ମାନବୀୟ ମୂଲ୍ୟବୋଧ
ଡ.ଉମେଶ ଚନ୍ଦ୍ର ପାତ୍ର : ସମଗ୍ର ପୃଥିବୀରେ ଆଜି ଆତଙ୍କବାଦର ବିଭୀଷିକା ସବୁକ୍ଷେତ୍ରକୁ ପ୍ରଭାବିତ କରିଛି । ସାଧାରଣ ଜନଜୀବନ ଠାରୁ ପରିବେଶ, ପ୍ରକୃତି, ଜୀବଜଗତ ଓ ଅର୍ଥନୀତି ସନ୍ତୁଳିତ ହେଉଛି । ତେବେ ଉଦ୍ବେଗଜନକ ଚିନ୍ତନ ହେଉଛି ଯେ ଦିନକୁ ଦିନ ଅମାନବିକତା ବଢ଼ୁଥିବାବେଳେ ମାନବୀୟ ମୂଲ୍ୟବୋଧ କିନ୍ତୁ ସେ ତୁଳନାରେ ବୃଦ୍ଧି ପାଉନାହିଁ । ନିଜ ଜୀବନକୁ ପରୋପକାର କାର୍ଯ୍ୟରେ ବିନିଯୋଗ କରି ମାନବ ଜୀବନକୁ ସାର୍ଥକ ଗଢ଼ିତୋଳିବା ପାଇଁ ପ୍ରଚେଷ୍ଟା କିନ୍ତୁ ଆନ୍ତରିକତାରେ ଭରି ଯାଉନାହିଁ । ବିବେକ ଅନୁମୋଦିତ ସତ୍କର୍ମ ଓ ସମାଜର ମଙ୍ଗଳ ପାଇଁ ସତ୍ ପ୍ରଚେଷ୍ଟାକୁ ଜାଗରିତ କରିବା ପାଇଁ ଆମ ମାନଙ୍କ ଭିତରେ ମାନବୀୟ ମୂଲ୍ୟବୋଧର ପରିସ୍ଫୁଟନ ହୋଇପାରୁନାହିଁ ଏହା ହିଁ ସବୁଠାରୁ ବଡ଼ ଅମାବିକତା କହିଲେ ଅତ୍ୟୁକ୍ତି ହେବନାହିଁ । ସ୍ୱାଧୀନ ଓଡ଼ିଶାର ବରପୁତ୍ର ଉକ୍ରଳମଣି ଗୋପବନ୍ଧୁ ଦାସ କହିଥିଲେ - "ମାନବ ଜୀବନ ନୁହଁଇ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏଁ ନର କର୍ମ ଏକାତାର ଜୀବନର ମାନଦଣ୍ଡ' ।
ମଣିଷ ଜୀବନର କର୍ମ ମନୁଷ୍ୟର ମଣିଷ ପଣିଆ ଉପରେ ନିର୍ଭର କରେ । ଦୟା, କ୍ଷମା, ଶାନ୍ତି, ସହନଶୀଳତା, କର୍ମ ଦକ୍ଷତା, ସତ୍ୟାନୁରାଗ, ଭକ୍ତି, ପବିତ୍ରତା, ସର୍ବଜୀବେ ଆତ୍ମବୋଧ ଇତ୍ୟାଦି ମାନବୀୟ ଗୁଣର ବିକାଶ ଉପରେ ମନୁଷ୍ୟ ମୂଳଦୁଆ ନିର୍ଭର କରେ । ମନୁଷ୍ୟ ଜାତିର ବିକାଶ, ଶାନ୍ତିମୟ ପରିବେଶ, ପରସ୍ପର ଭିତରେ ସ୍ନେହ, ପ୍ରେମ ଓ ତିତିକ୍ଷାର ମୂଳଦୁଆ ଏହି ମାନବୀୟ ଗୁଣ ଉପରେ ନିର୍ଭର କରେ । ଭକ୍ତକବି ମଧୁସୂଦନ ରାଓ କହିଥିଲେ - ମିଥ୍ୟାକୁ ପାପ ବୋଲି ଜାଣି, କହିବ ସଦା ସତ୍ୟବାଣୀ । ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଜହିଁ ଥାଏ ନିରନ୍ତର । ଏହି ଦିବ୍ୟ ଚେତନା ଧୀରେ ଧୀରେ ଲୋପ ପାଇ ମଣିଷ ଭିତରେ ହିଂସା, ଦ୍ୱେଷ, କ୍ରୋଧ, ଅସହିଷ୍ଣୁତା, ବର୍ବରତା, ମାତୃଜାତି ପ୍ରତି ଅସମ୍ମାନ ଇତ୍ୟାଦି ଦୁର୍ଗୁଣ ବୃଦ୍ଧି ପାଇ ମାନବ ସମାଜର ମୂଳଦୁଆକୁ ଲୋପ କରିବାକୁ ବସିଛି । ଭାରତ ହେଉଛି ଦେବଭୂମି । ନିଜ ନିଜ କ୍ଷେତ୍ରରେ ଆମେ ସମସ୍ତେ ଆମ ହାତ ପାହାନ୍ତାରେ ଅମାନବିକତାକୁ ଦୃଢ଼ ହସ୍ତରେ ପ୍ରତିରୋଧ କରି ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା କରିପାରିଲେ ସମାଜରେ ଶାନ୍ତି ଓ ସମନ୍ୱୟତା ବିରାଜମାନ କରିବ । ଆମର କାମନା ହେଉ- “ସର୍ବେ ଭବନ୍ତୁ ସୁଖୀନଃ, ସର୍ବେସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, ମା କଶ୍ଚିତ ଦୁଃଖ ଭାଗ୍ ଭବେତ୍ ।”
ମୋ : ୯୪୩୭୦୫୧୯୫୭