ଭୌମୀ ଏକାଦଶୀ

ମାଘ ମାସ ଶୁକ୍ଳପକ୍ଷ ଏକାଦଶୀକୁ ଭୈମୀ ଏକାଦଶୀ ବା ଜୟା ଏକାଦଶୀ କୁହାଯାଇଥାଏ । ଶ୍ରଦ୍ଧାପୂର୍ବକ ଏହି ଏକାଦଶୀ ବ୍ରତ କଲେ ବ୍ରହ୍ମହତ୍ୟା ଭଳି ପାପରୁ ମୁକ୍ତି ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ଓଡ଼ିଶାର ଆଧ୍ୟାତ୍ମିକ ଜନଜୀବନରେ ଭୌମୀ ଏକାଦଶୀର ଗୁରୁତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି । ଏହି ଦିନ ମାଘମାସ ଶୁକ୍ଳପକ୍ଷ ଏକାଦଶୀ ତିଥି  । ଏହି ଦିନରେ ଜୟା ଏକାଦଶୀ ନାମରେ ବ୍ରତ ମଧ୍ୟ ପାଳନ କରିଥାନ୍ତି । ପୌରାଣିକ କାହାଣୀର ତଥ୍ୟ ଅନୁଯାୟୀ ସତ୍ୟଯୁଗରୁ ଏହି ବ୍ରତ ପାଳନ ହୋଇ ଆସୁଅଛି । ବାସବ (ଇନ୍ଦ୍ର)ଙ୍କର ଅଭିଶାପ ପାଇ ମାଲ୍ୟବନ୍ତ ଓ ପୁଷ୍ପଦନ୍ତୀ ପିଶାଚ ଓ ପିଶାଚିନୀ ହୋଇଥିଲେ । ସେମାନେ ଅଭିଶାପ ପାଇ ଏହାର ମୁକ୍ତି ନିମନ୍ତେ ଆହାର-ନିଦ୍ରା-ମୈଥୁନ ପରିତ୍ୟାଗ କରି ଭକ୍ତି ଓ ନିଷ୍ଠାର ସହିତ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କଲେ । ସେଦିନ ଥିଲା ମାଘମାସ ଶୁକ୍ଳପକ୍ଷ ଏକାଦଶୀ ତିଥି  । ଅନ୍ତର୍ଯ୍ୟାମୀ ନାରାୟଣ ଶ୍ରୀବିଷ୍ଣୁ ଆବିର୍ଭୂତ ହୋଇ ଆଶୀର୍ବାଦ କଲେ ଏବଂ ଅଭିଶାପରୁ ମୁକ୍ତି ହେଲ ବୋଲି କହିଲେ । ଏହାଶୁଣି ପିଶାଚ ପିଶାଚୁଣୀ କୃତକୃତ୍ୟ ହେଲେ । ଶେଷରେ ଏହି ବ୍ରତ ପାଳନ କରି ମୁକ୍ତ ହୋଇଥିଲେ ଓ ଦେହାନ୍ତେ ସ୍ୱର୍ଗବାସୀ ହୋଇଥିଲେ  ।

ସେହିଦିନଠାରୁ ଏହି ବ୍ରତ ସମଗ୍ର ସଂସାରରେ ପାଳିତ ହୋଇଆସୁଅଛି । ନିଷ୍ଠା ଓ ଭକ୍ତିର ସହ ଉପବାସ ରହି ପାଳନ କରିବା ହେଉଛି ଏହି ବ୍ରତର ମୁଖ୍ୟ ବିଧି ଓ ବିଧାନ । ଦଶମୀ ଓ ଦ୍ୱାଦଶୀରେ ସ୍ନାନପୂର୍ବକ ହବିଷ ଭୋଜନ କରି ଏହି ଏକାଦଶୀରେ ଉପବାସ ରହି ବିଷ୍ଣୁଙ୍କ ନାମକୁ ସ୍ମରଣ କରିବା ହେଉଛି ଭୌମୀ ଏକାଦଶୀର ମୁଖ୍ୟ ଆଧ୍ୟାତ୍ମିକ ମହତ୍ୱ । ଏହି ବ୍ରତର ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀବିଷ୍ଣୁ । ଏହି ବ୍ରତର ମାହାତ୍ମ୍ୟ ହେଉଛି ବ୍ରତ ପାଳନ କଲେ ସକଳ ପାପ ଦୂର ହୁଏ । ବିପ୍ର ହତ୍ୟା ଆଦି ମହାପାପରୁ ମୁକ୍ତି ମିଳେ । ସକଳ କାର୍ଯ୍ୟରେ ମଙ୍ଗଳ ତଥା ବିଜୟ ହୁଏ । ଶାସ୍ତ୍ରରେ କୁହାଯାଇଛି ଯେ ଏହି ଏକାଦଶୀରେ ଭଗବାନ ବିଷ୍ଣୁଙ୍କୁ ଭକ୍ତି ପୂର୍ବକ ଆରାଧନା କରିବା ଉଚିତ । ମନରେ ଦ୍ୱେଷ, ଛଳ-କପଟ, କାମ ଓ ଲାଳସା ଆଦି ଭାବନା ରହିବା ଉଚିତ ନୁହେଁ । ନାରାୟଣ ସ୍ତୋତ୍ର ଏବଂ ବିଷ୍ଣୁ ସହସ୍ରନାମ ପାଠ କରିବା ଆବଶ୍ୟକ । ଏହି ପ୍ରକାରରେ ଜୟା ଏକାଦଶୀ ବ୍ରତ କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି । ଆମ ଓଡ଼ିଆ ଆଧ୍ୟାତ୍ମିକ ସଂସ୍କୃତିରେ ଏହି ଦିନଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଛି । ପୁରୀ ଶ୍ରୀ ମନ୍ଦିରରେ ଏହି ଦିନ ମହାପ୍ରଭୁଙ୍କ ସ୍ୱତନ୍ତ୍ର ରୀତିନୀତି ରହିଛି । କେହି କେହି ଭକ୍ତଜନ ଆନନ୍ଦ ବଜାରରେ ଅସହାୟ ଓ ବ୍ରାହ୍ମଣ ମାନଙ୍କୁ ମହାପ୍ରସାଦ ସେବା ବ୍ରତ କରିଥାନ୍ତି । ଭୌମ ଏକାଦଶୀ ହିନ୍ଦୁ ଆର୍ଯ୍ୟ ସନାତନ ସଂସ୍କୃତିର ଏକ ସ୍ମରଣୀୟ ତିଥି କହିଲେ ଅତ୍ୟୁକ୍ତି ହେବନାହିଁ । 
ଅଜୟ କୁମାର ବେହେରା, ମୋ: ୯୪୩୭୦୩୧୨୫୩