିରେ ଅବିର ଖେଳିବା ପରମ୍ପରା ବହୁ ପ୍ରାଚୀନ । ଦୋଳ ବିମାନ, ଦୋଳ ବେଦୀରେ ଏହି ଅବିର ଛାପ ପଡ଼ିଥାଏ । ଏହା ମଧ୍ୟ ଶରୀର ପାଇଁ ଭଲ । ଏହାର ସ୍ପର୍ଶରେ ଚର୍ମ ରୋଗ ହୁଏ ନାହିଁ । ଏବେ କିନ୍ତୁ ଅବିରରେ ଅନ୍ୟ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଛି । ତେଣୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଉପୁଜୁଛି । ଏଥିପାଇଁ ସତର୍କ ରହିବା ଦରକାର । ତେବେ ଗୋଟିଏ କଥା କହିହେବ, ହୋଲିର ମୂଳମନ୍ତ୍ର ସଦ୍ଭାବ । ଏହା ସଂହତି ଓ ଭାଇଚାରାର ବାର୍ତ୍ତା ପ୍ରଚାର କରିଥାଏ ।
ଫାଲ୍ଗୁନ ଶୁକ୍ଳ ତିଥି ଠାରୁ ଦୋଳଯାତ୍ରା ସାଧାରଣତଃ ଆରମ୍ଭ ହୋଇଥାଏ ଏହି ପର୍ବର ମୁଖ୍ୟ ଆରାଧ୍ୟ ପ୍ରେମମୟ ରାଧା ଓ କୃଷ୍ଣଙ୍କ ନିକଟରେ ଭକ୍ତି ନୈବେଦ୍ୟ ପୂବର୍କ ଅଭିର ଅର୍ପଣ କରାଯାଇଥାଏ । ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଦୋଳଯାତ୍ରା ଉତ୍ସବ ମୁଖରିତ ହୋଇଉଠିଥାଏ । ଭକ୍ତର ପ୍ରେମରେ ବନ୍ଧା ପ୍ରେମମୟ କୃଷ୍ଣ ରାଧାଙ୍କ ସହିତ ଭଗବାନ ଯେ ସବୁବେଳେ ଭକ୍ତଙ୍କର ଏହାକୁ ପ୍ରତିପାଦିତ କରିବା ପାଇଁ ତାଙ୍କରି ଅଗଣିତ ଭକ୍ତଙ୍କ ଦ୍ୱାରରେ ପହଞ୍ଚô ଯାଆନ୍ତି । ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ନିଜ ସିଂହାସନ ବାହାରେ ଭକ୍ତବୃନ୍ଦଙ୍କୁ ଦର୍ଶନ ଦେଇ ତାଙ୍କୁ କୋଳେଇ ନେବାର ଯେଉଁ ଅପୂର୍ବ ଭକ୍ତପ୍ରତି ପ୍ରେମଭାବନା ପ୍ରତିପାଦିତ କରିଥାନ୍ତି ଠିକ୍ ସେହିପରି ପ୍ରେମମୟ ଶ୍ରୀକୃଷ୍ଣ ଭକ୍ତମାନଙ୍କ ଠାରୁ ଭୋଗ ନେବା ପାଇଁ ଦୋଳଉତ୍ସବ ବେଳେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭକ୍ତ ମାନଙ୍କ ନିକଟକୁ ଯାଆନ୍ତି ଓ ଜଣେ ଅତିଥି ପରି ନୈବେଦ୍ୟ ଗ୍ରହଣ କରି କୃପା ପ୍ରଦାନ କରିଥାନ୍ତି । ଦୋଳଯାତ୍ରା ବା ହୋଲି ଏକ ଭାରତୀୟ ପର୍ବ ଏବଂ ଅଇଘରା ବା ଦେବଅଗ୍ନି ପ୍ରଥା ମଧ୍ୟ ଭାରତର ସର୍ବତ୍ର ପ୍ରଚଳିତ । ଦୋଳପୂର୍ଣ୍ଣିମା ଦିନ ସାଧାରଣତଃ ଠାକୁରମାନଙ୍କ ମନ୍ଦିରର ଦକ୍ଷିଣ ପୂର୍ବ ଦିଗରେ ନିର୍ମିତ ହୋଇଥିବା ଏକ ମଣ୍ଡପ ଉପରକୁ ନିଆଯାଇଥାଏ ଯାହାର ନାମ ଥାଏ ଦୋଳମଣ୍ଡପ । ସେଠାରେ ପ୍ରେମମୟ କୃଷ୍ଣଙ୍କୁ ପୂଜାର୍ଚ୍ଚନା ସହ ଭକ୍ତମାନେ ଭକ୍ତିନୈବେଦ୍ୟ ସ୍ୱରୂପ ଦୋଳି ଖେଳାଇ ନାଲି ଅଭିର ଅର୍ପଣ କରିଥାନ୍ତି । ସପ୍ତଖଣ୍ଡ ହରିବଂଶ (ତୃତୀୟ ଖଣ୍ଡର)ତଥ୍ୟ ଅନୁଯାୟୀ "ପରିମାଣ ଅଟେ ତାର ଶହେ ହାତସ୍ଥଳୀ, ସାତତାଳ ଉଚ୍ଚ ସେ ଯେ ନୁହଇ ତା କଳି ।'
ଅନ୍ୟ ସମସ୍ତ ଋତୁରେ କିଛି ନା କିଛି ଦ୍ୱନ୍ଦ୍ୱ ରହିପାରେ । ଖରା, ବର୍ଷା, ଶୀତ-ପ୍ରାଣୀଜଗତ ତିଷ୍ଠି ରହିବା ଲାଗି ସମସ୍ତେ ଆବଶ୍ୟକ । ହେଲେ ଏହି ଋତୁମାନଙ୍କର ଅତିରିକ୍ତତା କ୍ଷତିକାରକ ହୋଇଥାଏ । ପ୍ରଚଣ୍ଡ ଖରା ଯେମିତି ଜୀବନ ପ୍ରତି କ୍ଷତିକାରକ ସେମିତି ପ୍ରବଳ ବର୍ଷା ଏବଂ ଶୀ ମଧ୍ୟ ସୃଷ୍ଟି ପାଇଁ ବିପଦ । ତେବେ ବସନ୍ତର ଅତିରିକ୍ତତା ହିଁ ନଥାଏ । କାରଣ, ଏହା ଉକ୍ରୃଷ୍ଟ ମାସ ଏବଂ ଉକ୍ରୃର୍ଷର ଉକ୍ରର୍ଷ ବା କ'ଣ ହୋଇପାରେ । ଭଗବାନ ଶ୍ରୀକୃଷ୍ଣ ଗୀତାରେ ନିଜ ସ୍ୱରୂପ ବର୍ଣ୍ଣନାରେ କହିଛନ୍ତି ଯେ ସେ ଋତୁନାଂ କୁସୁମାକର ଅର୍ଥାତ୍ ଋତୁମାନଙ୍କ ମଧ୍ୟରେ ବସନ୍ତ । ଯିଏ ଈଶ୍ୱରୀୟ ସ୍ୱରୂପ, ତା'ଠାରୁ ଆଉ ସୌନ୍ଦର୍ଯ୍ୟ କେଉଁଠି ବା ରହିଛି । ଏହି ଋତୁଟି ପାଇଁ ପୁରା ବର୍ଷ ପ୍ରସ୍ତୁତି ଚାଲିଥାଏ ପ୍ରକୃତି । ଯେମିତି ଯୌବନକୁ ଆଣିବା ଲାଗି ଷୋହଳ ବର୍ଷ ପର୍ଯ୍ୟନ୍ତ ମାନବୀୟ ଶରୀର ସାଧନା କରୁଥାଏ, ମା' ନଅ ମାସ କାଳ ଗର୍ଭରେ ବିଭିନ୍ନ ପର୍ଯ୍ୟାୟ ଅତିକ୍ରମ କରିବା ପରେ ନବାଗତଟିଏ ଭୂମିସ୍ପର୍ଶ କରେ ଏବଂ ଉଲ୍ଲାସ ଭରିଦିଏ । ବସନ୍ତ ପ୍ରକୃତିର ଯୌବନ ଏବଂ ରଚନାତ୍ମକତା ଚରମ ପର୍ଯ୍ୟାୟ । ଷୋଳକଳାରେ ସଜେଇ ହୁଏ ପ୍ରକୃତି । ମଣିଷ ସମେତ ପୁରା ପ୍ରାଣୀଜଗତ ପାଇଁ ଅନୁକୂଳ ଏହି ଋତୁ । ରଙ୍ଗର ଋତୁ ବସନ୍ତ । ଆଶା ଏବଂ ସିଦ୍ଧିର ସୁନ୍ଦର ସଂଯୋଗ, କଳ୍ପନା ଓ ବାସ୍ତବିକତାର ସୁଭଗ ସମନ୍ୱୟ । ନିରାଶା ଉପରେ ଆଶା ଏବଂ ଅମଙ୍ଗଳ ଉପରେ ମଙ୍ଗଳର ବିଜୟ । ରଙ୍ଗ ସତ୍ୟ, ରଙ୍ଗ ହିଁ ଆନନ୍ଦ, ରଙ୍ଗ ସୌନ୍ଦର୍ଯ୍ୟ । ରଙ୍ଗ ପ୍ରତି ବିମୁଖତା ଅନ୍ଧକାର ନିଶ୍ଚୟ । ଦେବଦେବ ମହାଦେବ ନିଜ ଶରୀରକୁ ଶ୍ମଶାନ ଧୂଳିରେ ରଙ୍ଗାଇଛନ୍ତିି । ପରିତ୍ୟକ୍ତ ରଙ୍ଗ ତ୍ରିପୁଣ୍ଡରେ ପରିଣତ ହୋଇଛି । ଭଗବାନ ବିଷ୍ଣୁ ପ୍ରଜାଙ୍କ ଅନନ୍ତ କାମନା ସଂରକ୍ଷଣର ଭାବନାକୁ ଧରି ଅନନ୍ତର ନୀଳରଙ୍ଗ ନିଜ ରୂପ ଅନୁକୂଳ କରିଛନ୍ତି । ରଙ୍ଗ ନାମ ହୋଇଛି ପୁଣି ପରିଚୟ ବି ପାଲଟିଯାଇଛି । ସଂସାରରେ ଅନେକ ଭାଷାରେ ଏପରି ଶବ୍ଦ ରହିଛି ଯାହା ରଙ୍ଗ ଆଧାରିତ । ରଙ୍ଗର ମିଳନ ହିଁ ରଙ୍ଗୋତ୍ସବ ହୋଲି । ଇଛା - ଅନିଚ୍ଛାରେ ହେଉ କି ଜାଣତ - ଅଜାଣତରେ ପ୍ରତ୍ୟେକେ ରଙ୍ଗରେ ଭିଜିଯାନ୍ତି । ଶରୀର ଏମିତି ରଙ୍ଗୀନ ହୋଇଯାଏ ଯେ, ବୟସ, ବର୍ଗ, ଜାତି, ଧର୍ମ ସବୁ ପରିଚୟ ଉଭେଇ ଯାଏ । କେବଳ ରଙ୍ଗର ରାଜୁତି ଚାଲେ । ବିଷାଦ ଜଳି ଭସ୍ମୀଭୂତ ହୋଇଯାଏ । ବସନ୍ତ ପ୍ରେମର ରାସ ଆଣେ । କେବଳ ଏକଇ ରଙ୍ଗ ଦୃଷ୍ଟିକୁ ଆସେ ହାସ୍ୟଉଲ୍ଲାସର, ଦର୍ପଣ-ତର୍ପଣରେ ।
ମୋ : ୯୪୩୭୬୬୬୪୫୩