ମଦ ବୋଝେଇ ପିକ୍ଅପ୍ ଧକ୍କାରେ ଅବକାରୀ ଗାଡି ଚୁର୍ମାର୍
ବଡ଼ସାହି: ବଡ଼ସାହି ଥାନା ଅଂଚଳରେ ବ୍ୟାପକ ଚୋରା ମଦ କାରବାର ଚାଲୁ ଥିଲେ ହେଁ ଅବକାରୀ ବିଭାଗ ଏଥିରେ ରୋକ ଲଗାଇବାରେ ସକ୍ଷମ ହେଉ ନଥିବା ଦେଖାଯାଉଛି । ଆଜି ୨ ଗୋଟି ଧଳା ରଙ୍ଗର ପିକଅପ୍ ଗାଡ଼ିରେ ଚୋରା ମଦ ଚାଲାଣ ହେଉଥିବା ଖବର ପାଇ ବେତନଟୀ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସେହି ଗାଡ଼ିକୁ ଧରିବା ପାଇଁ ସାନ କେରକୋ ପର୍ଯ୍ୟନ୍ତ ଯାଇଥିଲେ । ମାତ୍ର ଚୋରା ମଦ ବୋଝେଇ ଉଭୟ ପିକଅପ ମଧ୍ୟରୁ ଗୋଟେ ଗାଡି ପ୍ରଥମେ ଅବକାରୀ ବିଭାଗ ଗାଡ଼ିକୁ ଧକ୍କା ଦେଇ ବାରିପଦା ଦିଗରେ ଖସି ପଳାଇଥିଲା । ଅନ୍ୟ ଏକ ପିକଅପ ଉଠାଣୀ ନୂଆଗାଁ ଆଡ଼କୁ ଆସି ପ୍ରତାପପୁର ଦେଇ ଶାକୁଆ ରାସ୍ତାରେ ବଣ ତାଳପଦା ହୋଇ ଖସି ଯିବା ସମୟରେ ସେହି ଅବକାରୀ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଅବକାରୀ ଗାଡି ଭାଙ୍ଗିରୁଜି ଯାଇଛି । ମାତ୍ର ଗାଡ଼ିରେ ଥିବା କର୍ମଚାରୀଙ୍କ କୌଣସି କ୍ଷତି ଘଟିନାହିଁ । ଧକ୍କା ଦେଇ ଖସି ପଳାଇଥିବା ପିକଅପ ନମ୍ବର ଓଡି୧୧କୁ୍ୟ-୩୭୯୨ ଏବଂ ଓଡି୧୧ଜେଡ- ୫୬୫୪ । ଏ ସମ୍ପର୍କରେ ବେତନଟୀ ଅବକାରୀ ଏସଆଇ ପ୍ରକାଶ ଚନ୍ଦ୍ର ସାହୁ ବଡ଼ସାହି ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏଥିନେଇ ବଡ଼ସାହି ପୁଲିସ ୨୭୭/୨୫ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।