ବ୍ଲକ ପ୍ରଶାସନ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ

 ନାଉଗାଁ : ବ୍ଲକ ପ୍ରଶାସନର ମନମୁଖି କାର୍ଯ୍ୟ ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯିବା ସହିତ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡିକୁ ବେଆଇନ ଭାବେ ବନ୍ଦ କରିବାକୁ ନେଇ ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ସମେତ ସରପଞ୍ଚ ସଂଘ ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଏମାନଙ୍କ ଅଭିଯୋଗ ଅନୁସାରେ ଏହି ବ୍ଲକରେ ହେଉଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଲକ ପ୍ରଶାସନ ୧୬ଟି ଯାକ ପଞ୍ଚାୟତର ଜନ ପ୍ରତିନିଧି ତଥା ସରପଞ୍ଚ, ସମିତିସଭ୍ୟ ଏମିତିକି ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ମଧ୍ୟ ଅଣଦେଖା କରାଯାଉଛି । ଯାହାଫଳରେ ଏହି ବ୍ଲକର ପ୍ରତି ପଞ୍ଚାୟତରେ ରାସ୍ତା ଗୁଡ଼ିକ ଏବେ ପ୍ରାୟତ ଜରାଜୀର୍ଣ୍ଣ ଅବସ୍ତାରେ ଥିବାବେଳେ ସାଧାରଣ ଲୋକମାନଙ୍କ ପାଇଁ ପାନୀୟଜଳ, ଶିକ୍ଷା ଓ ଚିକିସôା କ୍ଷେତ୍ରରେ ମଧ୍ୟ ବିକାଶ ହୋଇପାରୁନାହିଁ । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହାର ତୁରନ୍ତ ତଦନ୍ତ କରିବା ସହିତ ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇ ନିୟମ ବିରୁଦ୍ଧରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୫- ଏସଏସି, ଜିଆଇଏ ପ୍ରକଳ୍ପ ପାଇଁ ପ୍ରସ୍ତୁତ ହୋଇଥିବା ତାଲିକାକୁ ପୁନର୍ବାର ପଞ୍ଚାୟତ ପ୍ରତିନିଧିଙ୍କ ମତାମତ ଅନୁସାରେ ସଂଶୋଧନ କରାଯାଉ, ବ୍ଲକରେ ବନ୍ଦ ହୋଇ ପଡିରହିଥିବା ଅର୍ଥ ରଶିକୁ ଯଥାଶୀଘ୍ର କାର୍ଯ୍ୟାଦେଶ ଦିଆଯାଇ କାର୍ଯ୍ୟ ଗୁଡିକୁ ଆରମ୍ଭ କରାଯାଉ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ପୂର୍ବରୁ କରାଯାଇଥିବା ବ୍ୟତିକ୍ରମ ପାଇଁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀ ମାନଙ୍କୁ ତୁରନ୍ତ ଗୃହ ପ୍ରଦାନ କରାଯାଉ ଏବଂ ପଞ୍ଚାୟତ ସମିତିରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକରେ ପ୍ରତି ପଞ୍ଚାୟତର ଜନପ୍ରତିନିଧିଙ୍କୁ ସାମିଲ କରିବା ଆଦି ଦାବି କରିଛନ୍ତି ।