ଭତ୍ତା ଅପେକ୍ଷାରେ ୧୩ଶହ ହିତାଧିକାରୀ

ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର:  ଭତ୍ତା ପାଇବାକୁ ୧୩୦୦ ବୃଦ୍ଧବୃଦ୍ଧା ଆବେଦନ କରିଥିବାବେଳେ ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ । ବ୍ଲକ କାର୍ଯ୍ୟାଳୟକୁ ଦୌଡିଦୌଡି ନୟାନ୍ତ ହେଲେଣି ବୃଦ୍ଧବୃଦ୍ଧା । ମାସେ କି ଦୁଇ ମାସ ନୁହେଁ ପ୍ରାୟ ୬ ମାସ ଧରି ଦୌଡୁଥିଲେ ହେଁ ମିଳୁନି ଭତ୍ତା । ବିଭିନ୍ନ ଆଳ ଦେଖାଇ ବିଭାଗୀୟ ଅଧିକାରୀ ଆବେଦନକାରୀଙ୍କ ଆବଶକୀୟ କାଗଜପତ୍ରକୁ ସେମିତି ପକାଇ ରଖିଥିବା ଅଭିଯୋଗ ହେଉଛି । ଏପରି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲାର ନୂଆଗାଁ ବ୍ଲକରେ । 
ଗତ ପ୍ରାୟ ୬ ମାସ ମଧ୍ୟରେ ପ୍ରାୟ ୧୩୦୦ରୁ ଅଧିକ ବୃଦ୍ଧବଦ୍ଧା ଭତ୍ତା ପାଇବାକୁ ଆବେଦନ କରିଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଜଣେ  ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳିନି । ବ୍ଲକର ଚିତାପେଡି, ସୋରଡା, ଉର୍ମେଇ, ଗଞ୍ଜୁର, ଲୁଆରାମ, ବାରିଲେପ୍ଟା, ବାଗଡେଗା, ହାତୀବାରି, ଅଙ୍କୁରପାଲି, ମେନ୍ମେନା, ସାତରା, ତେତେରକେଲା ଆଦି ଅଞ୍ଚଳରୁ ଦୈନିକ ୧୦ରୁ ୧୫ ବୃଦ୍ଧବୃଦ୍ଧା ଭତ୍ତା ପାଇଁ ଆବେଦନ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କ ନିକଟରେ ଆବଶ୍ୟକୀୟ କାଗଜପତ୍ର ଜମା କରୁଛନ୍ତି । ଦାୟିତ୍ୱରେ ଥିବା ଅଧିକାରୀମାନେ ଖୁବ୍ଶୀଘ୍ର ମିଳିଯିବ ବୋଲି କହୁଛନ୍ତି ।  ହେଲେ ପରବର୍ତ୍ତୀ ସମୟରେ ଏମାନଙ୍କ କଥାକୁ ଭୁଲିଯାଉଛନ୍ତି । ବାରମ୍ବାର ଦୌଡାଯାଉଥିବାରୁ କିଛି ବୃଦ୍ଧବୃଦ୍ଧାଙ୍କ ସମ୍ପର୍କୀୟ କର୍ମଚାରୀଙ୍କୁ ହାତଗୁଞ୍ଜା ଦେବାକୁ ବାଧ୍ୟ ହେଉଛନ୍ତି । କର୍ମଚାରୀଙ୍କୁ ଦାବିମୁତାବକ ଟଙ୍କା ମିଳୁ ନଥିବାରୁ ବିଭିନ୍ନ ଆଳ ଦେଖାଇ ଫେରାଇ ଦେଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ବ୍ଲକର ୨୦ଟି ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ମଧୁବାବୁ ପେନ୍ସନ୍ ଓ ଇନ୍ଦିରାଗାନ୍ଧି ପେନ୍ସନ୍ ଯୋଜନାରେ ୧୪ ହଜାର ୬୨୦ ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ମିଳୁଛି । ଏଥି ମଧ୍ୟରେ ୯, ୩୦୩ ମଧୁବାବୁ ପେନ୍ସନ୍ ଯୋଜନା ପାଉଛନ୍ତି । ୪ ହଜାର ୫୩୫ ହିତାଧିକାରୀ ଇନ୍ଦିରାଗାନ୍ଧି ପେନ୍ସନ୍ ଯୋଜନାରେ ଭତ୍ତା ପାଉଛନ୍ତି । ତେବେ ଗତ ୬ ମାସ ପୂର୍ବରୁ ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ମାତ୍ର ୧୧୪ ଜଣଙ୍କୁ ଭତ୍ତା ମିଳିଥିଲା । ସେବଠୁ ୬ ମାସ ବିତିଗଲାଣି, ନୂଆ ଆବେଦନକାରୀଙ୍କୁ ଭତ୍ତା ମିଳିନି । କେବେ ମିଳିବ, ବିଭାଗୀୟ ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ । ପଚାରିଲେ କହୁଛନ୍ତି, ଇଣ୍ଟରନେଟ୍ ସମସ୍ୟା ରହୁଥିବାରୁ ଏଭଳି ସମସ୍ୟା ଉପୁଜିଛି ।