ସ୍ୱାସ୍ଥ୍ୟବୀମାର ସୂର୍ଯ୍ୟାସ୍ତ ସହାୟତା
ଭାରତ ୧୯୪୭ରେ ସ୍ୱାଧୀନତା ଲାଭ କରିବା ବେଳେ ଜଣେ ଭାରତୀୟର ହାରାହାରି ଆୟୁଷ ଥିଲା ମାତ୍ର ୩୨ ବର୍ଷ । ଅର୍ଥାତ୍ ଯୌବନର ଶୀର୍ଷ ସମୟ ଥିଲା ତା ପାଇଁ ଶେଷ ସମୟ । ତାକୁ ଜରା ସ୍ପର୍ଶ କରିବାର ବହୁ ପୂର୍ବରୁ ସେ ସ୍ୱାସ୍ଥ୍ୟହାନି, ଅପପୁଷ୍ଟି, ସଂକ୍ରାମକ ବ୍ୟାଧି ବା ପ୍ରାକୃତିକ ବିପର୍ଯ୍ୟୟ କବଳରେ ପଡ଼ି ଇହଧାମ ତ୍ୟାଗ କରୁଥିଲା । ସ୍ୱାଧୀନତା ପ୍ରାପ୍ତି ପରେ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ ହେବା ପରେ ନାଗରିକ ମାନଙ୍କର ଜୀବନଧାରର ମାନରେ ଦେଖାଯାଇଥିବା ଉନ୍ନତି ଓ ଜନସ୍ୱାସ୍ଥ୍ୟ ସେବାର ପ୍ରସାର ଫଳରେ ଭାରତୀୟ ମାନଙ୍କର ହାରାହାରି ଆୟୁଷରେ କ୍ରମାଗତ ବୃଦ୍ଧି ପାଇଚାଲି ଆଜି ସାତ ଦଶନ୍ଧିରୁ ଅଧିକ କାଳ ପରେ ବା ତଥାକଥିତ ଅମୃତ କାଳର ତାହା ୭୦ ବର୍ଷ ଅତିକ୍ରମ କରିସାରିିଛି । ଅର୍ଥାତ୍ ଆଜି ସଂସାରକୁ ବିଦାୟ ଜଣାଇବାକୁ ଉଦ୍ୟତ ଭାରତୀୟ ହେଉଛି ଜଣେ ଜରାଗ୍ରସ୍ତ ମନୁଷ୍ୟ ଯାହାକୁ ସେଇ ସମୟରେ ଅଧିକରୁ ଅଧିକ ସଂଖ୍ୟକ ବିଭିନ୍ନ ରୋଗବ୍ୟାଧି ମାନଙ୍କ ସହିତ ଲଢ଼ିବାକୁ ପଡ଼ିଥାଏ, ଯେଉଁ ସମୟ ହେଉଛି ତାର ଶକ୍ତି ଓ ସାମର୍ଥ୍ୟର ସୂର୍ଯ୍ୟାସ୍ତ ସମୟ । ଶାରୀରିକ ଦୁର୍ବଳତା ସହିତ ତାର ଉପାର୍ଜନହୀନ ଅବସ୍ଥାର ଆର୍ଥିକ ଦୁର୍ବଳତା ମିଶି ଜଣେ ଦୀର୍ଘଜୀବୀ ଭାରତୀୟକୁ ଆଜି ତାର ବାର୍ଦ୍ଧକ୍ୟରେ ସଂପୂର୍ଣ୍ଣ ଅସହାୟ କରିଦେଇଛି କହିଲେ ଅତୁ୍ୟକ୍ତି ହେବନାହିଁ । ଏହି ଅସହାୟତାର ଅନ୍ୟତମ କାରଣ ହେଉଛି ସେମାନେ ଆବଶ୍ୟକ କରୁଥିବା ଚିକିତ୍ସା, ଔଷଧପତ୍ର ଆଦିର ବ୍ୟୟବହୁଳତା । ଏହି ପରିପ୍ରେକ୍ଷୀରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ନାମକ ସରକାରୀ ସ୍ୱାସ୍ଥ୍ୟ ବୀମା ଯୋଜନା ସମ୍ବନ୍ଧରେ କେନ୍ଦ୍ର ସରକାର କରିଥିବା ଘୋଷଣାକୁ ଦେଶର ପ୍ରାୟ ସାଢ଼େ ଚାରି କୋଟି ପରିବାରର ଛ କୋଟିରୁ ଅଧିକ ବରିଷ୍ଠ ସଦସ୍ୟମାନେ ଯେ ଏକ ଅତ୍ୟନ୍ତ ଉପଯୋଗୀ ଅସ୍ତକାଳୀନ ଉପହାର ରୂପେ ସ୍ୱାଗତ କରୁଥିବେ, ଏଥିରେ କୌଣସି ସନେ୍ଦହ ନାହିଁ । ସରକାର ଗ୍ରହଣ କରିଥିବା ଏହି ବହୁ ପ୍ରତୀକ୍ଷିତ ପଦକ୍ଷେପ ହେଉଛି ଏକ ପ୍ରତିଶ୍ରୁତି ପୂରଣ, କାରଣ ଏହା ଥିଲା ନିର୍ବାଚନ ସମୟରେ ଭାରତୀୟ ଜନତା ପାର୍ଟି ପ୍ରସାର କରିଥିବା ତାର ଇସ୍ତାହରର ଏକ ଅଂଶ, ଯାହାକୁ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରର କ୍ୟାବିନେଟ ଅନୁମୋଦନ କରିସାରିଛି ।
ଏହି ହିତାଧିକାରୀମାନଙ୍କର ସାମାଜିକ ଅର୍ଥନୈତିକ ଅବସ୍ଥା ଏଥିପାଇଁ ପ୍ରତିବନ୍ଧକ ରୂପେ ବିବେଚିତ ହେବନାହିଁ । ସେହିପରି ୭୦ ବର୍ଷରୁ ଊଦ୍ଧ୍ୱର୍ ବୟସର ଯେଉଁ ନାଗରିକମାନେ ନିଜ ପାଇଁ କୌଣସି ଘରୋଇ ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା କରିଥିବେ ସେମାନେ ମଧ୍ୟ ଏହି ସରକାରୀ ବୀମା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇପାରିବେ । ଯେଉଁଭଳି ଏମ୍ପ୍ଲଇଜ ଷ୍ଟେଟ ଇନସୁ୍ୟରାନ୍ସ ଯୋଜନା ଅନ୍ତର୍ଭୁକ୍ତ ବ୍ୟକ୍ତିମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇପାରିବେ । ଅବଶ୍ୟ ଯେଉଁ ପୂର୍ବତନ କେନ୍ଦ୍ର ସରକାର କର୍ମଚାରୀମାନେ ସେଣ୍ଟ୍ରାଲ ଗଭର୍ନମେଣ୍ଟ ହେଲଥ ସ୍କିମର ସୁବିଧା ଉପଭୋଗ କରୁଛନ୍ତି, ସେମାନଙ୍କୁ ବର୍ତ୍ତମାନ ଏ ଦୁଇଟି ମଧ୍ୟରୁ ଗୋଟିଏ ବୀମା ଯୋଜନାକୁ ଚୟନ କରିବାକୁ ହେବ । ଆୟୁଷ୍ମାନ ଭାରତ ଯୋଜନାର ଏହି ସଂପ୍ରସାରଣ ବାବଦରେ କେନ୍ଦ୍ର ସରକାରଙ୍କୁ ପ୍ରଥମ ବର୍ଷରେ ୩୪୩୭ କୋଟି ଟଙ୍କା ବ୍ୟୟ ଭାର ବହନ କରିବାକୁ ପଡ଼ିବ ବୋଲି ହିସାବ କରାଯାଇଛି । ଦେଶର ସମସ୍ତ ଅତି ବରିଷ୍ଠ ନାଗରିକମାନେ ଏହି ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହେବାକୁ ଯାଉଥିଲେ ହେଁ ଏଥିରେ ତଥାପି କେତେକ ସୀମାବଦ୍ଧତା ପରିଦୃଷ୍ଟ ହୋଇଥାଏ । ଏହି ଯୋଜନା ଅନୁସାରେ ଜଣେ ଅତି ବରିଷ୍ଠ ନାଗରିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁରକ୍ଷା ଲାଭ କରିପାରିବ ।
ଅର୍ଥନୈତିକ ବିକାଶ ତ୍ୱରାନ୍ୱିତ କରିବା ଉଦେ୍ଦଶ୍ୟରେ ଯେଉଁଠି ଏକ ପୁଞ୍ଜିବାଦୀ ବଜାର ଭିତ୍ତିକ ଅର୍ଥ ନୈତିକ ବ୍ୟବସ୍ଥା ଅନୁସରଣ କରାଯାଇଥାଏ, ସେଠାରେ ମଧ୍ୟ ବଜାର ଏହି ଆବଶ୍ୟକତା ପୂରଣ କରିବାରେ ବିଫଳ ହେଲେ ସରକାର ତାହା ପୂରଣ କରିବା ପାଇଁ ଆଗେଇ ଆସିଥାନ୍ତି, ଯାହା ସମସ୍ତ ପୁଞ୍ଜିବାଦୀ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଦେଖାଯାଇଥାଏ । ଭାରତ ସରକାରଙ୍କର ଏହି ସଦ୍ୟତମ ପଦକ୍ଷେପ ତେଣୁ ଏକ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ହେଁ ଏହା ଆବଶ୍ୟକତା ତୁଳନାରେ ଆଦୌ ଯଥେଷ୍ଟ ନୁହେଁ ବରଂ ସରକାର ତାଙ୍କର ଏହି ସ୍ୱାସ୍ଥ୍ୟ ବୀମା ଯୋଜନାକୁ ସଂପ୍ରସାରିତ କରିବାର ଅନେକ ପ୍ରକୃତ ସୁଯୋଗ ରହିଛି । ଉଦାହରଣ ସ୍ୱରୂପ କେବଳ ଉପରୋକ୍ତ ସଜିଏଚଏସ ଭଳି ଯୋଜନାକୁ ବାଦ ଦେଲେ ଅନ୍ୟ ସମସ୍ତ ଯୋଜନାମାନ କେବଳ ହସପିଟାଲାଇଜେସନ ସଂପର୍କିତ ଖର୍ଚ୍ଚ ବହନ ପାଇଁ ଉଦ୍ଦିଷ୍ଟ ଓପିଡ଼ି କିମ୍ବା ବାହ୍ୟ ଚିକିତ୍ସା ସଂପର୍କିତ ଖର୍ଚ୍ଚ ବୋଝ ଲାଘବ କରି ନଥାନ୍ତି । ଆକଳନ କରାଯାଇଛି ଯେ ନାଗରିକମାନେ ଚିକିତ୍ସା ବାବଦରେ ବାର୍ଷିକ ଯେତିକିି ବ୍ୟୟ କରିଥାନ୍ତି ସେଥିରେ ଓପିଡ଼ି ପରାମର୍ଶ ପରୀକ୍ଷା ଓ ଔଷଧପତ୍ର ବାବଦ ଖର୍ଚ୍ଚର ଅଂଶ ହେଉଛି ପ୍ରାୟ ୫୦ରୁ ୮୦ ଶତାଂଶ ପର୍ଯ୍ୟନ୍ତ । କୌଣସି ବୀମା ଯୋଜନା ଦ୍ୱାରା ଏ ସମସ୍ତ ଚିକିତ୍ସାଜନିତ ବ୍ୟୟ ବହନ ପାଇଁ ସହାୟତା ପ୍ରଦାନ କରାଯାଉ ନଥିବା ହେତୁ ଅନେକ ଅସ୍ୱଚ୍ଛଳ ବର୍ଗର ରୋଗୀ ଓ ବାର୍ଦ୍ଧକ୍ୟ ଗ୍ରସ୍ତ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇ ନପାରି ଯନ୍ତ୍ରଣା ଜର୍ଜରିତ ଜୀବନ ଯାପନ କରିବାକୁ ବାଧ୍ୟ ହୋଇଥାନ୍ତି । ସ୍ୱାସ୍ଥ୍ୟ ବୀମା ଯୋଜନାରେ ତେଣୁ ଏ ସମସ୍ତ ଅପରିହାର୍ଯ୍ୟ ବ୍ୟୟକୁ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ଏଥିସହିତ ଚିକିତ୍ସା ପ୍ରତ୍ୟାଖ୍ୟାନ ଦୁର୍ନୀତି, ଭିତ୍ତିଭୂମିର ଅଭାବ ଆଦି ହିତାଧିକାରୀମାନେ ଜଣାଶୁଣା ଭାବରେ ସମ୍ମୁଖୀନ ହେଉଥିବା ଅନ୍ୟାନ୍ୟ ଗୁରୁତର ପ୍ରତିବନ୍ଧକମାନ ଦୂର କରିବା ପ୍ରତି ସରକାର ତୁରନ୍ତତ ଧ୍ୟାନ ଦେବା ଉଚିତ । ତା ହେଲେ ଯାଇ ସରକାରଙ୍କର ସୁଉଦ୍ୟମ ବାସ୍ତବରେ ସୁଫଳ ପ୍ରଦାନ କରିବ ।
ଋ-ଜ୍ଞବସକ୍ଷ : ଭବୟବକ୍ଷ୦୦୯ଭଷଙ୍କଚ୍ଚବଦ୍ଭଅଶଜ୍ଞବସକ୍ଷ.ମକ୍ଟଜ୍ଞ