ଆରମ୍ଭ ହୋଇଛି ବିକଶିତ ଭାରତର ଅମୃତକାଳ : ସମ୍ପଦ
ପୁରୀ : ମୋଦି ସରକାରଙ୍କ ୧୧ବର୍ଷର ସେବା, ସୁଶାସନ ଓ ଗରିବଙ୍କ କଲ୍ୟାଣ ହେଉଛି ବିକଶିତ ଭାରତର ଅମୃତ କାଳ । ଏଥିସହିତ ରାଜ୍ୟ ସରକାରଙ୍କ ଏକବର୍ଷର ସୁଶାସନ ମାଧ୍ୟମରେ ଲୋକଙ୍କ ସରକାରରେ ପରିଣତ ହୋଇଛି ବୋଲି ରାଜ୍ୟ ଶିଳ୍ପମନ୍ତ୍ରୀ ସଂପଦ କୁମାର ସ୍ୱାଇଁ ଡ଼ବଲ୍ ଇଂଜିନ୍ ବିଜେପି ସରକାରର ରିପୋର୍ଟ କାର୍ଡ଼ ପ୍ରଦାନ କରି ସଫେଇ ଦେଇଛନ୍ତି । ସ୍ଥାନୀୟ ସଦ୍ଭାବନା ସଭାଗୃହ ଠାରେ ପୁରୀ ଜିଲ୍ଳା ବିଜେପି ପକ୍ଷରୁ ଜିଲ୍ଳା ସଭାପତି ଡ଼. ଦେବେନ୍ଦ୍ରନାଥ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ପ୍ରଭାରୀ ତଥା ସାଂସଦ ବିଜୟପାଲ ସିଂ ତୋମାର ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗଦାନ କରିଥିଲେ । ଏହି ଅବସରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତାଲିକା ଦେବା ସହ କେନ୍ଦ୍ର ସରକାରଙ୍କ ୧୧ବର୍ଷର ସୁଶାସନ ସଂପର୍କରେ ବଖାଣି ଥିଲେ ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ । ସେ କହିଥିଲେ ଯେ କୃଷକ ସଶକ୍ତିକରଣ ହେଉ, ମହିଳା ସଶକ୍ତିକରଣ ହେଉ, ସବୁ ଦିଗରେ ଦେଶର ୧୪୦କୋଟି ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ମୋଦି ସରକାର ସଫଳ ହୋଇଛି । ତତ୍ସହିତ ମୋଦିଜୀଙ୍କ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ସବ୍କା ପ୍ରୟାସକୁ ପାଥେୟ କରି ରାଜ୍ୟ ସରକାର ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଦେଇଥିବା ୨୧ଟି ପ୍ରତିଶ୍ରୂତିରୁ ୧୧ଟି ପ୍ରତିଶ୍ରୁତି ପୂରଣ କରିପାରିଛି । ବିଜେପି ସରକାର କ୍ଷମତାକୁ ଆସିବା ପରେ ପୂର୍ବତନ ସରକାର ୨୪ବର୍ଷ ମଧ୍ୟରେ ଯାହା ପାଳନ କରିନଥିଲେ ମୋହନ ସରକାର ୨୪ମିନିଟ୍ରେ ତାହା ପାଳନ କରିଛି । ପ୍ରଥମ କ୍ୟାବିନଟେରେ ଶ୍ରୀମନ୍ଦିର କର୍ପସ ଫଣ୍ଡକୁ ୫୦୦କୋଟି ଟଙ୍କା ଦିଆଯିବା ସହ ଦର୍ଶନାର୍ଥୀଙ୍କ ପାଇଁ ମନ୍ଦିରର ଚାରିଦ୍ୱାର ଉନ୍ମୁକ୍ତ କରାଯାଇଥିଲା । ସତ୍ୟବାଦୀ ସ୍ଥିତ ବକୁଳ ବନ ପାଇଁ ଅର୍ଥ ବ୍ୟବସ୍ଥା କରାଯିବା ସହ ଗଣମାଧ୍ୟମକୁ ସ୍ୱାଧୀନତା ଦିଆଯାଇଛି । ଯଦ୍ୱାରା ସଚିବାଳୟ ଭିତରକୁ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରବେଶ କରିପାରୁଛନ୍ତି । ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେଉ କିମ୍ବା କୃଷକମାନଙ୍କୁ ସଶକ୍ତ କରିବା ହେଉ ସବୁ ବର୍ଗର ଲୋକମାନଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ସଫଳ ହୋଇଛି । ୭ହଜାର କିଲୋମିଟର ବ୍ୟାପୀ ପୁରୀ, ଭୁବନେଶ୍ୱର, କଟକ, ଖୋର୍ଦ୍ଧା ଓ ଜଟଣୀକୁ ମହାନଗର କରାଯିବା ପାଇଁ ସରକାର ଚିନ୍ତା କରିଛନ୍ତି । ନିଯୁକ୍ତି କ୍ଷେତ୍ରରେ ବୟସ କୋହଳ ଏକ ଯୁଗାନ୍ତକାରୀ ପଦକ୍ଷେପ । ଆୟୁଷ୍ମାନ୍ ଯୋଜନାରେ ୫ଲକ୍ଷ ଟଙ୍କାର ଚିକିସôା ସୁବିଧା ଦିଆଯାଉଛି । ମୋଦି ସରକାରଙ୍କ କାର୍ଯ୍ୟକାଳ ଦେଶର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଶ୍ରୀ ତୋମାର କହିଥିଲେ ଯେ, ୧୧ବର୍ଷ ମଧ୍ୟରେ ଭାରତକୁ ବିକଶିତ କରିବାର ଅମୃତକାଳ ଆରମ୍ଭ ହୋଇଛି । ଆଜି ମେକ୍ ଇନ୍ ଇଣ୍ଡିଆର ଶକ୍ତି ସହିତ ଭାରତ ରପ୍ତାନି କ୍ଷେତ୍ରରେ ଅଗ୍ରଗତି କରିଛି । ଦେଶର ପ୍ରତ୍ୟେକ ନାଗରିକ ପରିବର୍ତ୍ତିତ ଭାରତକୁ ଦେଖୁଛି ଏବଂ ଅନୁଭବ କରୁଛି । ଆତଙ୍କବାଦ ଭଳି ଆକ୍ରମଣ ଉପରେ ଯୁଦ୍ଧ ଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅପରେସନ ସିନ୍ଦୁର କେବଳ ଏକ ସାମରିକ ମିଶନ ନୁହେଁ ଏହା ସଂକଳ୍ପ, ସାହାସ ଓ ପରିବର୍ତ୍ତନଶୀଳ ଭାରତର ଏକ ପ୍ରତିଛବି । ଏହି ସାମ୍ବାଦିକ ସମ୍ମିଳନୀରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ପ୍ରକାଶ ମିଶ୍ର, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।