ବ୍ୟକ୍ତି ଓ ସମାଜ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ କରିବା, ଲକ୍ଷ୍ୟ କରିବା ସମାଜକୁ ନେଇ ବ୍ୟକ୍ତିର ଏବଂ ବ୍ୟକ୍ତିକୁ ନେଇ ସମାଜର କିଭଳି ସ୍ଥିତି । ଏକଥାକୁ ଆପଣ ଗ୍ରହଣ କରନ୍ତୁ ।
ଜୀବନର ଅନେକ ପରିସ୍ଥିତି ନିଜ ନିୟନ୍ତ୍ରଣରେ ନଥାଏ । ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ ପରିସ୍ଥିତିର ଦାସ । ସେଇ ପରିସ୍ଥିତିରେ ମଣିଷ ବଞ୍ଚିବାକୁ ବାଧ୍ୟ, ପରିସ୍ଥିତିର ଚାପରେ ମଣିଷ ମୁଣ୍ଡ ନୁଆଁଇବାକୁ ବାଧ୍ୟ । କେବଳ ନିଜ ଇଛାରେ ମଣିଷ କଦାପି ବଞ୍ଚିପାରିବ ନାହିଁ । ମଣିଷ ଯାହା ଇଚ୍ଛା ତାହା କଦାପି କରିପାରିବ ନାହିଁ । ମଣିଷ ପରିସ୍ଥିତିର ଦାସ ହୋଇଥିବାରୁ ଯେତେବେଳେ ଯାହା ଚାହିଁବ, ତାହା କରିଦେବ ନାହିଁ । ମଣିଷ ବ୍ୟକ୍ତି ଭାବରେ ସମାଜର ଏକ ଅଂଶ । ମଣିଷ ଯେଉଁଠି ରହେ, ତାର ପରିବେଷ୍ଟିନୀ ହେଉଛି ତାର ସମାଜ । ସମାଜକୁ ଛାଡି ନିଜ ଇଚ୍ଛା ଅନୁସାରେ କିଛି କରିଦେବା ଅସମ୍ଭବ ନୁହେଁ ସତ; କିନ୍ତୁ ଯିଏ ନିଜ ଇଚ୍ଛା ଯାହା ତାହା କରିବସେ, ତାହା ହେଲେ ସମାଜ ହୁଏତ ତାକୁ ଗ୍ରହଣ କରିନପାରେ ।
ଅନେକ ସମୟରେ ବହୁ ବ୍ୟକ୍ତି ଭାବନ୍ତି ଯେ ସେମାନେ ଯାହା ଭାବୁଛନ୍ତି ତାହା ଠିକ୍ ଏବଂ ନିଜକୁ ଛାଡି ଅନ୍ୟମାନେ ଯାହା ଜାଣିଥାନ୍ତି ବା କହୁଥାନ୍ତି ତାହା ଭୁଲ୍ । ଏହି ଚିନ୍ତାଧାରାକୁ ନେଇ ଜୀବନର ଅନେକ ସମୟରେ ମଣିଷ ଅପଡ ହେଇଯାଏ । ମଣିଷର ଜୀବନ ସାମାଜିକ ସଂସ୍କାର ଭିତରେ ବନ୍ଧା । ସାମାଜିକ ସଂସ୍କାରଗୁଡିକ ସାମଗ୍ରିକ ଭାବେ ସବୁ ବ୍ୟକ୍ତି ଉଦେ୍ଦଶ୍ୟରେ ହିଁ ହୋଇଥାଏ, ନିର୍ଦ୍ଦିଷ୍ଟ ବ୍ୟକ୍ତି ଉଦେ୍ଦଶ୍ୟରେ ନୁହେଁ । ସମାଜ ଓ ବ୍ୟକ୍ତି ପରିସ୍ପରର ଅବିଚ୍ଛେଦ୍ୟ ଏବଂ ବ୍ୟକ୍ତିର ଇଛା କେବଳ ବ୍ୟକ୍ତିଗତ ଇଚ୍ଛା ନ ହେଇ ସମାଜିକ ଜୀବନର ପ୍ରତିଫଳନ ହେବା ସର୍ବାଦୌ ଗ୍ରହଣୀୟ । ପଢିଥିବା ହେତୁ ଆପଣଂକ ନିକଟରେ କୃତଜ୍ଞ । ନମସ୍କାର ।