ସେନାକୁ ସଲାମ୍, କେନ୍ଦ୍ରକୁ ସମର୍ଥନ କଲା ବିଜେଡ଼ି : ଓଡ଼ିଶାରେ ହେଉ ନୌସେନା କମାଣ୍ଡ 

 ଭୁବନେଶ୍ୱର : ଯାହା ଆଶା କରାଯାଉଥିଲା ସେଇଆ ହିଁ ହେଲା  । ରାଜ୍ୟସଭାରେ ଅପରେସନ୍ ସିନ୍ଦୂରକୁ ନେଇ ଆଲୋଚନା କାଳରେ ବିଜୁ ଜନତା ଦଳ ସେନାର ବୀରତ୍ୱକୁ ସଲାମ୍ କରିଛି  । ସେହିପରି କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ବି ସମର୍ଥନ କରିଛି  । ଅନ୍ୟ ବିରୋଧୀ ଦଳଗୁଡ଼ିକ ଭଳି ବିଜେଡ଼ି ସାଂସଦମାନେ ମୋଦି ସରକାରଙ୍କୁ ଗୋଟିଏ ବି ପ୍ରଶ୍ନ କରିନାହାନ୍ତି  । ତେବେ ଆଲୋଚନା ଛଳରେ ବିଜୁବାବୁଙ୍କ ବୀରତ୍ୱର ଗାଥା କହିବା ସହ ରାଜ୍ୟରେ ନୌସେନା କମାଣ୍ଡ ସ୍ଥାପନ ପାଇଁ ଦାବି ହୋଇଛି  । ଓଡ଼ିଶାର ଚାରବାଟିଆକୁ ସୁଦୃଢ଼ୀକରଣ କରିବା ସହ ସମୁଦ୍ର ତଟର ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି  । ରାଜ୍ୟସଭାରେ ବିଜେଡ଼ି ସାଂସଦ ଶୁଭାଶିଷ ଖୁଣ୍ଟିଆ ଏଭଳି ମର୍ମରେ ଉଦବୋଧନ ଦେଇଛନ୍ତି  । ସେହିପରି ସାଂସଦ ସୁଲତା ଦେଓ, ସସ୍ମିତ ପାତ୍ର ପ୍ରମୁଖ ମଧ୍ୟ ଅପରେସନ୍ ସିନ୍ଦୂରର ସଫଳତାକୁ ନେଇ ସେନାକୁ ସମ୍ମାନ ଜଣାଇଛନ୍ତି  ।