ବୃକ୍ଷ ରୋପଣ ଓ ପରିବେଶ


ବିଶ୍ୱ ପରିବେଶ ଦିବସ ଏକ ଅଭିଯାନ  । ସାରା ବିଶ୍ୱରେ ପରିବେଶର ନକାରାତ୍ମକ ପ୍ରଭାବକୁ ରୋକିବା ଓ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ଉଦେ୍ଦଶ୍ୟରେ ପ୍ରତିବର୍ଷ ଜୁନ୍ ୫ ତାରିଖରେ ଏହା ପାଳନ କରାଯାଏ । ଏହି ଦିବସ ପାଳନ ସଂଯୁକ୍ତ ରାଷ୍ଟ୍ର ସଂଘର ପରିବେଶ କାର୍ଯ୍ୟକ୍ରମ ଅନ୍ତର୍ଗତ । ଏହିଦିନ ମାନବୀୟ ପରିବେଶକୁ ନେଇ ସଂଯୁକ୍ତ ରାଷ୍ଟ୍ର ସଂଘର ପ୍ରଥମ ବୈଠକ ୧୯୭୨ ମସିହାରେ ବସିଥିଲା । ଏଥିରେ ପ୍ରତିବର୍ଷ ବିଶ୍ୱ ପରିବେଶ ଦିବସର କେନ୍ଦ୍ର ବଦଳାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ସେବେଠାରୁ ପ୍ରତିବର୍ଷ ଅଲଗା ଅଲଗା ଦେଶରେ ଏହି ଦିବସ ପାଳିତ ହୋଇ ଆସୁଛି । 
ଧରିତ୍ରୀ ସର୍ବଂସହା । ବର୍ତ୍ତମାନ ସମୟରେ ଧରିତ୍ରୀ ପାଇଁ ସୃଷ୍ଟି ହୋଇଛି ବିପଦ । ଜଳବାୟୁରେ ବାରମ୍ବାର ପରିବର୍ତ୍ତନ ଘଟିବା ଫଳରେ ସୃଷ୍ଟି ହେଉଛି ବିପର୍ଯ୍ୟୟ । କେତେବେଳେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସୃଷ୍ଟି ହେଉଛି ତ ଆଉ କେତେବେଳେ ବିନା ବର୍ଷାରେ ମରୁଡ଼ି ଦେଖାଦେଉଛି । ଦାନା ମୁଠାଏ ପାଇଁ  ଲୋକଙ୍କୁ ଡହଳ ବିକଳ ହେବାକୁ ପଡ଼ୁଛି । ରାଜ୍ୟ ତଥା ଦେଶ ବିକାଶରେ ପ୍ରତିବନ୍ଧକ ସାଜିଛି ଜଳବାୟୁ ପରିବର୍ତ୍ତନ । କିପରି ରୋକାଯାଇପାରିବ ଏଭଳି ସମସ୍ୟା । କ'ଣ ନିଆଯିବ ପଦକ୍ଷେପ ତାହାକୁ ନେଇ ବିଶେଷଜ୍ଞମାନେ ଆରମ୍ଭ କରିଦେଇଛନ୍ତି ଅବଗଣନା । ଲୋକଙ୍କୁ ସଚେତନ କରାଇବା ସହ ଆସନ୍ତା ୧୦ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ରୋକିବା ଲାଗି ଆଗେଇ ଆସିବାକୁ ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି । ସମୟର ପରିବର୍ତ୍ତନ ସହ ତାଳ ଦେଇ ବଦଳିଚାଲିଛି ସବୁକିଛି । କଟାଚାଲିଛି ବୃକ୍ଷ, ସୃଷ୍ଟି ହେଉଛି କଂକ୍ରିଟ ଜଙ୍ଗଲ । ପ୍ରତିଦିନ ରାଜ୍ୟର କୋଣେ ଅନୁକୋଣରେ ଯେତିକି ଗଛ କଟାଯାଉଛି ସେହି ଅନୁଯାୟୀ ଲଗାଯାଉନି । ବୃକ୍ଷର ସ୍ଥିତି ଏଭଳି ରହିଥିବାବେଳେ ପରିବେଶ ହେଉଛି ପ୍ରଦୂଷଣ, ଯାହାର ପ୍ରଭାବ ସିଧାସଳଖ ଜଳବାୟୁ ଉପରେ ପଡ଼ୁଛି । ଯେଉଁଥି ପାଇଁ ଗ୍ରୀଷ୍ମ ଦିନେ ପ୍ରବଳ ବର୍ଷା ହେଉଛି ତ ଆଉ କେତେବେଳେ ବର୍ଷା ଦିନେ ବର୍ଷାର ଦେଖାମିଳୁନି ।  ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ୨୦୧୦ ମସିହାରୁ ୨୦୨୩ ମଧ୍ୟରେ ବର୍ଦ୍ଧିତ ସବୁଜ ବଳୟ, ସବୁଜ ମହାନଦୀ ମିଶନ, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ଆମ ଜଙ୍ଗଲ ଯୋଜନା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ ନିଯୁକ୍ତି ଯୋଜନା, କାମ୍ପା, ଜାତୀୟ ବନୀକରଣ ଯୋଜନା, ସବୁଜ ଭାରତ ମିଶନ, ଓଡ଼ିଶା ଖଣି ନିଗମ, ମହାନଦୀ କୋଇଲା ନିଗମ, ଜିଲ୍ଲା ଖଣିଜ ପାଣ୍ଠି ଇତ୍ୟାଦି ୩୫ଟି କାର୍ଯ୍ୟକ୍ରମ ବା ଯୋାଜନାରେ ବୃକ୍ଷରୋପଣ କରାଯାଇଛି । ଶହେ କି ପାଞ୍ଚଶହ କୋଟି ନୁହେଁ, ଏହି ବର୍ଷ ମାନଙ୍କରେ ୨ ହଜାର ୧୩୧ କୋଟି ୫୩ ଲକ୍ଷ ୮୨ ହଜାର ଟଙ୍କା ବିନିଯୋଗ ହୋଇ ୯ଲକ୍ଷ ୩୩ ହଜାର ୫୮୩ ହେକ୍ଟର ଜମି ନୂଆ ଜଙ୍ଗଲ ସୃଷ୍ଟି କରାଯାଇଛି । ତେବେ ଏ ସବୁ ସତ୍ତ୍ୱେ ବ୍ୟାପକ ସହରୀକରଣ ଏବଂ ଗଛକଟା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଓଡ଼ିଶାରେ ବଡ଼ ପ୍ରଭାବ ପକାଇବା ଆରମ୍ଭ କଲାଣି । ଯେଉଁ ଭୟାନକ ଚିତ୍ରଟି ସାମ୍ନାକୁ ଆସୁଛି ତାହା ହେଲା, ରାଜ୍ୟର ପାଣିପାଗ ଓ ଋତୁଚକ୍ର ପୁରାପୁରି ବିଗିଡି ଗଲାଣି । ନିକଟରେ ତତଲାଗଡ଼ର ମାନ୍ୟତା ପାଇଥିବା ବଲାଙ୍ଗୀର ଟିଟିଲାଗଡ଼ର ତାତିଠାରୁ ବଳିଗଲା ବୌଦ୍ଧ ଓ ସୋନପୁର ଜିଲ୍ଲାର ଉତ୍ତାପ । ଅନ୍ୟ ସମସ୍ତ ଜିଲ୍ଲା ଠାରୁ ଢ଼େର ଆଗରେ ଏସବୁ ଜିଲ୍ଲାର ତାପମାତ୍ରା ରହିଲା ଭାରତ ବର୍ଷରେ ବି ନୂଆ ରେକର୍ଡ଼ କଲା ।
ଆମେ ଭଲ ଭାବେ ଜାଣିଛେ ଜଙ୍ଗଲ ସବୁବେଳେ ସ୍ଥାନୀୟ ଜଳବାୟୁର ସ୍ଥାୟିତ୍ୱ ବୃଦ୍ଧି ସହିତ ପରିସଂସ୍ଥାନ, ଜୈବ-ବିବିଧତା, ଅଙ୍ଗାରକାମ୍ଳ ଏବଂ ଅମ୍ଳଜାନ ଚକ୍ର ନିୟନ୍ତ୍ରଣ କରିବାରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଥାଏ । ସହର ମଧ୍ୟରେ ଜଙ୍ଗଲ ଆବରଣ ଉତ୍ତାପକୁ ଶୋଷଣ କରିବା ସହ ସ୍ଥାନୀୟ ତାପମାତ୍ରାକୁ ପ୍ରଭାବିତ କରିଥାଏ ଏବଂ ରେଫ୍ରିଜରେଜେସନ ବା ଶୀତଳୀକରଣ ପ୍ରକ୍ରିୟା ଦ୍ୱାରା ଏହା ସ୍ଥାନୀୟ ଜଳବାୟୁକୁ ଥଣ୍ଡା କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ । ଏହାର ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତାହା ହେଲା ଜଙ୍ଗଲ ମୃତ୍ତିକା ସବୁବେଳେ ଅଣ-ଜଙ୍ଗଲ ମୃତ୍ତିିକା ତୁଳନାରେ ଅଧିକ ଜଳ ଧାରଣ କରିବା କ୍ଷମତା ରଖେ । ଅନ୍ୟଥା କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାର ଭୟ ରହିଛି । ଏବଂ ଏସବୁ ସ୍ଥାନରେ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନାକୁ ଏଡ଼ାଇ ଦେଇହେବନାହିଁ । ଯଦିଓ ବୃକ୍ଷରୋପଣ ଜଳବାୟୁ ପରିବର୍ତ୍ତନର ଏକମାତ୍ର କାରଣ ନୁହେଁ, ଏହା କିନ୍ତୁ ଗୋଟିଏ ବଡ଼ କାରଣ ବୋଲି କୁହାଯାଇପାରେ । ଅଧିକ ବୃକ୍ଷ ଥିଲେ ତାତି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଯିବ ଏବଂ ଉତ୍ତାପ ଶୀଘ୍ର ହ୍ରାସ ପାଇବ । ଏହା ସହିତ ବର୍ଷାର ପରିମାଣ ବୃଦ୍ଧିରେ ମଧ୍ୟ ସହାୟକ ହେବ । କେଉଁ ଅଞ୍ଚଳରେ ଭବିଷ୍ୟତରେ କେଉଁ ନିର୍ମାଣ କାର୍ଯ୍ୟ ହାତକୁ ନିଆଯିବ, ସେ ସଂକ୍ରାନ୍ତରେ ଗୋଟିଏ ବିସ୍ତୃତ ନକ୍ସା ପ୍ରସ୍ତୁତ କରିବା ପରେ ବୃକ୍ଷରୋପଣ କରାଗଲେ ବା ବୃକ୍ଷକୁ ସୁରକ୍ଷା ଦେଇ ବିକାଶର ମାନଚିତ୍ର ପ୍ରସ୍ତୁତ କଲେ ସ୍ଥିତିରେ ଉନ୍ନତି ଘଟନ୍ତା । ଗୁଜୁରାଟ ସରକାରଙ୍କ ଉଦାହରଣ ଏ କ୍ଷେତ୍ରରେ ନିଆଯାଇପାରେ ।
ଗଛ କଟାଯିବା ପରେ ଏହାର ଦଶଗୁଣ ଗଛ ଲଗାଯାଉଥିବା କୁହାଯାଉଛି । ହେଲେ ସେ ଗଛ ଲାଗୁଛି କେଉଁଠି? ଅନ୍ୟ କୌଣସି ଅଞ୍ଚଳରେ ବୃକ୍ଷ ଲଗାଗଲେ, କଟାଯାଇଥିବା ଅଞ୍ଚଳର ପାଣିପାଗରେ କି ପରିବର୍ତ୍ତନ ହେବ? ତୃତୀୟ କଥାଟି ହେଲା ଘର ନିର୍ମାଣ ପାଇଁ ଅନୁମତି ଦିଆଯିବା ବେଳେ ପୂର୍ବରୁ ସାଢ଼େ ପାଞ୍ଚଫୁଟ ପର୍ଯ୍ୟନ୍ତ ଜାଗା ଛାଡ଼ିବାକୁ କୁହାଯାଉଥିଲା । ଏବେ ତିନି ବା ସାଢ଼େ ତିନି ଫୁଟ ଛାଡ଼ିଲେ, ସେଥିରେ କେଉଁ ଗଛ ଲାଗିପାରିବ? ଏଭଳି ଅନେକ ବ୍ୟତିକ୍ରମ ଜଙ୍ଗଲ ବିଭାଗ ପାଇଁ ଆହ୍ୱାନ ସୃଷ୍ଟି କଲାଣି । ଚଳିତ ନିର୍ବାଚନରେ କୌଣସି ରାଜନୈତିକ ଦଳ ଗଛକଟା ଉପରେ ଅଙ୍କୁଶ ଲଗାଇବା ଓ ବ୍ୟାପକ ବନୀକରଣ ତଥା ନିଜ ନିତିଦିନିଆ ଜୀବନରେ ଗଛଲଗାକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ଭାବେ ଗ୍ରହଣ କରିବା ପାଇଁ ସେମାନଙ୍କ ନିର୍ବାଚନୀ ସଂକଳ୍ପ ପତ୍ରରେ ଘୋଷଣା ରଖିନାହାଁନ୍ତି । ଆସନ୍ତୁ ବିଶ୍ୱ ପରିବେଶ ଦିବସ ଅବସରରେ ଆମ୍ଭେମାନେ କେବଳ ବୃକ୍ଷରୋପଣ କରିବା ନାହିଁ ବରଂ ପୁରାତନ ଗଛର ସଂରକ୍ଷଣ ସହ ବ୍ୟାପକ ଗଛ କଟାକୁ କିପରି ନିୟନ୍ତ୍ରିତ କରିବା ସହ ବୃକ୍ଷ ରୋପଣକୁ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସେବା ବ୍ରତ ଭାବେ ଗ୍ରହଣ କରିବା । 
ମୋ : ୯୪୩୭୨୫୭୧୨୩