ବର୍ଷାରେ ରାଜଧାନୀ ବେହାଲ୍
ଭୁବନେଶ୍ୱର: ପ୍ରବଳ ବର୍ଷାରେ ରାଜଧାନୀର ହାଲ୍ ବେହାଲ ହୋଇଯାଇଛି । ଅପରାହ୍ନରେ ବର୍ଷା କାଚିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ରାସ୍ତା ଉପରେ ଦୁଇରୁ ତିନିଫୁଟ୍ ପର୍ଯ୍ୟନ୍ତ ପାଣି ଚାଲିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଆଜି ସଂଧ୍ୟା ସାଢ଼େ ୬ଟା ସୁଦ୍ଧା ଭୁବନେଶ୍ୱରରେ ୫୭ ମିମି ବର୍ଷା ହୋଇଥିବା ରେକର୍ଡ଼ କରାଯାଇଛି । ଅପରପକ୍ଷରେ ଆସନ୍ତାକାଲି ୫ ଜିଲ୍ଲାକୁ ଗ୍ରୀଷ୍ମଲହର ନେଇ ୱାର୍ଣ୍ଣିଂ ଜାରି କରାଯାଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଗଜପତି, ଜଗତସିଂହପୁର ଓ ପୁରୀରେ ଗ୍ରୀଷ୍ମଲହରର ସମ୍ଭାବନା ରହିଛି । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ପାଗ ଉଷ୍ମ ରହିବ । ଅପରପକ୍ଷରେ ଜୁନ୍ ୫ରେ ବାଲେଶ୍ୱର, ଭଦ୍ରକ, ଗଜପତି, ଜଗତସିଂହପୁର ଓ ପୁରୀରେ ଗ୍ରୀଷ୍ମଲହର ହେବାର ଥିବାବେଳେ ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମରେ ତାତି ପରିଲକ୍ଷିତ ହେବ । ଏତଦବ୍ୟତୀତ ଜୁନ୍ ୬ରେ ବାଲେଶ୍ୱର, ଭଦ୍ରକ, ଗଜପତି, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଓ କଟକରେ ଗ୍ରୀଷ୍ମଲହର ହେବାର ଥିବାବେଳେ ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼ ଓ ଗଞ୍ଜାମରେ ପାଗ ଉଷ୍ମ ରହିବ ।