ସିବିଆଇ ଅଫିସର କହି ଲୁଟ ଘଟଣା, ଜଣେ ଗିରଫ
ବ୍ରହ୍ମପୁର: ଡିଜିଟାଲ ଆରେଷ୍ଟ ନାଁରେ ୩୪ ଲକ୍ଷ ଟଙ୍କା ଠକେଇ ଘଟଣାରେ ଜଣେ ଗିରଫ । ରାଜସ୍ଥାନର ସୁବାଷକୁ ଗିରଫ କଲା ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନା ପୋଲିସ । ଶୁକ୍ରବାର ବ୍ରହ୍ମପୁର ପହଞ୍ଚିବା ପରେ ଅଭିଯୁକ୍ତଙ୍କୁ ଏସଡିଜେଏମ୍ କୋର୍ଟରେ ତାକୁ ହାଜର କରାଯାଇଥିଲା । ପରେ ତାକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି । ଏହି ଠକେଇ ମାମଲାରେ ଅନ୍ୟ ଜଣେ ଅଣଓଡ଼ିଆ ଅଭିଯୁକ୍ତ ମଧ୍ୟ ରହିଛି । ଗଞ୍ଜାମ କୁକୁଡ଼ାଖଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସିବିଆଇ ଅଫିସର କହି ୩୪ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ ସାଇବର ଠକ । ଏନେଇ ଜାନୁଆରୀ ୨୯ ତାରିଖରେ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ ଠକେଇର ଶିକାର ହୋଇଥିବା ବ୍ୟକ୍ତି । ତଦନ୍ତ ବେଳେ ଗୁଜରାଟ ଭୁଜ ପୁଲିସ ଦ୍ୱାରା ଗିରଫ ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କ ଏହି ସାଇବର ଠକେଇରେ ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା ବ୍ରହ୍ମପୁର ପୁଲିସ । ଭୁଜ୍ ପୋଲିସ ଯୋଗାଯୋଗ କରି ସୁବାଷକୁ ରିମାଣ୍ଡରେ ଆଣିଛି । ଅନ୍ୟ ଅଭିଯୁକ୍ତ ଗୋବର୍ଦ୍ଧନର ରିମାଣ୍ଡ ପାଇଁ ମଧ୍ୟ ଆବେଦନ କରାଯାଇଥିବା ପୁଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିଛି ପୁଲିସ । ଦୁଇଟି ଆକାଉଣ୍ଟରେ ପ୍ରାୟ ୨୨ଲକ୍ଷରୁ ଅଧିକ ଟଙ୍କା ରହିଥିବା ଜଣାପଡିଛି ।