ସବ୍ରେଜିଷ୍ଟର ଓ ସବ୍ଟ୍ରେଜେରୀ କାର୍ଯ୍ୟାଳୟ ଖୋଲିବାକୁ ଦାବି 

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ରାଜ୍ୟର ଦ୍ୱିତୀୟ ବୃହତ୍ତମ ବ୍ଲକ ଭାବେ ପରିଗଣିତ ହେଉଛି । ଏହି ବ୍ଲକରେ ୪୧ଗୋଟି ପଞ୍ଚାୟତ ରହିଥିବାବେଳେ ଏହି ସବୁ ପଞ୍ଚାୟତ ଗୁଡ଼ିକରେ ହାରାହାରି ଦୁଇ ଲକ୍ଷ ଲୋକ ବସବାସ କରୁଛନ୍ତି । ପୂର୍ବରୁ ନିଶ୍ଚିନ୍ତକୋଇଲି ବ୍ଲକ ଓ ମାହାଙ୍ଗା ବ୍ଲକର ଲୋକମାନେ ସାଲେପୁର ତହସିଲ ଅଧିନରେ ରହିଥିବାବେଳେ ସାଲେପୁର ସବ୍ରେଜିଷ୍ଟର ଓ ସାଲେପୁର ସବ୍ଟ୍ରେଜେରୀ ଅଧିନରେ ରହି ସେମାନଙ୍କର ସମସ୍ତ କାର୍ଯ୍ୟ କରୁଥିଲେ । କାଳକ୍ରମେ ମାହାଙ୍ଗା ବ୍ଲକରେ ନୂତନ ଭାବେ ତହସିଲ, ସବ୍ରେଜିଷ୍ଟର କାର୍ଯ୍ୟାଳୟ ଏବଂ ସବ୍ଟ୍ରେଜେରୀ କାର୍ଯ୍ୟାଳୟ ବହୁ ବର୍ଷ ହେବ ଖୋଲାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକରେ କେବଳ ନୂତନ ତହସିଲ କାର୍ଯ୍ୟାଳୟ ଖୋଲାଯାଇ ଥିବାବେଳେ ଆଜି ପର୍ଯ୍ୟନ୍ତ ସବ୍ରେଜିଷ୍ଟର କାର୍ଯ୍ୟାଳୟ ଏବଂ ସବ୍ଟ୍ରେଜେରୀ କାର୍ଯ୍ୟାଳୟ ଖୋଲାହୋଇ ପାରିନାହିଁ । ଏହି ଦୁଇଟି କାର୍ଯ୍ୟାଳୟ ଖୋଲିବା ପାଇଁ ଦୀର୍ଘ ଦିନ ହେବ ବ୍ଲକ ବାସୀମାନେ ଦାବି କରିଆସୁଥିଲେ ମଧ୍ୟ ଏହାକୁ କେହି କର୍ଣ୍ଣପାତ କରୁନାହାଁନ୍ତି । ଫଳରେ ଲୋକମାନେ ସେମାନଙ୍କର ଜମିବାଡ଼ି ବିକ୍ରିପଟ୍ଟା କରିବା କିମ୍ବା ଜମିବାଡ଼ି ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସାଲେପୁର ସବ୍ରେଜିଷ୍ଟର କାର୍ଯ୍ୟାଳୟକୁ ଯାଉଛନ୍ତି । ସେହିପରି ଟ୍ରେଜରୀ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ଯଥା ଅବସରପ୍ରାପ୍ତ କର୍ମଚାରୀମାନଙ୍କର ପେନସନ ପାଇବା ଓ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଟ୍ରେଜରୀ ଚାଲାଣ ପାଇଁ ମଧ୍ୟ ସାଲେପୁର ସବଟ୍ରେଜରୀ କାର୍ଯ୍ୟାଳୟକୁ ଯିବାକୁ ପଡୁଛି । ଯାହାଦ୍ୱାରା ଏ ଅଞ୍ଚଳ ବାସିନ୍ଦାମାନେ ଏସବୁ କାମ ପାଇଁ ସାଲେପୁର ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ନିଶ୍ଚିନ୍ତକୋଇଲିରେ କେବଳ ତହସିଲ କାର୍ଯ୍ୟାଳୟ ଖୋଲିଦେଇ ଏହି ଦୁଇଟି କାର୍ଯ୍ୟାଳୟ ନ ଖୋଲିବା ପଛରେ କି ରହସ୍ୟ ରହିଛି ସେ ନେଇ ପ୍ରଶ୍ନ ଉଠିଛି । ଲୋକମାନଙ୍କର ସୁବିଧା ଦୃଷ୍ଟିରୁ ନିଶ୍ଚିନ୍ତକୋଇଲିରେ ଏହି ଦୁଇ କାର୍ଯ୍ୟାଳୟ ଖୋଲିବା ନିତ୍ୟାନ୍ତ ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି । ଆବଶ୍ୟକତା ଦୃଷ୍ଟିରୁ ଏହି ଦୁଇ କାର୍ଯ୍ୟାଳୟ ଖୋଲିବା ପାଇଁ ଏ ଅଞ୍ଚଳବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ନିକଟରେ ସାଧାରଣରେ ଦାବି ହୋଇଛି ।