ମଧ୍ୟାହ୍ନ ଭୋଜନ ଅର୍ଥ ହଡପ; ଜିଲ୍ଲାପାଳଙ୍କୁ ଅଭିଯୋଗ

 ବିଞ୍ଝାରପୁର:  ବିଞ୍ଝାରପୁର ମଣ୍ଡଳ ଶିକ୍ଷାଧିକାରୀ ଅଧିନ ସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅର୍ଥ ହଡପ ହୋଇଥିବା ନେଇ ଜିଲାପାଳଙ୍କୁ ହୋଇଛି ଅଭିଯୋଗ । ଅଭିଯୋଗ ଏସ୍ଏମ୍ସିର ସଦସ୍ୟ ଓ ଅଭିଭାବକଙ୍କ ପକ୍ଷରୁ କରାଯାଇଛି । 
ଅଭିଯୋଗରୁ ପ୍ରକାଶ ଯେ, ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଅବସର ନେଲାପରେ ବରିଷ୍ଠତା ଦୃଷ୍ଟିରୁ ବିଦ୍ୟାଳୟର ଶିକ୍ଷକ ଦୁଷ୍ମନ୍ତ କୁମାର ସାମଲ୨୦୨୪ମସିହା ନଭେମ୍ବର ମାସ ୩୦ତାରିଖରୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ୱ ନେଇ ୨୦୨୫ ମସିହା ମାର୍ଚ୍ଚ ମାସ ୩ ତାରିଖ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ମାତ୍ର ୩ ମାସ ୪ ଦିନ ମଧ୍ୟରେ ମଧ୍ୟାହ୍ନ ଭୋଜନ ବାବଦକୁ ୨ଟି ପର୍ଯ୍ୟାୟରେ ପ୍ରଥମେ ଫେବୃଆରୀ ୭ ତାରିଖ ୫୧ ହଜାର ୬୩୭ ଟଙ୍କା ଓ ଦ୍ୱିତୀୟ ଥର ଫେବୃଆରୀ ୨୮ତାରିଖରେ ୩୧ ହଜାର ୭୮୨ଟଙ୍କା ସମେତ ମୋଟ ୮୩ ହଜାର ୪୧୯ଟଙ୍କା ଉଠାଣ କରିଥିଲେ । ପ୍ରଥମ ପର୍ଯ୍ୟାୟ ଅର୍ଥ ଉଠାଣ ପରେ କମିଟିର ସଭାପତି ଅମୁଲ୍ୟ କୁମାର ନାୟକଙ୍କୁ କୌଣସି ହିସାବ ନଦେଇ ମାତ୍ର ୨୧ଦିନ ବ୍ୟବଧାନରେ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥ ଉଠାଣ ପାଇଁ ଚେକ୍ରେ ଦସ୍ତଖତ ପାଇଁ ସଭାପତିଙ୍କ ନିକଟକୁ ଯାଇଥିଲେ । 
ସଭାପତି ପ୍ରଥମେ ଉଠାଣ ହୋଇଥିବା ଅର୍ଥର ହିସାବ ସମ୍ପର୍କରେ ପଚାରିବାରୁ ପ୍ରଧାନ ଶିକ୍ଷକ ତାଙ୍କୁ  କ୍ରୀଡା ବାବଦକୁ ଅର୍ଥ ଉଠାଣ ହେବ ବୋଲି ମିଛ କହି ଦସ୍ତଖତ କରାଇଥିଲେ । ଏହାପରେ ମାର୍ଚ୍ଚ ୩ତାରିଖ ଅନ୍ୟପ୍ରଧାନ ଶିକ୍ଷକ ଦାୟିତ୍ୱ ନେଇ ମଧ୍ୟାହ୍ନ ଭୋଜନ ଚଳାଇଥିଲେ । ପରେ ମଧ୍ୟାହ୍ନ ଭୋଜନ ବାବଦକୁ ଅର୍ଥ ଉଠାଣ ପାଇଁ ବ୍ୟାଙ୍କରୁ ଜାଣିବାକୁ ପାଇଲେ ଯେ, ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସାମଲ ୨ଟି ପର୍ଯ୍ୟାୟରେ ଉପରୋକ୍ତ ଟଙ୍କା ଉଠାଣ କରିନେଇଛନ୍ତି । ଏହା ଜାଣିଲାପରେ ସଭାପତିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଗତମାସ ୨୦ ତାରିଖରେ ତକôାଳୀନ ବିଇଓ ସୁବାସ ଚନ୍ଦ୍ର ବିଶ୍ୱାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଇତିମଧ୍ୟରେ ଅଭିଯୋଗକୁ ୧ମାସ ବିତିଥିଲେ ମଧ୍ୟ ବିଇଓ ଘଟଣାର ତଦନ୍ତ କଲେନି କି ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି । ଯାହାକୁ ନେଇ କମିଟିର ସଦସ୍ୟ ଜ୍ଞାନେନ୍ଦ୍ର ବେଉରିଆ, ଅନାଦି ମଲିକ, ଅମରେଶ ପାତ୍ର, କୃଷ୍ଣ ଚନ୍ଦ୍ର ମଲିକ ପ୍ରମୁଖ ଜିଲାପାଳଙ୍କୁ ଭେଟି ଘଟଣାର ତଦନ୍ତକରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏସମ୍ପର୍କରେ ଭାରପ୍ରାପ୍ତ ବିଇଓ ସେକ୍ ନିଜାମୁଦ୍ଦିନଙ୍କୁ ପଚାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନି ।