ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ଉଡ଼ିଲା ବିମାନ;  ଭୁବନେଶ୍ୱର ବିମାନ ବନ୍ଦରରେ ଏମଆରଓ ବିକଶିତ କରାଯିବ : ମୋହନ 

 ଭୁବନେଶ୍ୱର :  ଆଜି ଭୁବନେଶ୍ୱର ବିମାନ ବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରୁ ଝାରସୁଗୁଡା ପର୍ଯ୍ୟନ୍ତ ବିମାନସେବାର ଶୁଭାରମ୍ଭ କରିଛନ୍ତି । ୭୬ ସିଟ ବିଶିଷ୍ଟ ଷ୍ଟାର ଏୟାର ବିମାନଟି ଓଡ଼ିଶା ନୁ୍ୟ ଡେଷ୍ଟିନେସନ୍ ପଲିସି ଅଧିନରେ ବିମାନ ଯୋଜନାରେ ଭିଜିଏଫ ପାଣ୍ଠି ସହଯୋଗରେ ଚଳାଚଳ ଆରମ୍ଭ କରିଛି  । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ବିମାନ ବନ୍ଦର ଠାରେ ପ୍ରଥମ ଯାତ୍ରୀଙ୍କୁ ବୋଡିଂ ପାସ୍ ପ୍ରଦାନ କରିଥିଲେ  ।
 ସୂଚନାଯୋଗ୍ୟଯେ, ବର୍ତ୍ତମାନ ବିମାନଟି ସପ୍ତାହରେ ୫ ଦିନ – ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଓ ଶନିବାର ଚଳାଚଳ କରିବ । ମାତ୍ର ୪୫ ମିନିଟ ମଧ୍ୟରେ ଏହି ବିମାନଟି ଭୁବନେଶ୍ୱରରୁ ଝାରସୁଗୁଡା ପହଞ୍ଚିବ । ଖୁବଶୀଘ୍ର ଏହାକୁ ଦୈନିକ ବିମାନ ସେବାରେ ମଧ୍ୟ ପରିଣତ କରାଯିବ  । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଐତିହାସିକ ପଦକ୍ଷେପ କେବଳ ପଶ୍ଚିମ ଓଡିଶାକୁ ରାଜ୍ୟର ରାଜଧାନୀ ସହିତ ନିକଟତର କରିବନି, ବରଂ ଶିଳ୍ପ ଉନ୍ନତି, ପର୍ଯ୍ୟଟନ ଓ ସାଂସ୍କୃତିକ ଆଦାନ-ପ୍ରଦାନକୁ ମଧ୍ୟ ଦ୍ରୁତ ଗତି ଦେବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭୁବନେଶ୍ୱରରୁ ଏବେ ୪ଟି ଇଣ୍ଟରନେସନାଲ ଫ୍ଲାଇଟ୍ – ସିଙ୍ଗାପୁର, ବ୍ୟାଙ୍କକ, ଦୁବାଇ ଓ ଆବୁଧାବିକୁ ଚଳାଚଳ କରୁଛି  । ଭୁବନେଶ୍ୱର ଓ ଝାରସୁଗୁଡାରୁ ଉଭୟ ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲକୁ ମିଶାଇ ୩୯ଟି ରୁଟ୍ରେ ବିମାନ ଚଳାଚଳ କରୁଛି  । ଓଡିଶା ଭିତରେ ଭୁବନେଶ୍ୱରରୁ ଜୟପୁର, ରାଉରକେଲା ଓ ଉତ୍କେଲାକୁ ବିମାନ ଚଳାଚଳ କରୁଥିଲା  । ଆଜି ଝାରସୁଗୁଡା ସହିତ ଭୁବନେଶ୍ୱର ଆକାଶପଥରେ ଯୋଡି ହେଲା  । ଆଗାମୀ ଦିନରେ ଆହୁରି ଅଧିକ ଡୋମେଷ୍ଟିକ୍ ଓ ଇଣ୍ଟରନେସ୍ନାଲ ଫ୍ଲାଇଟ ଚଳାଚଳ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି  । ଭୁବନେଶ୍ୱର ବିମାନ ବନ୍ଦରରେ ଏମଆରଓ ବ୍ୟବସ୍ଥା ବିକଶିତ କରାଯିବା ପାଇଁ ଯୋଜନା ରହିଛି  । 
ଏହି ବିମାନ ଶୁଭାରମ୍ଭ ଅବସରରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ମସô୍ୟ ଓ ପଶୁସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, କଟକ ସଦର ବିଧାୟକ ପ୍ରକାଶ ସେଠୀ, ବଡଚଣା ବିଧାୟକ ଅମର ନାୟକ, ନିଆଳୀ ବିଧାୟକ ଛବି ମଲ୍ଲିକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ଏବଂ ଭୁବନେଶ୍ୱର ବିମାନ ବନ୍ଦରର ନିଦେ୍ର୍ଦଶକ ପ୍ରମୁଖ ଉପସ୍ଥିତ ଥିଲେ  ।