ବଡଦାଣ୍ଡ ଭେଣ୍ଡିଂ ଜୋନର ଦୂରୁପଯୋଗ
ଆନନ୍ଦପୁର: ପୌରପରିଷଦ ଅନ୍ତର୍ଗତ ବଡଦାଣ୍ଡରେ ଜବର ଦଖଲ ଉଛେଦ କରି ଉଠାଦୋକାନୀଙ୍କୁ ଥଇଥାନ ନିମନ୍ତେ ପୌରପରିଷଦ ପକ୍ଷରୁ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଥିଲା । ଭେଣ୍ଡିଂ ଜୋନରେ ଥିବା ଦୋକାନ ଗୃହକୁ ଗୁଜୁରାଣ ହରାଇଥିବା ଉଠା ଦୋକାନୀଙ୍କୁ ଦିଆଯାଇଥିବା ବେଳେ ଅବଶିଷ୍ଟ ଦୋକାନ ଗୃହ ଗୁଡିକୁ ଲଟେରୀ ମାଧ୍ୟମରେ ଅନ୍ୟ କିଛି ବ୍ୟକ୍ତିଙ୍କୁ ଭଡାରେ ଦିଆଯାଇଥିଲା । ତେବେ ଏହାର ଦୁରୁପଯୋଗ ହେଉଥିବା ସମାଜସେବୀ ଗଣେଶ୍ୱର ମହାନ୍ତି ଅଭିଯୋଗ ଆଣିଛନ୍ତି । ଏନେଇ ସେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜଣେ ବ୍ୟକ୍ତି କିଛି ଦୋକାନ ଗୃହକୁ ଦୁଇଟି ଲେଖାଏଁ ନିଜ ଦଖଲରେ ରଖିଛନ୍ତି । ସେହିପରି ଥଇଥାନ ପାଇଁ ଯେଉଁ ବ୍ୟକ୍ତି ମାନଙ୍କୁ ଦୋକାନ ଗୃହ ଦିଆଯାଇଥିଲା ସେମାନେଙ୍କର ଦୋକାନ ବର୍ତମାନ ସେଠାରେ ଅଛିକି ନାହିଁ ଏବଂ ଏଗ୍ରିମେଣ୍ଟ ସମୟରେ ହୋଇଥିବା ଭଡା ମାସକୁ ମାସ ପଇଠ ହେଉଛିକି ନାହିଁ ସେନେଇ ପ୍ରକାଶ କରିବାକୁ ଦାବି କରିଛନ୍ତି । ତେବେ ପୌରକାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ଅନୁପସ୍ଥିତ ଥିବାରୁ ପରିମଳ ଅଧିକାରୀ ଭାଗିରଥୀ ଦାସ ଅଭିଯୋଗକୁ ଗ୍ରହଣ କରିବା ସହିତ ଏହାଉପରେ ଅନୁସନ୍ଧାନ କରିଯିବ ବୋଲି କହିଥିଲେ ।