ପକ୍ଷୀଙ୍କ ପାଇଁ ସ୍ୱେଚ୍ଛାସେବୀଙ୍କ ଜଳ ବ୍ୟବସ୍ଥା
ନୀଳଗିରି: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ନଦୀନାଳ ଶୁଖି ଯାଉଥିବାବେଳେ ନିରୀହ ପଶୁପକ୍ଷୀମାନେ ପାଣିମୁନ୍ଦାଏ ପାଇଁ କଲବଲ ହୋଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ନିରୀହ ପକ୍ଷୀଙ୍କ ଜୀବନ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଛି ନୀଳଗିରି ବ୍ଲକ ଅଧିନ ଗୋପୀନାଥପୁର ଅଞ୍ଚଳର ମହାବୀର ଫାଉଣ୍ଡେସନ ସଂଗଠନ । ତୃଷାର୍ତ୍ତ ପକ୍ଷୀମାନଙ୍କୁ ଜଳଦାନ ପାଇଁ ସଜନାଗଡ ପଞ୍ଚାୟତ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୫୦ରୁଅଧିକ ସ୍ଥାନରେ ଜଳପାତ୍ର ଗଛମାନଙ୍କରେ ଟଙ୍ଗାଯାଇଛି । ପ୍ରତ୍ୟେକଦିନ ଏହି ଜଳପାତ୍ର ଗୁଡିକରେ ଜଳଭର୍ତ୍ତି କରାଯାଉଛି । ଏହି ଉଦ୍ୟମ ଫଳରେ ନିରୀହ ପକ୍ଷୀମାନେ ତୃଷା ନିବାରଣ କରୁଥିବା ପରିଲକ୍ଷିତ ହେଉଛି । ଏହି ଅଭିଯାନରେ ଫାଉଣ୍ଡେସନର ପ୍ରତିଷ୍ଠାତା ବିଦ୍ୟାଧର ବାରିକଙ୍କ ସମେତ ଅଭିଜିତ୍ ବେହେରା, ଅଶେଷ କୁମାର ରଣା, ଦିଗମ୍ବର ବେହେରା, ପ୍ରଦୀପ କୁମାର ମଲିକ, ବ୍ରହ୍ମଜିତ୍ ବେହେରା, ଚନ୍ଦନ ଜେନା ପ୍ରମୁଖ ସାମିଲ ହୋଇଥିଲେ ।