ମନ କି ବାତ  : ପାର୍ବତୀ ଗିରିଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ମନ କି ବାତ  : ପାର୍ବତୀ ଗିରିଙ୍କୁ ମୋଦିଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍‌ କି ବାତ’ର ୧୨୯ତମ ସଂସ୍କରଣରେ ଓଡିଶାର ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଓ ସମାଜସେବାରେ ତାଙ୍କର ଜୀବନବ୍ୟାପୀ ସମର୍ପଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏପରି କରି ପ୍ରଧାନମନ୍ତ୍ରୀ ମନ୍‌ କି ବାତ୍‌ରେ ପୁଣି ଥରେ ଓଡିଶାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି।


   

   ମନ୍‌ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ଆସନ୍ତା ମାସରେ ଏହାର ୭୭ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଏହି ଦିବସ ସ୍ୱାଧୀନତା ସଂଗ୍ରାମୀ ଓ ସମ୍ବିଧାନର ସ୍ଥପତିଙ୍କ ବଳିଦାନକୁ ମନେ ପକାଇବାର ଏକ ଅବସର । ଦେଶର ପ୍ରତ୍ୟେକ ଅଞ୍ଚଳର ଲୋକମାନେ ସ୍ୱାଧୀନତା ଆନ୍ଦୋଳନରେ  ନିଜର ଅବଦାନ ଦେଇଥିଲେ ମଧ୍ୟ ଅନେକ ପରଦା ପଛର ନାୟକଙ୍କୁ ଉପଯୁକ୍ତ ସ୍ୱୀକୃତି ମିଳି ନଥିଲା । ଓଡ଼ିଶାର ପାର୍ବତୀ ଗିରି ଜଣେ ଏପରି ସାହସୀ ନେତ୍ରୀ ଥିଲେ । ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି, ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ୨୦୨୬ ଜାନୁଆରିରେ ପାଳନ କରାଯିବ। ସେ ୧୬ ବର୍ଷ ବୟସରେ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେଇଥିଲେ ଏବଂ ପରେ ତାଙ୍କ ସମଗ୍ର ଜୀବନ ସମାଜସେବା, ବିଶେଷକରି ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ । ତାଙ୍କର ପ୍ରେରଣାଦାୟକ ଜୀବନ ନୂତନ ପିଢ଼ିଙ୍କୁ ମାର୍ଗଦର୍ଶନ କରି ଚାଲିଥିବ।

   ପାର୍ବତୀ ଗିରି ୧୯୨୬ ଜାନୁଆରି ୧୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ  ଧନଞ୍ଜୟ ଗିରିଙ୍କ ଝିଅ ଥିଲେ । ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବରେ ସେ ବେଶ୍‌ ଲୋକପ୍ରିୟ ଥିଲେ । ଜଣେ ପ୍ରମୁଖ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଭାରତ ଛାଡ଼ ଆନ୍ଦୋଳଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏବଂ ତାଙ୍କର ବ୍ରିଟିଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଦୁଇ ବର୍ଷ ପାଇଁ ଜେଲ୍‌ ଯାଇଥିଲେ । ସ୍ୱାଧୀନତା ପରେ ସେ ପାଇକମାଳ ଗାଁରେ ଅନାଥାଶ୍ରମ ପ୍ରତିଷ୍ଠା କରି ସମାଜ ସେବା ଜାରି ରଖିଥିଲେ । ତାଙ୍କ ଜୀବନର ବାକି ସମୟ ସେ ଅନାଥଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ । ୧୯୯୫ ଅଗଷ୍ଟ ୧୭ ତାରିଖରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହାସହ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୨୫ ଆମକୁ ଏଭଳି ଅନେକ ମୁହୂର୍ତ୍ତ ଦେଲା, ଯାହାକୁ ନେଇ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗର୍ବ ଜାତ ହେଲା । ଦେଶର ପ୍ରତିରକ୍ଷା ଠାରୁ ଆରମ୍ଭ କରି ଖେଳପଡିଆ ପର୍ଯ୍ୟନ୍ତ, ବିଜ୍ଞାନ ପରୀକ୍ଷାଗାରଠାରୁ ନେଇ ବିଶ୍ୱର ବଡ ବଡ ମଞ୍ଚ ପର୍ଯ୍ୟନ୍ତ  ଭାରତ ପ୍ରତ୍ୟେକ ସ୍ଥାନରେ ନିଜର ଏକ ସୁଦୃଢ ଛାପ ସୃଷ୍ଟି କଲା । ଏହି ବର୍ଷରେ ଅପରେସନ୍‌ ସିନ୍ଦୁର ପ୍ରତ୍ୟେକ ଭାରତୀୟ ପାଇଁ ଗର୍ବର ପ୍ରତୀକ ପାଲଟିଗଲା । ସାରା ବିଶ୍ୱ ସ୍ପଷ୍ଟ ଭାବେ ଦେଖିଲା ଯେ, ଆଜିର ଭାରତ ନିଜର ସୁରକ୍ଷା ପାଇଁ କୌଣସି ସାଲିସ୍‌ କରିବ ନାହିଁ । ଏହି ଭାବନା ସେତେବେଳେ ମଧ୍ୟ ଦେଖିବାକୁ ମିଳିଲା ଯେତେବେଳେ ବନ୍ଦେମାତରମର ୧୫୦ ବର୍ଷ ପୂରଣ ହେଲା । ୨୦୨୫ କ୍ରୀଡା ଦୃଷ୍ଟିରୁ ମଧ୍ୟ ଗୋଟିଏ ସ୍ମରଣୀୟ ବର୍ଷ ଥିଲା । ଆମର ପୁରୁଷ କ୍ରିକେଟ୍‌ ଦଳ ଆଇସିସି ଚମ୍ପିଆନ୍ସ ଟ୍ରଫି ଜିତିଲା । ମହିଳା କ୍ରିକେଟ୍‌ ଦଳ ପ୍ରଥମ ଥର ବିଶ୍ୱକପ୍‌ ଅଧିକାର କଲେ ।

    ଭାରତର କନ୍ୟାମାନେ ଟି-୨୦ ମହିଳା ଦୃଷ୍ଟିହୀନ ବିଶ୍ୱକପ ଜିତି ଇତିହାସ ସୃଷ୍ଟି କଲେ । ଏସିଆ କପ ଟି୨୦ରେ ମଧ୍ୟ ତ୍ରିରଙ୍ଗା ଗୌରବର ସହ ଉଡିଲା। ପାରା-ଆଥଲିଟମାନେ ମଧ୍ୟ ବିଶ୍ୱ ଚାମ୍ପିଆନସିପରେ ଅନେକ ପଦକ ଜିତି ଏ କଥା ପ୍ରମାଣିତ କରିଦେଲେ ଯେ, ଉତ୍ସାହ ଥିଲେ କୌଣସି ବାଧାବିଘ୍ନ ପଥରୋଧ କରିପାରେ ନାହିଁ । ବିଜ୍ଞାନ ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ଭାରତ ବିରାଟ ଲମ୍ଫ ପ୍ରଦାନ କଲା । ଶୁଭାଂଶୁ ଶୁକ୍ଲା ଆଇଏସଏସକୁ ପହଞ୍ଚିବାରେ ପ୍ରଥମ ଭାରତୀୟ ହେଲେ । ପରିବେଶ ସୁରକ୍ଷା ଏବଂ ବନ୍ୟଜନ୍ତୁ ସୁରକ୍ଷା ସହ ଜଡିତ ଅନେକ ପ୍ରଚେଷ୍ଟା ମଧ୍ୟ ୨୦୨୫ ପାଇଁ ପରିଚୟ ସାଜିଲା । ଭାରତରେ ଚିତାବାଘ ସଂଖ୍ୟା ମଧ୍ୟ ଏବେ ୩୦ରୁ ଅଧିକ ହୋଇଗଲାଣି । ୨୦୨୫ରେ ଆସ୍ଥା, ସଂସ୍କୃତି ଏବଂ ଭାରତର ଅଦ୍ୱିତୀୟ ଐତିହ୍ୟ ସବୁ ଏକାଠି ଦୃଷ୍ଟିଗୋଚର ହେଲା । ବର୍ଷ ଆରମ୍ଭରେ ପ୍ରୟାଗରାଜ୍‌ ମହାକୁମ୍ଭର ଆୟୋଜନ ସାରା ବିଶ୍ୱକୁ ଚକିତ କଲା । ବର୍ଷ ଶେଷଭାଗରେ ଅଯୋଧ୍ୟାରେ ରାମ ମନ୍ଦିର ଉପରେ ଧ୍ୱଜାରୋହଣ କାର୍ଯ୍ୟକ୍ରମ ପ୍ରତ୍ୟେକ ଭାରତୀୟକୁ ଗର୍ବରେ ପରିପୂର୍ଣ୍ଣ କଲା । ସ୍ୱଦେଶୀକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଲା । ଲୋକେ ସେହି ସାମଗ୍ରୀ କ୍ରୟ କରୁଛନ୍ତି, ଯେଉଁଥିରେ ରହିଛି କୌଣସି ଭାରତୀୟର ପରିଶ୍ରମ, ଯେଉଁଥିରେ ରହିଛି ଭାରତ ମାଟିର ମହକ। ଆଜି ଆମେ ଗର୍ବରେ କହିପାରିବା ଯେ, ୨୦୨୫ ଭାରତକୁ ଦେଇଛି ଆହୁରି ଅଧିକ ଆତ୍ମବିଶ୍ୱାସ । ଏ କଥା ମଧ୍ୟ ସତ ଯେ, ଏହି ବର୍ଷରେ ଆମକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ମଧ୍ୟ ହେବାକୁ ପଡିଲା । ଏବେ ଦେଶ ୨୦୨୬ରେ ନୂତନ ଆଶା, ନୂଆ ସଂକଳ୍ପ ସହ ଅଗ୍ରସର ହେବାପାଇଁ ପ୍ରସ୍ତୁତ।