ବୌଦ୍ଧ-ରାୟପୁର-ବିଶାଖାପାଟଣା ରେଳ ଚଳାଚଳ ଦାବି
ସୋନପୁର: ସଂପ୍ରତି ଅଧୁରା ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥରେ ବୌଦ୍ଧ ଓ ପୁରୁଣା କଟକ ପର୍ଯ୍ୟନ୍ତ ରେଳପଥର ସିଆରଏମ୍ ଅନୁକୂଳ ରିପୋର୍ଟ ପରେ ପୂର୍ବତନ ରେଳବାଇ ପକ୍ଷରୁ ପୁରୁଣା କଟକ-ବୌଦ୍ଧ ରେଳଷ୍ଟେସନରୁ ସମ୍ବଲପୁର ଓ ଭୁବନେଶ୍ୱରକୁ ସାପ୍ତାହିକ ଏକ୍ସେପ୍ରେସ ଟ୍ରେନ ଚଳାଚଳ ପାଇଁ ରେଳବାଇ ବୋର୍ଡର ଅନୁମତି ମଗାଯାଇଛି । ଯାହାକି ଆସନ୍ତା ଜୁନ୍ ୨୦ ତାରିଖ କିମ୍ବା ରଥଯାତ୍ରା ଅବସରରେ ଚାଲୁ କରିବାରେ ସମ୍ଭାବନା ଥିବାର ସୂତ୍ର ଜଣାପଡିଛି । ଅପରପକ୍ଷରେ ବହୁ ପୂର୍ବରୁ ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ନିର୍ମାଣ ଗଣକ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରେଳବାଇ ଡିଆରଏମ ସିନିୟର ଡିସିଏମ୍ ସମ୍ବଲପୁର ଏବଂ ପ୍ରଧାନମନ୍ତ୍ରୀଙ୍କୁ ବୌଦ୍ଧ ଷ୍ଟେସନ ଉଦ୍ଘାଟନ ଅବସରରେ ବୌଦ୍ଧରୁ ରାୟପୁର ଓ ବିଶାଖାପାଟଣା ଭାୟା ଟିଟିଲାଗଡ ନେଇ ଦୁଇଟି ଟ୍ରେନ ଦାବି ରହିଛି । କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଗୋବିନ୍ଦ ମହାରଣା ଦୃଢ ଦାବି କରିଛନ୍ତି ଯେ, ରେଳଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବୌଦ୍ଧରୁ ରାୟପୁର ଓ ବିଶାଖାପାଟଣା ୨ଟି ଦ୍ରୁତଗାମୀ ଟ୍ରେନ୍ ଚାଲୁ କରାଯାଉ ।