ସହରରେ ସିସି କ୍ୟାମେରା ଲଗାଇବାକୁ ଦାବି

ସହରରେ ସିସି କ୍ୟାମେରା ଲଗାଇବାକୁ ଦାବି

ଯାଜପୁର : ଯାଜପୁର ସହରରେ ଟ୍ରାଫିକ୍‌ ସମସ୍ୟା ସହ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟ ବଢିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରତି ଛକମାନଙ୍କରେ ସିସି କ୍ୟାମେରା ଲଗାଇବାକୁ ଜିଲା ଉପଭୋକ୍ତା ସମିତି ଯାଜପୁରର ସଭାପତି ଦିଗମ୍ବର କର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରୀ କର ଜିଲାପାଳଙ୍କୁ କରିଥିବା ଲିଖିତ ଦାବିରେ ଦର୍ଶାଇଛନ୍ତି କି ଯାଜପୁର ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି । ଏହାକୁ ନିୟନ୍ତ୍ରଣ କରିବାକୁ କୌଣସି ଜାଗାରେ ପୁଲିସ ମୁତୟନ ହୋଇନାହିଁ । ବିଶେଷକରି ଗାନ୍ଧୀ ଛକ, ମେଡ଼ିକାଲ ଛକ, ମହିଳା କଲେଜ ଛକ, ବସ ଷ୍ଟାଣ୍ଡ, ବଡ଼ବଜାର, କୁସୁମା ରାସ୍ତା, ଗରିଆପୁର ଛକ, ରେଡ଼କ୍ରସ ଛକ, ମୋଟରଙ୍ଗାପାଳ ଛକ, ବିରଜା ମନ୍ଦିର ଛକ, ଯୋଡ଼ିକୂଅ ଛକ, ମାନସାପୋଲ ଛକ, ଅଠରନାଳ ଛକ ମାନଙ୍କରେ ଟ୍ରାଫିକ୍‌ ଜାମ ରହୁଛି । ବିଶେଷ କରି ସନ୍ଧ୍ୟା ସମୟରେ ଉପରିସ୍ଥ ସ୍ଥାନମାନଙ୍କରେ ଅସାମାଜିକ ଲୋକଙ୍କର ଆଡ଼ାସ୍ଥଳି ପାଲଟି ଯାଉଛି । ଯାହାଦ୍ୱାରା ବିଭିନ୍ନ ଅପରାଧିକ କାର୍ଯ୍ୟମାନ ଘଟୁଛି । ଏହିପରି ଭିଡକୁ ନିୟନ୍ତ୍ରଣ ପାଇଁ ପୁଲିସ ମୁତୟନ ହେବା ସଙ୍ଗେ ସଙ୍ଗେ ପ୍ରତି ଛକମାନଙ୍କରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଅନୁରୋଧ କରିଥିବା ବେଳେ ଯାଜପୁର ଥାନା ଅଧିକାରୀଙ୍କ ନଜରକୁ ଆଣିଛନ୍ତି ।