ମଦନପୁର ହାଇସ୍କୁଲର ବାର୍ଷିକ ଉତ୍ସବ: ‘ଶିକ୍ଷା ଓ ସଂସ୍କୃତି ରାଷ୍ଟ୍ରର ପରିଚୟ ସୃଷ୍ଟି କରିଥାଏ’
ପଟ୍ଟାମୁଣ୍ଡାଇ: ଶିକ୍ଷା ଓ ସଂସ୍କୃତି ଦେଶ ଓ ରାଜ୍ୟର ପରିଚୟ ସୃଷ୍ଟି କରିଥାଏ । ଯେଉଁ ଦେଶ ଓ ରାଜ୍ୟର ଶିକ୍ଷା ସଂସ୍କୃତି ଯେତେ ସମୃଦ୍ଧ ସେହି ଦେଶ ଓ ରାଜ୍ୟ ସେତେ ସମୃଦ୍ଧ, ବିକଶିତ ଓ ଶକ୍ତିଶାଳୀ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ମଦନପୁର ମହାବୀର ହାଇସ୍କୁଲର ୫୯ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି । ଏଥିସହିତ ଛାତ୍ରଛାତ୍ରୀମାନେ ନିଜ ଶକ୍ତି ଓ ଦୁର୍ବଳତାକୁ ଅନୁଧ୍ୟାନ କରି ଉତ୍ତମ ଶିକ୍ଷା ଗ୍ରହଣ କରି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ମଦନପୁର ହାଇସ୍କୁଲ ବିକାଶ ପାଇଁ ବିଧାୟକ ତାଙ୍କ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ । ମଦନପୁର ମହାବୀର ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟ ବେହେରାଙ୍କ ପୌରହିତ୍ୟ ଓ ଶିକ୍ଷକନେତା ସିଆରସିସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିବାବେଳେ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ, ଆଳି ବ୍ଲକ ଏବିଇଓ ଉଦକର ସାମଲ, ସଂସାର ଫଳ ସମିତି ସଭ୍ୟ ପର୍ଶୁରାମ ରାଉତରାୟ, ଶିକ୍ଷାବିତ ସୁରେଶ ଜେନା, କବି ସଚିତ୍ର ବେହୁରା, ସିଆରସିସି ଆଶିଷ ମହାପାତ୍ର, ଉତିକଣ ଚାଷୀ ମୂଲିଆ ସଂଘ ଆବାହକ ଭାସ୍କର ରାଉତରାୟ, ଶିକ୍ଷାବିତ୍ କେଶବ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆଳି ବ୍ଲକ ଏବିଇଓ ଉଦକର ସାମଲ, ସିଆରସିସି ମଳୟ ଜେନା, ବିଲିକଣା ହାଇସ୍କୁଲ ପ୍ରଧାନଶିକ୍ଷକ ସୁଶାନ୍ତ ଦାଶ, ମଦନପୁର ହାଇସ୍କୁଲ ପ୍ରାକ୍ତନ ପ୍ରଧାନ ଶିକ୍ଷକ କାଶୀନାଥ ନାୟକ, ସିଆରସିସି ଆଶିଷ ମହାପାତ୍ର, ଶିକ୍ଷକ ନେତା ରବୀନ୍ଦ୍ର ପରିଡା, ଶିକ୍ଷାବିତ ଦିଲ୍ଲୀପ ପ୍ରଧାନ, ସିଆରସିସି ରଞ୍ଜନ ସାହୁ, ଶିକ୍ଷକନେତା କଳାକର ସାହୁ, ସିଆରସିସି ଅରବିନ୍ଦ ବଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟଅତିଥି ଓ ଅନ୍ୟାନ୍ୟ ଅତିଥି କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ସହକାରୀ ଶିକ୍ଷକ ପ୍ରହଲ୍ଲାଦ ସାହୁ ସ୍ୱାଗତ ଭାଷଣ ଓ ଅମ୍ବିକା ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ସୁଶାନ୍ତ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।