ଭିନ୍ନକ୍ଷମ ସୁବ୍ରତ ଉପରେ ପଡିଲା ପ୍ରଶାସନର ନଜର

 ଚମ୍ପୁଆ:  ଭିନ୍ନକ୍ଷମ ଦିବସରେ ଅଲୋଡା ସୁବ୍ରତ ଶିର୍ଷକ ଖବର ପ୍ରକାଶ ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ବ୍ଲକ ପକ୍ଷରୁ ଏହି ଦିବ୍ୟାଙ୍ଗକୁ ପ୍ରାଥମିକ ସହାୟତା ଭାବେ ଏକ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ଚଳିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସର୍ଭେରେ ପ୍ରାଥମିକତା ଦିଆଯିବ ବୋଲି ଚମ୍ପୁଆ ବିଡିଓ ରାଜା ରଂଜିତ ପ୍ରତାପ ବଳ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟକି ମା’ ଆଉ ବାପା କାନ୍ଧର ସାହାରା ନେଇ ଆଜକୁ ୧୮ ବର୍ଷ ଧରି ଜୀବନ ନିର୍ବାହ କରିଆସୁଥିଲେ ଦିବ୍ୟାଙ୍ଗ ସୁବ୍ରତ । ପିତା ମାତାଙ୍କର ଏକ ମାତ୍ର ପୁତ୍ର ସନ୍ତାନ ହୋଇଥିବା ବେଳେ ପିତା ମନୋରଂଜନ ଗିରିଙ୍କ କହିବା ଅନୁଯାୟୀ ଆଜକୁ କିଛି ବର୍ଷ ତଳେ ସରକାରଙ୍କ ପକ୍ଷରୁ ମିଳିଥିବା ୩ ଚକିଆ ସାଇକେଲ ଖଣ୍ଡକ ନଷ୍ଟ ହୋଇଯାଇଥିଲେ ମଧ୍ୟ ତାଙ୍କୁ ୩ ଚକିଆ ସାଇକେଲ ଖଣ୍ଡେ ମିଳି ପାରିନଥିଲା । ୩ ଚକିଆ ସାଇକଲ ତ ଦୂର କଥା ଆଜି ପର୍ଯ୍ୟନ୍ତ ସେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇନଥିବା ଏବଂ ଅର୍ନ୍ତଦ୍ୱୟ ଯୋଜନାରେ ମଧ୍ୟ ସାମିଲ ହୋଇପାରି ନାହାନ୍ତି । ମାସକୁ କେବଳ ୧୨ ଶହ ଟଙ୍କା ଭତା ସହିତ ୫ କି.ଗ୍ରା. ଚାଉଳ ସରକାରୀ ସହାୟତା ପାଉଥିବା ସୁବ୍ରତ ଜନ୍ମ ସମୟରେ ସୁସ୍ଥ ସବଳ ରହିଥିବା ବେଳେ ପ୍ରାୟ ୪ ରୁ ୫ ବର୍ଷ ପରେ ଜ୍ୱର ରୋଗରେ ପଡିତ ହେଲେ । ଫଳରେ ଚଲାବୁଲା କରିବା ପାଇଁ କଷ୍ଟ ଅନୁଭବ କରିବା ସହିତ ଗୋଟିଏ ସ୍ଥାନରେ ବସି ରହିଲେ । ଉଭୟ ପିତା ମାତା ତାଙ୍କୁ ଓଲଟ ପୁର, ଶିଶୁ ଭବନ ଏପରିକି ଆୟୁର୍ବେଦିକ ଚିକିସôା କରାଇଥିଲେ ମଧ୍ୟ ସେ ସୁସ୍ଥ ହେବା ପରୀବର୍ତ୍ତେ ଦିନକୁ ଦିନ ଭିନ୍ନକ୍ଷମ ହେବାକୁ ଲାଗିଲା । ପିତାଙ୍କ ସହାୟତାରେ ଟୁଣୁଟୁଣା ଠାରେ ସପ୍ତମ ଶ୍ରେଣୀ ପର୍ଯନ୍ତ ପାଠ ପଢିବାକୁ ସକ୍ଷମ ହୋଇଥିଲେ । ଭଙ୍ଗା ଖପର ଘରେ ଚାରି ପ୍ରାଣୀ କୁଟୁମ୍ବକୁ ନେଇ ପରିବାର ପ୍ରତିପୋଷଣ କରୁଥିବା ମନୋରଂଜନ ଗିରି ତୁରନ୍ତ ସୁବ୍ରତକୁ ଆବାସ ଯୋଗାଇବା ସହିତ ଏକ ୩ ଚକିଆ ସାଇକେଲ ଓ ଅର୍ନ୍ତଦ୍ୱୟରେ ସାମିଲ କରିବାକୁ ଅନୁରୋଧ କରିଥିଲେ । ଗଣମାଧ୍ୟମରେ ଏହା ପ୍ରକାଶ ପରେ ବ୍ଲକ ପ୍ରଶାସନ ସୁବ୍ରତ ପାଖରେ ପହଂଚି ଭଲମନ୍ଦ ବୁଝାସୁଝା କରିବା ସହିତ ତୁରନ୍ତ ଏକ ତିନି ଚକିଆ ସାଇକେଲ ତାଙ୍କୁ ପ୍ରଦାନ କରିଛନ୍ତି ଏବଂ ବ୍ଲକରେ ହେବାକୁ ଥିବା ଜିଲାପାଳ ଅଭିଯୋଗ ସୁଣାଣୀରେ ତାଙ୍କୁ ବ୍ୟାଟେରୀ ଚାଳିତ ୩ ଚକିଆ ପ୍ରଦାନ କରାଯିବ ବୋଲି ଜଣାଯାଇଛି  ।