ସେତୁ ନିର୍ମାଣ କାର୍ଯ୍ୟରେ ଅନିୟମିତତା, ବଢୁଛି ଅସନ୍ତୋଷ


ାା ପ୍ରଭାନୁ୍ୟଜ୍ ।ା ମଙ୍ଗଳପୁର: ସରକାର ଗମନାଗମନର ବିକାଶ ଓ ସ୍ଥାୟୀ ଭିତ୍ତିଭୂମୀ ନିର୍ମାଣ ନିମନ୍ତେ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେତେକ କ୍ଷେତ୍ରରେ ସରକାରୀ ଅଧିକାରୀ ଓ ରାଜନେତାଙ୍କ ଇଛାଶକ୍ତି ଏବଂ ଆନ୍ତରିକତାର ଅଭାବ ଯୋଗୁଁ  କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ୍ତ ରାସ୍ତା ଘାଟ,କୋଠା, ସେତୁ ଆଦି ଭଳି ସ୍ଥାୟୀ ଭିତ୍ତିଭୂମୀର ସ୍ଥାୟିତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି ନୂତନ ଭାବରେ ଗଠିତ ହୋଇଥିବା ଦଶରଥପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧିନସ୍ଥ ଦଶରଥପୁର ବ୍ଲକ ଅନ୍ତର୍ଗତ ମଲ୍ଲିକାପୁର-ପଲ୍ଲାସାହୀ ରାସ୍ତାର ପଲ୍ଲାସାହୀ ନାଳ ଉପରେ ନିର୍ମିତ ସେତୁ କ୍ଷେତ୍ରରେ ।  ୪,୮୩,୬୩,୯୮୯ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧୀନ ଥିବା ଏହି ସେତୁର କାର୍ଯ୍ୟାଦେଶ ଭୁବନେଶ୍ୱରୀ କନଷ୍ଟ୍ରକସନ  ନାମରେ ଥିବାବେଳେ ଏହି ସେତୁ କାର୍ଯ୍ୟ ୧୨.୨.୨୦୨୪ ରୁ ଆରମ୍ଭ ହୋଇ ୧୧.୫.୨୦୨୫ ରେ ସମାପ୍ତ ହେବ ବୋଲି ଜଣାଯାଇଛି । ୬୨.୬୫ ମିଟର ଲମ୍ବ ଏହି ସେତୁରେ ୭ ଟି ସ୍ପାନ ରହିଛି ଯାହାର ଉଚ୍ଚତା ୪.୮୭ ମିଟର, ପ୍ରତ୍ୟେକ ସ୍ପାନର ଦୂରତା ୮.୪ ମିଟର ରହିଛି । ସେତୁ ନିର୍ମାଣ ପରେ  ଉଭୟ ପାର୍ଶ୍ୱ ସଂଯୋଗୀକରଣ ରାସ୍ତା ମଧ୍ୟ ନିର୍ମାଣ କରାଯିବ । ମାତ୍ର କାର୍ଯ୍ୟାଦେଶ ପାଇଥିବା ଠିକାଦାର ନିଜେ କାର୍ଯ୍ୟସ୍ଥଳକୁ ନ ଆସି କିମ୍ବା କୌଣସି ଇଞ୍ଜିନିଅରଙ୍କୁ ଦାଇତ୍ୱ ନ ଦେଇ କିଛି ଅଣଓଡ଼ିଆ ମିସ୍ତ୍ରୀଙ୍କ ଦାୟିତ୍ୱରେ କାର୍ଯ୍ୟ କରୁଥିବାର ଦେଖାଯାଇଛି । ଏହା ବ୍ୟତୀତ ଗ୍ରାମଉନ୍ନୟନ ବିଭାଗର ଯନ୍ତ୍ରୀଙ୍କର ମଧ୍ୟ କାର୍ଯ୍ୟସ୍ଥଳରେ ପାଦ ପଡୁନଥିବାରୁ ଠିକାଦାର କଂକ୍ରିଟ ଭାଗ ମାପରେ ଜାଲିଆତି କରୁଥିବାର ଅଭିଯୋଗ ହେଉଛି । ଏଥି ସହିତ  ନିର୍ମାଣ କାର୍ଯ୍ୟରେ ନିମ୍ନମାନର ସାମଗ୍ରୀରଯଥା ବାଲି, ଚିପ୍ସ ଓ ଅଣ ସ୍ୱୀକୃତିପ୍ରାପ୍ତ ଟିଏମଟି ବାରର  ବ୍ୟବହାର ଯୋଗୁଁ  ସେତୁର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଶେଷ କରି ମାଟି କାଦୁଅ ମିଶା ବାଲି ଓ ଧାର୍ଯ୍ୟ ସାଇଜର ଚିପ୍ସ ବଦଳରେ ଶସ୍ତା ଓ ଓଭର ସାଇଜର ଚିପ୍ସ ବ୍ୟବହାର ଯୋଗୁଁ କାର୍ଯ୍ୟର ସ୍ଥାଇତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହେଉଛି । ଏହା ବ୍ୟତୀତ  ସେତୁ ନିର୍ମାଣ ଯୋଗୁଁ ଜନସାଧାରଣଙ୍କ ଗମନାଗମନ ନିମନ୍ତେ ନିର୍ମାଣ କରାଯାଇଥିବା ଆପ୍ରୋଚ ରୋଡ ସାମାନ୍ୟ ବର୍ଷାରେ କର୍ଦ୍ଦମାକ୍ତ  ହୋଇପଡୁଛି । ଯାହାଫଳରେ ଜନସାଧାରଣଙ୍କ ଯାତାୟାରେ ସମସ୍ୟା ସୃଷ୍ଟି ହେଉଛି । ଆଗାମୀ ବର୍ଷା ଋତୁରେ  ବର୍ଷା ଓ  ବନ୍ୟା ଜଳ ଏହି ନାଳ ଦେଇ ପ୍ରବାହିତ ହେଲେ ଉକ୍ତ ଆପ୍ରଚ ରୋଡ ଦେଇ ଯାତାୟାତ ଅସମ୍ଭବ ହୋଇ ପଡିବ । ତେଣୁ ବିଭାଗୀୟ ଅଧିକାରୀ  କାର୍ଯ୍ୟରେ ହେଉଥିବା ଅନିୟମିତତାର ତଦନ୍ତ କରିବା ସହିତ ଓ ଗମନାଗମନରେ କ୍ଷେତ୍ରରେ ହେବାକୁ ଥିବା  ସମସ୍ୟାକୁ ଦୃଷ୍ଟିରେ ରଖି  ତୁରନ୍ତ ସେତୁ କାର୍ଯ୍ୟ ସମାପ୍ତ କରିବାପାଇଁ ସାଧାରଣରେ ଦାବି ହୋଇଛି ।